ହାଟଡ଼ିହି: ହାଟଡିହି ବ୍ଲକ୍‌ ସୋସୋ କାନପୁର ଅଞ୍ଚଳରେ ଗତ କିଛିଦିନ ହେବ ପୁଣି ହାତୀ ଆତଙ୍କ ଦେଖାଦେଇଛି। ଆମ୍ବ ପଣସ ପାଚିବା ସମୟ ହୋଇଗଲେ ଗତ ୫ବର୍ଷ ହେବ ଦୁଇଟି ଦନ୍ତା ହାତୀ ହଦଗଡ଼ର ହସ୍ତୀ ଅଭୟାରଣ୍ୟରୁ ସୋସୋ କାନପୁର ଅଞ୍ଚଳକୁ ଆସି ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି। ଦୁଇବର୍ଷ ତଳେ ଅନେକ ଲୋକଙ୍କୁ ଆକ୍ରମଣ କରି ମାରିଦେଇଥିବା ନଜିର ରହିଛି। କିଛିଦିନ ହେବ ଗୋଟିଏ ଦନ୍ତା ହାତୀ ସୋସୋ, କାନପୁର, ନିଉଦାନୀ, ଦନେଇପୁର, ନୂଆଗାଁ, ବାଘୁଆ, ଅଞ୍ଚଳରେ ଉପଦ୍ରବ ଚଳାଇଛି। ଗାଁ ଭିତରକୁ ପଶି ଆସି ବ୍ୟାପକ କ୍ଷୟକ୍ଷତି ଘଟାଉଛି। ଗାଁ ରାସ୍ତାରେ ଚଳପ୍ରଚଳ କରୁଥିବାବେଳେ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି।

Advertisment

୪ ତାରିଖରେ ହାତୀଟି ବାଘୁଆ ଗାଁ ଭିତରକୁ ପଶିଆସିଥିବା ବେଳେ ଆଜି ବାଙ୍ଗୋର ପଞ୍ଚାୟତର ଶଙ୍ଖଣା ଗାଁ ଭିତରକୁ ପଶି ଉତ୍ପାତ କରିଛି। ଫଳରେ ଲୋକେ ଭୟଭୀତ ହୋଇ ଘରେ ତାଟିକବାଟ ଦେଇ ପଶିଥିଲେ। ଗାଁରେ ହାତୀ ବୁଲୁଥିଲେ ହେଁ ବନ ବିଭାଗ କର୍ମଚାରୀ ହାତୀ ଘଉଡ଼ାଇବା ପାଇଁ କୌଣସି ପଦକ୍ଷେପ ନେଉ ନାହାନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଦନ୍ତାଟିକୁ ଘଂଚ ଜଙ୍ଗଲ ମଧ୍ୟକୁ ଘଉଡ଼ାଇ ଦିଆଯାଉ ନଚେତ୍ ଟ୍ରାଙ୍କୁଲାଇଜ୍ କରି ଅନ୍ୟତ୍ର ନିଆଯାଉ ବୋଲି ସ୍ଥାନୀୟ ଅଞ୍ଚଳବାସୀ ବନ ବିଭାଗ ନିକଟରେ ଦାବି କରିଛନ୍ତି।