ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ ହାତୀ ଉପଦ୍ରବ ଯୋଗୁଁ ଲୋକେ ଅତିଷ୍ଠ ହୋଇପଡ଼ିଲେଣି। ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନରେ ହାତୀପଲ ଘର ଭାଙ୍ଗି ଧାନ ଚାଉଳ ଖାଇବା ସହିତ ବ୍ୟାପକ ଧାନ ଫସଲ ନଷ୍ଟ କରି ଚାଲିଛନ୍ତି। ଗତକାଲି ୪ଟି ଘର ଭାଙ୍ଗିବା ସହ ୧୧ଟି ଗାଁରେ ଧାନ ଫସଲ ମାଡ଼ି ଦଳି ନଷ୍ଟ କରିଦେଇଛନ୍ତି। କରମଙ୍ଗି ପଞ୍ଚାୟତ ଅଲୁଣି ଗ୍ରାମର ଜିତୁ ପିଙ୍ଗୁଆ, କୃଷ୍ଣପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ନାଏକ, ପୁରୁଯୋଡ଼ା ପଞ୍ଚାୟତ ବାଲିଯୋଡ଼ି ଗ୍ରାମର ପାତି ନାୟକ ଓ ରଥ ନାୟକଙ୍କ ଘର ଭାଙ୍ଗି ଧାନ ଚାଉଳ ଖାଇ ଦେଇଥିବା ଅଭିଯୋଗ ହୋଇଛି।
/sambad/media/post_attachments/wp-content/uploads/2021/09/9a1adc44-79b5-4999-9e2f-b9404e484985-1024x436.jpg)
ସେହିଭଳି ଆକୁଳ ପଞ୍ଚାୟତ ଅନ୍ତର୍ଗତ ବନବିହାରୀପୁର, ବାଲେଶ୍ଵର, ଖଜୁରିଆ, ମଲଣ୍ଡା, ଖୁଣ୍ଟାପଡା ପଞ୍ଚାୟତ ଦୁର୍ଲ୍ଲଭପୁର ଓ ଶିରିଗିଡା ପଞ୍ଚାୟତ ଗୋପୀନାଥପୁର, ପଡାଙ୍ଗ ପଞ୍ଚାୟତ ସଙ୍କଲେଇ, ଅରଖମୁଣ୍ଡା, କରମଙ୍ଗି ପଞ୍ଚାୟତ ଅଲୁଣି, କୃଷ୍ଣପୁର ଓ କରମଙ୍ଗି ଗ୍ରାମରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଦେଇଛନ୍ତି। ସନ୍ଧ୍ୟା ନ ହେଉଣୁ ହାତୀପଲ ଧାନ କ୍ଷେତରେ ପଶି ଧାନ ଫସଲ ଖାଇବା ସହିତ ମାଡିଦଳି ନଷ୍ଟ କରିଦେଉଛନ୍ତି। ବନ କର୍ମଚାରୀ ଓ ସ୍ଥାନୀୟ ଲୋକେ ଚେଷ୍ଟା କଲେ ମଧ୍ୟ ହାତୀପଲକୁ ଘଉଡାଇବାରେ ସଫଳ ହୋଇପାରୁ ନାହାଁନ୍ତି। ଚଳିତ ଖରିଫ ଋତୁରେ ନିଅଣ୍ଟିଆ ବର୍ଷା ସତ୍ତ୍ୱେ ଲୋକେ ବହୁ କଷ୍ଟରେ ବଞ୍ଚାଇ ରଖିଥିବା ଫସଲ ମରୁଡ଼ି ଆଗରୁ ହାତୀ ଉଜାଡି ଦେଉଥିବାରୁ ଭାଙ୍ଗି ପଡିଛନ୍ତି। ତୁରନ୍ତ ହାତୀ ଦାଉରୁ ଧନ ଜୀବନ ରକ୍ଷା କରିବା ସହିତ ସରକାରୀ ସହାୟତା ବୃଦ୍ଧି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏନେଇ ତେଲକୋଇ ରେଞ୍ଜର ପ୍ରମୋଦ କୁମାର ସେଠୀଙ୍କୁ ପଚାରିବାରୁ ବର୍ତ୍ତମାନ ତେଲକୋଇ ରେଞ୍ଜରେ ୨୯ଟି ହାତୀ ରହିଛନ୍ତି। ଗୋଟିଏ ଦଳରେ ୧୫ଟି ଓ ଅନ୍ୟ ଦଳରେ ୧୪ଟି ଅଛନ୍ତି। ସେମାନଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। କ୍ଷତିଗ୍ରସ୍ତ ପରିବାରକୁ ଖୁବଶୀଘ୍ର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/29072ead-f339-45fd-a570-0bee852f40f1.jpg)