ଥୁଆପାଲି/ରେମଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ସିଂଢ଼ୋଲ ଜଙ୍ଗଲରୁ ମହାନଦୀ ପାର ହୋଇ ଏକ ହାତୀପଲ ମଙ୍ଗଳବାର ସନ୍ଧ୍ୟାରେ ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ୍‌ ମହୁଲପାଲି ଓ ସିଆଲଖଣ୍ଡହତା ପଞ୍ଚାୟତକୁ ପଶି ଆସି ବିଭିନ୍ନ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ଏହି ହାତୀପଲରେ ଶାବକ ସମେତ ପ୍ରାୟ ୪୦ ଗୋଟି ହାତୀ ଥିବା ଜଣାପଡ଼ିଛି। ଖବର ପାଇ ବରଗଡ଼ ବନ ବିଭାଗ ଅଧିକାରୀ ଅଶୋକ ଦାଶ, ରେଞ୍ଜର ମହେନ୍ଦ୍ର ପାତ୍ର, ମନୋରଞ୍ଜନ ସାହୁ, ମିଥୁନ କାଣ୍ଡ, ଫରେଷ୍ଟଗାର୍ଡ ସ୍ନେହଲତା ଯାଦବଙ୍କ ସମେତ ଅନ୍ୟ କର୍ମଚାରୀ ଏବଂ ଋଷୁଡ଼ା ଫାଣ୍ଡି ଅଧିକାରୀ ଗଣେଶ କଲେତ ଓ ସହଯୋଗୀମାନେ ଡାକବାଜି ଯନ୍ତ୍ର ଓ ବାଣ ଫୁଟାଇ ହାତୀପଲଙ୍କୁ ଘଉଡ଼ାଇବାକୁ ଚେଷ୍ଟା ଚଳାଇଛନ୍ତି। ହେଲେ ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ ଏହି ହାତୀପଲ ଆତଙ୍କ ଖେଳାଇଥିବାରୁ ଭେଡ଼େନ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି।

Advertisment

ଏହି ହାତୀପଲ ଯୋଗୁଁ ମହୁଲପାଲି, ସିଆଲଖଣ୍ଡହତା ଓ ଋଷୁଡା ପଂଚାୟତର ଲୋକେ ମଙ୍ଗଳବାର ରାତିରୁ ତାଟିକବାଟ ଦେଇ ଘରେ ରହିଛନ୍ତି। ହାତୀ ଉପଦ୍ରବ ଯୋଗୁଁ ଗଣ୍ଡତୁରୁମ ଗ୍ରାମର  ଉଗ୍ରସେନ ଦଣ୍ଡସେନାଙ୍କ ୫ ଏକର, ଗୋଲେଖ ମହାରଣା ଓ ସୁଦର୍ଶନ ସାହୁଙ୍କ ୧୦ ଏକର, ଲୋକନାଥ ସାହୁଙ୍କ ୩ ଏକର, ଚନ୍ଦ୍ରଶେଖର ନାଗଙ୍କ ୫ଏକର, ମହୁଲପାଲି ଗ୍ରାମର ପ୍ରଶାନ୍ତ କରଙ୍କ ୨୦ ଏକରର ଧାନତଳି ହାତୀପଲ ଦଳିଚଟକି ନଷ୍ଟ କରି ଦେଇଥିବା ଜଣାପଡିଛି। ସେହିପରି  କେସିରିପାଲି, ବୁଦେଲବାହାଲି, ମେହେନା, ଭାଲୁପାଲି, ମହୁଲପାଲି, ଟିହିକିପାଲି ଆଦି ଅନେକ ଗ୍ରାମର ଅନେକ ଚାଷୀଙ୍କ ଖଳାରେ ଥିବା ଧାନ ହାତୀପଲ ଦଳିଚକଟି ନଷ୍ଟ କରି ଦେଇଥିବା ଅଭିଯୋଗ ହୋଇଛି। ସବିଶେଷ ତଥ୍ୟ ଅନୁସାରେ ବୁଧବାର ସଂଧ୍ୟାରେ ବରଗଡ଼ ପୁଲିସ୍‌ ପକ୍ଷରୁ ୧ ସେକ୍‌ସନ୍‌ କର୍ମଚାରୀ ମୁତୟନ କରାଯାଇଛି।