ଖୁଣ୍ଟୁଣୀ: ଖୁଣ୍ଟୁଣୀ ବନାଞ୍ଚଳରେ ବିଚରଣ କରୁଥିବା ଚନ୍ଦକା ହାତୀପଲ ଭିତରୁ ସଂକ୍ରମଣ ଯୋଗୁଁ ଅସୁସ୍ଥ ହୋଇପଡ଼ିଥିବା ଏକ ମାଈ ହାତୀକୁ ଆଜି ଖୁଣ୍ଟୁଣୀ ବନବିଭାଗ ଓ ସାତକୋଶିଆ ବନ୍ୟପ୍ରାଣୀ ବିଶେଷଜ୍ଞ ଦଳ ବଉଳ ସଂରକ୍ଷିତ ଜଙ୍ଗଲରେ ଚିହ୍ନଟ କରି ଟ୍ରାଙ୍କୁଲାଇଜ୍ କରିଥିଲେ। ଏହାପରେ ହାତୀ ଗୋଡ଼ରେ ଗୁଡ଼ାଇ ହୋଇ ରହିଥିବା ୩ଫୁଟ୍ ଲମ୍ବ କେବୁଲ୍ କଢ଼ାଯାଇ ଚିକିତ୍ସା କରାଯାଇଛି। ବନ୍ୟପ୍ରାଣୀ ବିଶେଷଜ୍ଞ ଡାକ୍ତର କିଶୋର କୁମାର ସାହୁ ହାତୀର ଚିକିତ୍ସା କରିଛନ୍ତି। ହାତୀ ପଛ ଡାହାଣ ଗୋଡ଼ର ଆଣ୍ଠୁ ତଳକୁ ବହୁଦିନ ହେଲା ତାର ଗୁଡ଼ାଇ ହୋଇ ରହିଥିବାରୁ ଗଭୀର କ୍ଷତ ହେବା ସହ ସଂକ୍ରମଣ ହୋଇଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ହାତୀଟି ଚିକିତ୍ସା କରାଯାଇଥିବା ସ୍ଥାନରେ ଏକୁଟିଆ ଛିଡ଼ା ହୋଇ ରହିଛି। ତା’ ନିକଟରେ ହାତୀପଲ ନ ଥିବା ବନ ବିଭାଗ ସୂଚନା ଦେଇଛି। ପ୍ରକାଶଥାଉ କି, ୨୨ଟିକିଆ ହାତୀପଲ ଭିତରୁ ୧୫ରୁ ୨୦ବର୍ଷର ଏହି ମାଈ ହାତୀର ଗୋଡ଼ରେ ସଂକ୍ରମଣ ଯୋଗୁଁ ଧୀରେଧୀରେ ଛୋଟେଇ ଛୋଟେଇ ବୁଲୁଥିଲା। ଏ ସମ୍ପର୍କରେ ଖୁଣ୍ଟୁଣୀ ବନ ବିଭାଗ ପକ୍ଷରୁ ସୂଚନା ଦିଆଯିବା ପରେ ଚିକିତ୍ସା ପାଇଁ ଆଠଗଡ଼ ବନଖଣ୍ଡ ଅଧିକାରୀ ଉଚ୍ଚକର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ।
ସାତକୋଶିଆ ବନ୍ୟପ୍ରାଣୀ ବିଶେଷଜ୍ଞ ଦଳ ରବିବାର ସକାଳେ ଖୁଣ୍ଟୁଣୀ ବନାଞ୍ଚଳରେ ପହଞ୍ଚିବା ସହ ବ୍ରାହ୍ମଣବସ୍ତରେ ରହି ଦିନତମାମ ଅସୁସ୍ଥ ହାତୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ହାତୀଟି ଦଳ ଭିତରେ ରହିଥିବା ତଥା ରାତି ହୋଇଯିବାରୁ ବିଶେଷଜ୍ଞ ଦଳ ଟ୍ରାଙ୍କୁଲାଇଜ୍ କରିପାରି ନ ଥିଲେ। ରାତିକ ଭିତରେ ଅସୁସ୍ଥ ହାତୀଟି ଦଳ ସହ ସୁନିଆଁମୁହଁ ଜଙ୍ଗଲ ଓ ୫୫ ନମ୍ବର ଜାତୀୟ ରାଜପଥ ପାର ହୋଇ ବଉଳ ସଂରକ୍ଷିତ ଜଙ୍ଗଲକୁ ଚାଲିଯାଇଥିଲା। ଆଜି ସକାଳେ ପୁନର୍ବାର ବନ ବିଭାଗ ଓ ବିଶେଷଜ୍ଞ ଦଳ ବଉଳ ଜଙ୍ଗଲରେ ୫ଘଣ୍ଟା ପିଛା କରିବା ପରେ ହାତୀପଲ ଠାରୁ ଅସୁସ୍ଥ ହାତୀକୁ ଅଲଗା କରିଥିଲେ। ଏହାପରେ ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ହାତୀକୁ ପ୍ରଥମ ଡୋଜ୍ ଓ ଏହାର ୧୫ମିନିଟ୍ ପରେ ଟପ୍ଅପ୍ ଟ୍ରାଙ୍କୁଲାଇଜ୍ ଦିଆଯାଇଥିଲା। ହାତୀଟି ସଂରକ୍ଷିତ ଜଙ୍ଗଲରୁ ପ୍ରାୟ ୨୦୦ ମିଟର ବୁଦା ଜଙ୍ଗଲ ନିକଟକୁ ଆସିବା ପରେ ବନ ବିଭାଗ କର୍ମଚାରୀମାନେ କାଠ ଢ଼ିରା ଦେଇ କାବୁ କରିଥିଲେ। ଆଠଗଡ଼ ଡିଏଫ୍ଓ ସୁଦର୍ଶନ ଗୋପୀନାଥ ଯାଦବ, ଢେଙ୍କାନାଳ ଡିଏଫ୍ଓ ପ୍ରକାଶ ଚାନ୍ଦ ଗୁଗୁନେନି, ଏସିଏଫ ଘନଶ୍ୟାମ ମୁଦୁଲି, ହୃଦାନନ୍ଦ ମଲ୍ଲିକ, ଖୁଣ୍ଟୁଣୀ ରେଞ୍ଜ ଅଫିସର ଗଜେନ୍ଦ୍ର ପାଲ ମାଥୁରଙ୍କ ଉପସ୍ଥିତିରେ ହାତୀ ଗୋଡ଼ରୁ ତାର କଢ଼ାଯାଇ କ୍ଷତ ସ୍ଥାନ ପରିସ୍କାର କରାଯିବା ସହ ବ୍ୟାଣ୍ଡେଜ୍ କରାଯାଇଥିଲା। କ୍ଷତସ୍ଥଳ ଶୀଘ୍ର ଶୁଖିବା ପାଇଁ ବିଶେଷଜ୍ଞ ଡାକ୍ତର ଆବଶ୍ୟକ ଔଷଧ ଓ ଆଣ୍ଟିବାୟୋଟିକ୍ ଇଂଜେକସନ୍ ଦେଇଛନ୍ତି ବୋଲି ରେଞ୍ଜ ଅଫିସର ସୂଚନା ଦେଇଛନ୍ତି। ବର୍ତ୍ତମାନ ହାତୀ ଉପରେ ଖୁଣ୍ଟୁଣୀ ବନ ବିଭାଗ ତୀକ୍ଷ୍ଣ ନଜର ରଖିଛି।