ରାୟଗଡା: ଓଡ଼ିଶାର ହାତୀ କହି ଆନ୍ଧ୍ରର ମାନ୍ୟମ ଜିଲ୍ଲା ଡିଏଫଓ ଜିଏପି ପ୍ରସନ୍ନା କଣ ସୂଚାଇବାକୁ ଚାହୁଁଛନ୍ତି ବୋଲି ଏବେ ଓଡ଼ିଶାରେ ଚର୍ଚ୍ଚା ଜୋର ଧରିଛି। ହାତୀ ହେଉଛି ଜାତୀୟ ସଂପତ୍ତି। ହାତୀର କୌଣସି ରାଜ୍ୟ କିମ୍ବା ଧର୍ମ ନଥାଏ।ତେବେ କିପରି ଡିଏଫଓ ଓଡ଼ିଶାର ହାତୀ କହି ଚାରି ଚାରୋଟି ହାତୀର ମୃତ୍ୟକୁ ହାଲକା ଭାବେ ନେଉଛନ୍ତି ତାହା ନିନ୍ଦନୀୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଗତ କିଛିମାସ ତଳେ ଓଡ଼ିଶାରେ ବୁଲୁଥିବା ହାତୀ ଏହି ହାତୀ ନା ଆନ୍ଧ୍ର ଅଞ୍ଚଳର ଅନ୍ୟ କୌଣସି ସ୍ଥାନର ହାତୀ ତାହା ସ୍ପଷ୍ଟ ହୋଇ ନାହିଁ। ଏହାର ତଦନ୍ତ ପରେ ହିଁ ସବୁ ସ୍ପଷ୍ଟ ହୋଇପାରିବ। ତେବେ ଗତକାଲି ଡିଏଫଓ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ଦେଉଥିବା ବେଳେ ଜଣାପଡୁଥିଲା ଯେ ହାତୀର ମୃତ୍ୟୁ କୌଣସି ବଡ କଥା ନୁହେଁ।

Advertisment

ହାତୀର ମୃତ୍ୟୁ ପାଇଁ ସେ କାହାରିକୁ ଦାୟୀ କରିବାକୁ ଚାହୁଁ ନଥିଲେ। ଏଭଳି ସ୍ପର୍ଶକାତର ଘଟଣାକୁ କିପରି ଆନ୍ଧ୍ର ସରକାର ମଧ୍ୟ ହାଲକା ଭାବେ ନେଉଛନ୍ତି ତାହା ସାଧାରଣରେ ଆଶ୍ଚର୍ଯ୍ୟ କରିଛି।ଏକ ବଡ କମିଟି ଗଠନ କରାଯାଇ ଏହାର ସତ୍ୟତା ସାମ୍ନାକୁ ଆଣିବା ପାଇଁ ସୀମାନ୍ତ ଆନ୍ଧ୍ର ଅଞ୍ଚଳରେ ଦାବି ମଧ୍ୟ ଉଠିଛି। ଗତ କିଛିଦିନ ହେଲା କଟ୍ରାଗୁଡା ଅଞ୍ଚଳରେ ହାତୀ ପଲ ବୁଲୁଥିବା ଗ୍ରାମବାସୀ ଦେଖିଛନ୍ତି। ତେବେ ଯେଉଁ ସ୍ଥାନରେ ହାତୀଙ୍କର ମୃତ୍ୟୁ ହୋଇଛି ସେହି ସ୍ଥାନ ସମ୍ପୂର୍ଣ୍ଣ ପଡ଼ିଆ ଏବଂ ଧାନ କ୍ଷେତ ରହିଛି। ସେଠାରେ ରହିଥିବା ଟ୍ରାନ୍ସଫର୍ମମରଟି ମୁକୁଳା ହୋଇପଡିଛି। ବିଦ୍ୟୁତ ତାର ଗୁଡିକ ଅତି ନିକଟରେ ଯାଇଥିବାରୁ ହୁଏତ ହାତି ତାରର ସଂସ୍ପର୍ଶରେ ଆସି ଥାଇପାରେ। ତେଣୁ ସମସ୍ତ ଚାରୋଟି ହାତୀର ମୃତ୍ୟୁ ଘଟିଥିଲା। ତେବେ ବନ ବିଭାଗ କିପରି ଜାଣିପାରିଲା ନାହିଁ ଯେ ହାତୀ ପୋଲ ଗତ କିଛି ଦିନ ହେଲା ଏହି ଅଞ୍ଚଳରେ ପଇଁତରା ମାରୁଛନ୍ତି। ବନ ବିଭାଗର କର୍ତ୍ତବ୍ୟ ରହିଥିଲା ଯେ ହାତୀଙ୍କୁ ସୁରକ୍ଷା ଦେବା।

ଅନ୍ୟଦିଗରେ ରାୟଗଡ଼ା ଡିଏଫଓ ସମ୍ପୂର୍ଣ୍ଣ ରୂପେ ଏହା ଓଡ଼ିଶାର ହାତୀ ନୁହେଁ ବୋଲି ମନା କରି ଦେଇଛନ୍ତି। ଗତ ତିନି ଚାରି ମାସ ପୂର୍ବେ ହାତୀ ବୁଲୁଥିଲେ। ସେମାନଙ୍କୁ ସମସ୍ତ ସୁରକ୍ଷା ପ୍ରଦାନ କରାଯାଉଥିଲା। କିନ୍ତୁ ସେମାନେ ଆନ୍ଧ୍ର ମୁହାଁ ହେବା ପରେ ଆନ୍ଧ୍ର ବନ ବିଭାଗର ଦାୟିତ୍ବ ରହିଥିଲା। ବନ ବିଭାଗର ଦାୟିତ୍ବହୀନତା ଜଳ ଜଳ ଦିଶୁଥିବା ବେଳେ ଏହି ଘଟଣାକୁ ଚପାଇ ଦେବାକୁ ଯୋଜନା ଚାଲିଛି। କାହାରିକୁ ଦୋଷ ନଦେଇ ଘଟଣାକୁ ରଫାଦଫା କରିବାକୁ ଚେଷ୍ଟା କରାଯାଉଥିବା ସନ୍ଦେହ ହେଉଛି। ଏବେ ରାୟଗଡ଼ାରେ ୧୫ଟି ହାତୀ ବୁଲୁଛନ୍ତି।

ଏନେଇ ବନ ବିଭାଗର ସମସ୍ତ କର୍ମଚାରୀ ଦିନରାତି ଏକ କରି ହାତୀଙ୍କୁ ସୁରକ୍ଷା ପ୍ରଦାନ କରୁଥିବା କୁହାଯାଇଛି। ଏପରିକି ମୁନିଗୁଡା ନିକଟରେ ଯାଇଥିବା ରେଳ ଲାଇନକୁ ମଧ୍ୟ ସତର୍କତା ଘୋଷଣା କରାଯାଇଛି। ହାତୀ ରେଳ ଲାଇନ ବାଟ ଦେଇ ଯିବା ଆସିବା କରି ପାରନ୍ତି। ତେଣୁ ରେଳ ବିଭାଗକୁ ମଧ୍ୟ ସତର୍କ କରାଯାଇଥିବା ରାୟଗଡ଼ା ଡିଏଫଓ ପ୍ରକାଶ କରିଛନ୍ତି। ଘଟଣାସ୍ଥଳରେ ହିଁ ଚାରୋଟି ହାତୀର ମୃତଦେହକୁ ବ୍ୟବଛେଦ ପରେ ପୋତି ଦିଆଯାଇଥିବା ଜଣାପଡିଛି। ତେବେ ଛୁଆ ହାତୀର ମୃତ୍ୟୁକୁ ନେଇ ମଧ୍ୟ ସନ୍ଦେହ ଉପୁଜୁଛି। ଅନ୍ୟ ତିନୋଟି ହାତୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥାଇ ପାରନ୍ତି, କିନ୍ତୁ ଛୁଆ ହାତୀ କିପରି ମଲା ତାର ତଦନ୍ତ ହେବା ଜରୁରୀ ହୋଇ ପଡିଛି। ଓଡ଼ିଶାର ହାତୀ କହି ଆନ୍ଧ୍ର ବନବିଭାଗ ଖସିବାକୁ ଚେଷ୍ଟା କରୁଥିବାରୁ ଏହି ମୃତ୍ୟୁର ଦୋଷୀଙ୍କୁ କୋଠର ଦଣ୍ଡ ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।