ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବନଖଣ୍ଡ ରେଞ୍ଜ ଅନ୍ତର୍ଗତ ହରିହରପୁର ଗ୍ରାମରେ ଆଜି ରାତି ପ୍ରାୟ ୮ ଟାରେ ଏକ ବଣୁଆ ଦନ୍ତା ହାତୀ ଜନୈକା ନାବାଳିକାଙ୍କୁ ମୁଣ୍ଡରେ ଦଳି ଦେବାରୁ ତା’ର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତ ନାବାଳିକା ସ୍ୱର୍ଗତ ରଘୁନାଥ ମହାନ୍ତଙ୍କ ଝିଅ ସଶ୍ମିତା ମହାନ୍ତ (୧୦ବର୍ଷ)। ଆସନ୍ତାକାଲି ସେ ନବୋଦୟ ପରୀକ୍ଷା ଦେଇଥାନ୍ତା। ସେଥି ପାଇଁ ଘରେ ବସି ପାଠ ପଢୁଥିଲା।
ଘରେ ବିଦ୍ୟୁତ ଆଲୁଅ ନ ଥିବାରୁ ସେ ଡିବିରି ଆଲୁଅରେ ପଢ଼ୁଥିବା ବେଳେ ଦନ୍ତା ହାତୀଟି ହଠାତ ଆସି ତାଙ୍କ ଘର ଭାଙ୍ଗି ଦେଇଥିଲା। ଏହା ଜାଣି ଝିଅଟି ପ୍ରାଣ ବିକଳରେ ଦୌଡ଼ି ପଳାଉ ଥିଲା ବେଳେ ହାତୀଟି ଆକ୍ରମଣ କରି ତାର ମୁଣ୍ଡକୁ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ହୋଇଥିଲା।
ଝିଅର ବାପା ରଘୁନାଥଙ୍କର ଗତବର୍ଷ ବଜ୍ରପାତରେ ମୃତ୍ୟୁ ଘଟିଥିଲା ବେଳେ ମା’ ଶୈଳେନ୍ଦ୍ରୀ ମହାନ୍ତ କାମ କରିବାକୁ ବାହାରକୁ ଚାଲି ଯାଇଛନ୍ତି। ପାଖରେ ବୁଢ଼ୀ ଜେଜେ ମା’ ଥିଲେ।
ଘଟଣାସ୍ଥଳରେ ପାଟଣା ବନବିଭାଗ ପହଞ୍ଚି ତଦନ୍ତ କରୁଥିଲା ବେଳେ ହାତୀଟି ନିକଟସ୍ଥ ଗ୍ରାମରେରେ ଡେରା ପକାଇଛି। ତେଣୁ ଲୋକେ ଭୟଭୀତ ଅବସ୍ଥାରେ ରହିଥିବା ଜଣାଯାଇଛି। ଯତେବେଳେ କିଛି ଦିନ ହେଲା ଏହି ଦନ୍ତା ହାତୀଟି ନିକଟସ୍ଥ ଗ୍ରାମ ମାନଙ୍କରେ ଡେରା ପକାଇ ବହୁ ଲୋକଙ୍କ ଘର ଦ୍ୱାର ଭାଙ୍ଗି ଧାନ ଚାଉଳ ଖାଇ ଆତଙ୍କ ଚଳାଇଥିଲା, ଏହା ସତ୍ତ୍ୱେ ବନ ବିଭାଗ ଘଉଡାଇ ଦେବା ପାଇଁ ଆବଶ୍ୟକ ପଦକ୍ଷେପ ନେଇ ନ ଥିବା ଲୋକେ ଅଭିଯୋଗ କରିଛନ୍ତି।