ରାଉରକେଲା: ସୁନ୍ଦରଗଡ଼ ଗୁରୁଣ୍ଡିଆ ବୁରୁଟୋଲାର ମୁନିକା ମୁଣ୍ଡା। ହାତୀ ଦାଉରୁ ନିଜ ଧାନକୁ ବଞ୍ଚାଇବା ପାଇଁ ରାତିରାତି ମଞ୍ଚାବାନ୍ଧି ଜଗୁଥିଲେ। ହେଲେ ବେଶି ଦିନ ହାତୀଙ୍କୁ ରୋକିପାରି ନଥିଲେ। ଶେଷରେ ଦନ୍ତାହାତୀ ହାବୁଡ଼ରେ ପଡ଼ି ତାଙ୍କର ଜୀବନ ଯାଇଥିଲା। ସେମିତି କୁତ୍ରା ବ୍ଲକ ଅନ୍ତର୍ଗତ ଅଟୋମୁଣ୍ଡାର ନରବେଟ୍ କୁଲୁ। ଘର ଭାଙ୍ଗୁଥିବା ଦନ୍ତାକୁ ଘଉଡ଼ାଇବାକୁ ଯାଇ ଜୀବନ ହାରିଥିଲେ। କେବଳ ମୁନିକା କି ନରବେଟ୍ ନୁହନ୍ତି, ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଓ ମଣିଷ ଲଢ଼େଇରେ ଅନେକଙ୍କ ଜୀବନ ଯାଉଛି। କିଛି ଲୋକ ଗୋଡ, ହାତ ହରାଇ ସବୁଦିନ ପାଇଁ ପଙ୍ଗୁ ହୋଇ ଯାଉଛନ୍ତି। କିଏ ରୋଜଗାରିଆ ପୁଅକୁ ହରାଉଛି ତ କିଏ ସ୍ବାମୀଙ୍କୁ ହରାଇ ଅସହାୟ ହୋଇଯାଉଛି। ସୁନ୍ଦରଗଡ଼ ଜିଲ୍ଲାର କୋଇଡା, ଲାଠିକଟା, ବଣାଇ, ଜର୍ଡା, ବାଙ୍କି, ବୀରମିତ୍ରପୁର ରେଞ୍ଜରେ ବର୍ଷ ତମାମ ହାତୀ ଓ ମଣିଷ ମଧ୍ୟରେ ଲଢ଼େଇ ଜାରି ରହିଛି। ପୀଡ଼ିତ ପରିବାରକୁ ସାନ୍ତ୍ବନା ନା’ରେ ମୃତକଙ୍କ ପିଛା ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇ ବନ ବିଭାଗ ତା’ର କାମ ସାରି ଦେଉଛି। ହେଲେ ଆଜି ପର୍ଯ୍ୟନ୍ତ ଜନବସତି ମୁହାଁ ହେଉଥିବା ହାତୀପଲଙ୍କ ବାଟ ଓଗାଳିବାକୁ କୌଣସି ଠୋସ୍ ପଦକ୍ଷେପ ନିଆଯାଉ ନାହିଁ। ଫଳରେ ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷ ତମାମ ଜାରି ରହିଛି ହାତୀ ଓ ମଣିଷ ଲଢ଼େଇ। କେତେବେଳେ ମଣିଷ ତ ଆଉ କେତେବେଳେ ହାତୀର ଜୀବନ ଯାଉଛି। ଉପାନ୍ତରେ ଏମିତି ବହୁ ଗାଁ ରହିଛି, ଯେଉଁଠି ସଞ୍ଜ ହେଲେ ଲୋକେ ଘରୁ ବାହାରୁ ନାହାନ୍ତି।
ବହୁ ଜଙ୍ଗଲ ପାଖ ଗାଁ’ ଲୋକ ବର୍ଷ ତମାମ ପାଳିକରି ରାତିରେ ହାତୀ ଜଗୁଛନ୍ତି। ମାତ୍ର ବନବିଭାଗ ପକ୍ଷରୁ ଏସବୁ ଗାଁ’ଲୋକଙ୍କୁ ଯେତିକି ସହଯୋଗ ମିଳିବା କଥା ତାହା ମିଳୁନି। ଗତ ୫୫ ମାସ (୨୦୧୯ ଜାନୁଆରିରୁ ୨୦୨୩ ଜୁଲାଇ) ମଧ୍ୟରେ ଜିଲ୍ଲାରେ ହାତୀ ଆକ୍ରମଣରେ ୭୭ ଜଣଙ୍କ ଜୀବନ ଯାଇଛି। ଅର୍ଥାତ୍ ହାରାହାରି ହିସାବ କଲେ ପ୍ରତି ୨୧ ଦିନରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଜୀବନ ହରାଉଛନ୍ତି। ରାଉରକେଲା ବନଖଣ୍ଡରେ ସର୍ବାଧିକ ଲୋକଙ୍କ ଜୀବନ ଯାଇଛି। ଗତ ୫୫ ମାସରେ ରାଉରକେଲା ବନଖଣ୍ଡରେ କେବଳ ୩୧ ଜଣଙ୍କ ଜୀବନ ଯାଇଛି। ୨୦୧୯ରେ ୩ ଜଣ ମୃତ୍ୟୁବରଣ କରିଥିବାବେଳେ ୨୦୨୦ରେ ୮, ୨୦୨୧ରେ ୮, ୨୦୨୨ରେ ୧୦ ଓ ୨୦୨୩ ଜୁଲାଇ ସୁଦ୍ଧା ୨ ଜଣଙ୍କର ମୃତ୍ୟୁ ହୋଇଛି।
ବଣାଇ ବନଖଣ୍ଡରେ ମୋଟ ୨୭ ଜଣ ପ୍ରାଣ ହରାଇଛନ୍ତି। ୨୦୧୯ରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ୨୦୨୦ରେ ଜଣେ, ୨୦୨୧ରେ ୯, ୨୦୨୨ରେ ୮ ଓ ୨୦୨୩ ଜୁଲାଇ ସୁଦ୍ଧା ୬ ଜଣଙ୍କର ଜୀବନ ଯାଇଛି। ସୁନ୍ଦରଗଡ଼ ବନଖଣ୍ଡରେ ୧୯ ଜଣଙ୍କର ଜୀବନ ଯାଇଛି। ୨୦୧୯ରେ ୩, ୨୦୨୦ରେ ୧, ୨୦୨୧ରେ ୬, ୨୦୨୨ରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନଙ୍କ ମଧ୍ୟରେ ପ୍ରାୟତଃ ସମସ୍ତେ ଗରିବ ଶ୍ରେଣୀର ଚାଷୀ ଓ ଖଟିଖିଆ ମେହନତି ମଣିଷ। ହାତୀ ଉପଦ୍ରବ ହେଉଥିବା ଗାଁ’ ଗୁଡ଼ିକୁ ରାଉରକେଲା, ସୁନ୍ଦରଗଡ଼ ଓ ବଣାଇ ବନଖଣ୍ଡ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ଦିଆନଗଲେ, ଏମିତି ନିରୀହ ଲୋକଙ୍କ ଜୀବନ ଯାଉଥିବ, ଏଥିରେ ଦ୍ବିମତ ନାହିଁ।