ଗାଁ ମୁହାଁ ହେବା ହାତୀଙ୍କ ପାଇଁ କାଳ ପାଲଟିଛି, ୪ ବର୍ଷରେ ହାତୀଙ୍କ ସଂଖ୍ୟା ୪୨ରୁ ୩୫କୁ ହ୍ରାସ

ଖୋର୍ଦ୍ଧା : ବର୍ଷା ଋତୁରେ ହାତୀ ଗାଁ ମୁହାଁ ହେବା ଏକ ଅସ୍ୱାଭାବିକ ଘଟଣା, କିନ୍ତୁ ବର୍ତମାନ ଖୋର୍ଦ୍ଧା ଜିଲ୍ଲାରେ ଏହା ଦେଖିବାକୁ ମିଳିଛି । ଗତ ୩-୪ ଦିନ ଧରି ହାତୀ ପଲ ବର୍ତମାନ ଟାଙ୍ଗୀ, ନିରାକାରପୁର, ଖୋର୍ଦ୍ଧାର ବିଭିନ୍ନ ଜନବସତି ନିକଟରେ ଘୂରି ବୁଲୁଥିବା ଦେଖିବାକୁ ମିଳିଥିବା ବେଳେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ।
ଗତ ୨୦ ତାରିଖ ଠାରୁ ଏକ ୮ ସଦସ୍ୟ ବିଶିଷ୍ଟ ହାତୀ ପଲ ଜଙ୍ଗଲ ଛାଡ଼ି ଟାଙ୍ଗୀ ଓ ଖୋର୍ଦ୍ଧା ଅଂଚଳରେ ଘୂରିବୁଲୁଛନ୍ତି ।

ବନ ବିଭାଗର ସୂଚନାନୁସାରେ, ଏହି ହାତୀପଲରେ ୪ଟି ଦନ୍ତା ହାତୀ ରହିଛନ୍ତି । ୨୦୧୭-୧୮ ଗଣନାରେ ଟାଙ୍ଗୀ ଓ ନିରାକାରପୁର ଅଂଚଳରେ ରହୁଥିବା ହାତୀ ପଲରେ ୪୨ଟି ହାତୀ ରହିଥିଲେ । ବର୍ତମାନ ଗଣନାରେ ଏହା ୩୫କୁ ହ୍ରାସ ପାଇଛି । କେବଳ ଏହାନୁହେଁ ଗତ ୪ ବର୍ଷ ଧରି ଏହି ହାତୀ ପଲ ଟାଙ୍ଗୀର ନିରାକାରପୁର, ଗୟାବନ୍ଧ, ଡମଣଭୂଇଁ, ୍ଜଙ୍କିଆ, ବାଲିଗାଡ଼ିଆ, ମୋଟା, ହଜ, ସିକୋ, ଲେଣ୍ଡୋ, ରାମେଶ୍ୱର, ଛଣଗିରି ଏବଂ ଖୋର୍ଦ୍ଧାର ଜରିପୁଟ, ଦେଉଳଟାଙ୍ଗୀ, କାଇପଦର, ଶରଧାପୁର, ଛତିପୁର, ଦଳେଇପୁଟ ଆଦି ଅଂଚଳରେ ସ୍ଥାୟୀ ଭାବେ ରହିବା ଦେଖିବାକୁ ମିଳିଛି । ଗତକାଲି ରାତିରେ ୧ ବର୍ଷ ମଧ୍ୟରେ ୪ର୍ଥ ଥର ପାଇଁ ହାତୀ ଖୋର୍ଦ୍ଧା ସହର ମଧ୍ୟକୁ ପ୍ରବେଶ କରିଥିବା ବେଳେ ବନ ବିଭାଗ ଗୋଟିଏ ଦନ୍ତାହାତୀଙ୍କୁ ଜରିପୁଟ ଆଡ଼େ ଘଉଡ଼ାଇବାରେ ସକ୍ଷମ ହୋଇଛି ।

ହାତୀ ସାଧାରଣତଃ ଧାନ କଟା ଓ ଫସଲ ଅମଳ ସମୟରେ, କିମ୍ବା ଗ୍ରୀଷ୍ମଋତୁରେ ଜଙ୍ଗଲରେ ଯେତେବେଳେ ପାଣି ଓ ଖାଦ୍ୟର ଅଭାବ ଯୋଗୁଁ ଖାଦ୍ୟ ଅନ୍ୱେଷଣରେ ଜନବସତି ନିକଟକୁ ଚାଲିଆସିଥାନ୍ତି । କିନ୍ତୁ ଚଳିତ ବର୍ଷ ବର୍ଷା ଋତୁରେ ଏଭଳି ଜନବସତିକୁ ଆସିବା ଏକ ଅସ୍ୱାଭାବିକ ଘଟଣା ବୋଲି ପରିବେଶବିତ୍ ଓ ପ୍ରକୃତିପ୍ରେମୀମାନେ ମତ ଦେଇଛନ୍ତି । ଏନେଇ ପୂର୍ବତନ ବିଧାୟକ ତଥା ପ୍ରେରଣା ଗ୍ରୀନ୍ ଆର୍ମିର ମୁଖ୍ୟ ଦିଲୀପ ଶ୍ରୀଚନ୍ଦନ କହିଛନ୍ତି ଯେ ତାଙ୍କ ଗାଁ ଗୟାବନ୍ଧରେ ହାତୀ ନିୟମିତ ଚଳପ୍ରଚଳ କରେ । ସେ ସେମାନଙ୍କ ଗତିବିଧିକୁ ଅନେକ ବର୍ଷ ଧରି ଲକ୍ଷ୍ୟ କରିଛନ୍ତି । ଜଙ୍ଗଲ ପରିମାଣ ହ୍ରାସ ତ ଏକ ସମସ୍ୟା ଥିଲା ବର୍ତମାନ ବର୍ଷା ଅଭାବ ଆଉ ଏକ ସମସ୍ୟା ହୋଇ ଆସିଛି । ଫଳରେ ହାତୀ ଜଙ୍ଗଲ ଛାଡ଼ି ଏହି ସମୟରେ ଜନବସତି ଆଡ଼କୁ ଚାଲିଆସୁଛନ୍ତି । ସେହିଭଳି ପରିବେଶବିତ୍ ଧନେଶ୍ୱର ବିଧାର କହିଛନ୍ତି ଯେ ଜଙ୍ଗଲରେ ହାତୀଙ୍କ ରହିବା ପାଇଁ ଯେଉଁ ପ୍ରାକୃତିକ ପାରିପାଶ୍ୱିର୍କ ବ୍ୟବସ୍ଥା ରହିବା କଥା ତାହା ବିଗିଡ଼ିଯାଇଛି । ଆଉ ସେଠାରେ ସେମାନଙ୍କୁ ଆବଶ୍ୟକ ଖାଦ୍ୟ ମିଳୁନାହିଁ । ଫଳରେ ସେମାନେ ଜଙ୍ଗଲ ଛାଡ଼ି ଗାଁ ମୁହାଁ ହେଉଛନ୍ତି । କେବଳ ଏହାନୁହେଁ, ଦୀର୍ଘ ଦଶନ୍ଧୀ ପୂର୍ବେ ଖୋର୍ଦ୍ଧା ଉପକଣ୍ଠରେ ଜଙ୍ଗଲ ରହିଥିଲା ଏଣୁ ହାତୀ ଆସୁଥିଲେ, ବର୍ତମାନ ଜଙ୍ଗଲ ନାହିଁ, କିନ୍ତୁ ହାତୀ ସହର ମଧ୍ୟକୁ ଚାଲିଆସୁଛନ୍ତି ।

ସମ୍ବନ୍ଧିତ ଖବର