ଉଦ୍ଧାର ହେଲା ଗାତରେ ପଡ଼ିଥିବା ବଣୁଆ ହାତୀ

ପାଲଲହଡ଼ା: ପାଲଲହଡ଼ା ବ୍ଲକ ଖମାର ରେଞ୍ଜ ଶଙ୍ଖମୁର ପଞ୍ଚାୟତ ବେଶଳିୟା ଜଙ୍ଗଲରେ ଏକ ହାତୀ ଗାତରେ ପଡ଼ି ଗତ ଶନିବାରଠାରୁ ଛଟପଟ ହେଉଥିଲା । ଖବର ପାଇଁ ବନବିଭାଗ ହାତୀକୁ ଉଦ୍ଧାର କରିଥିଲା । ତେବେ ଉଦ୍ଧାର ହେବା ପରେ ହାତୀ ଗାଁ ମୁହାଁ ହୋଇ ଦୁଇ ଭାଇଭଉଣୀଙ୍କୁ ଆକ୍ରମଣ କରିବାରୁ ସେମାନେ ଆହତ ହୋଇ ଚିକିତ୍ସିତ ହେଉଥିବା ଖବର ହସ୍ତଗତ ହୋଇଛି ।

ମିଳିଥିବା ସୂଚନା ମୁତାବକ, ଗତ ଶନିବାର ରାତିରୁ ହିଁ ହାତୀଟି ଗାତରେ ପଡ଼ି ଛଟପଟ ହେଉଥିଲା । ଖମାର ବନ ବିଭାଗ ପକ୍ଷରୁ ରାତି ପାଟ୍ରୋଲିଂ ବେଳେ ହାତୀଟି ଖାଲରେ ପଡ଼ିଥିବା କଥା ଜଣାପଡ଼ିଥିଲା । ଗାତରୁ ହାତୀଟି ଉଠି ନପାରି ଛଟପଟ ହେଉଥିଲା ।  ବନ ବିଭାଗ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ଉଦ୍ଧାର କାମ ଆରମ୍ଭ କରିଥିଲା । ଏକ ଜେସିବି ମେସିନ ଲଗାଇ ଗାତ ବାହାରକୁ ରାସ୍ତା କରିଥିଲା । ଦୀର୍ଘ ସମୟର ପରିଶ୍ରମ ପରେ ହାତୀ ଗାତରୁ ବାହାରି ଶଙ୍ଖମୁର ଗାଁ ଆଡ଼କୁ ମୁହାଁଇଥିଲା। ଏହି ସମୟରେ ଗାଁ ନିକଟରେ ଶଙ୍ଖମୁର ଗାଁ ଭାଇ ଭଉଣୀ ଅଶାନ୍ତି ବେହେରା (୩୨) ଓ ମୁରଲୀଧର ବେହେରା(୩୦) ମହୁଲ ଗୋଟାଉଥିଲେ । ବଣୁଆ ହାତୀ ଆକ୍ରମଣରେ ଉଭୟ ଭାଇ ଭଉଣୀ ଆହତ ହୋଇ ଖମାରର ଏକ ନର୍ସିଂହୋମ୍‌ରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର