ସମ୍ବଲପୁର ଜିଲ୍ଲାରେ ବଢ଼ିବ ହାତୀ ସଂରକ୍ଷଣ ଅଞ୍ଚଳ, ୧୩୭୨ ବର୍ଗ କିମି ସମ୍ପ୍ରସାରଣ ପାଇଁ ଡିପିଆର୍‌ ଦା‌ଖଲ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଗତ ୩ ବର୍ଷ ମଧ୍ୟରେ ହାତୀ-ମଣିଷ ଲଢ଼େଇରେ ୫ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ସମୟରେ ପ୍ରାୟ ୧୦ ଟି ହାତୀଙ୍କ ମୃତ୍ୟୁ ଘଟିଲାଣି। ତେଣୁ ଏହି ‌ଲଢ଼େଇକୁ ନିୟନ୍ତ୍ରଣ କରିବା ସହ ହାତୀଙ୍କୁ ଗାଁ ଠାରୁ ଦୂରେଇ ରଖିବା ପାଇଁ ସଂରକ୍ଷିତ ଜଙ୍ଗଲର ଆୟତନ ବୃଦ୍ଧି ଆବଶ୍ୟକ ହୋଇପଡ଼ିଛି। ଏହାକୁ ଆଖି ଆଗରେ ରଖି ଚଳିତ ବର୍ଷ ଏସିଆନ୍‌ ନାଚୁରାଲ ୱାଇଲ୍ଡଲାଇଫ୍‌ କନଜରଭେସନ୍‌ ନାମକ ଏକ ସଂସ୍ଥା ପକ୍ଷରୁ ସର୍ଭେ କରାଯାଇଥିଲା। ଯେଉଁଥିରେ ସମ୍ବଲପୁର ସର୍କଲରେ ହାତୀ ସଂରକ୍ଷିତ ଜଙ୍ଗଲର ଆୟତନ ବୃଦ୍ଧି କରାଯିବାର ଆବଶ୍ୟକତା ରହିଥିବା ନେଇ ରିପୋର୍ଟ ଦିଆଯାଇଛି। ଏହା ଆଧାରରେ ସର୍କଲରେ ହାତୀ ସଂରକ୍ଷିତ ଜଙ୍ଗଲର ଆୟତନକୁ ୧୭୯୮ କିମି ଯାଏ ବୃଦ୍ଧି କରିବା ପାଇଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସରକାରଙ୍କ ନିକଟରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର୍‌) ଦାଖଲ କରାଯାଇଥିବା ଆର୍‌ସିସିଏଫ୍‌ ଚିତ୍ତରଞ୍ଜନ ମିଶ୍ର ସୂଚନା ପ୍ରଦାନ କରିଛନ୍ତି।

ଚଳିତ ମାସରେ ସମ୍ବଲପୁର ଜିଲ୍ଲାରେ ଟ୍ରେନ୍‌ ଧକ୍କାରେ ୨ ହାତୀଙ୍କ ମୃତ୍ୟୁ ଓ ଗତ ମାସରେ ବିଦ୍ୟୁତ୍‌ ଆଘାତରେ ଗୋଟିଏ ହାତୀ ମୃତ୍ୟୁ ପରେ ଏହି ପ୍ରସଙ୍ଗ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛି। ହାତୀଙ୍କ ସୁରକ୍ଷା ପାଇଁ ସଂରକ୍ଷିତ ଜଙ୍ଗଲର ଆୟତନ ବୃଦ୍ଧି କରାଯାଇ ଉକ୍ତ ଅଞ୍ଚଳରେ ପାଟ୍ରୋଲିଂ କଡ଼ାକଡ଼ି କରିବା ସହ ସେମାନଙ୍କ ଉପରେ ନଜର ରଖିବାକୁ ନିଷ୍ପତ୍ତି ନିଆଯାଇଛି। ହାତୀଙ୍କ ମୁକ୍ତ ବିଚରଣ ପାଇଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ହାତୀ ସଂରକ୍ଷିତ ଜଙ୍ଗଲ ସ୍ଥିର କରାଯାଇଥାଏ। ଯେତିକି ଅଞ୍ଚଳକୁ ହାତୀ ସଂରକ୍ଷିତ ଜଙ୍ଗଲ ଭାବେ ବିବେଚନା କରାଯାଏ ସେହି ଅନୁସାରେ, ହାତୀ ପରିଚାଳନା ପାଇଁ ସରକାରଙ୍କ ପକ୍ଷରୁ ପାଣ୍ଠି ଯୋଗାଇ ଦିଆଯାଇଥାଏ।

ଯେଉଁଥିରେ ହାତୀ ବିଚରଣ କରୁଥିବା ଜଙ୍ଗଲ ମଧ୍ୟସ୍ଥ ଗାଁ ଗୁଡ଼ିକରେ ସୋଲାର୍‌ ଫେନ୍ସିଂ, ଟ୍ରେଞ୍ଚ ଫେନ୍ସିଂ, ଆଲୋକୀକରଣ ଆଦିର ବ୍ୟବସ୍ଥା କରାଯାଇଥାଏ।। ୨୦୦୨ ମସିହାରେ ସମ୍ବଲପୁର ଜିଲ୍ଲାରେ ୪୨୬ ବର୍ଗ କିମି ଅଞ୍ଚଳରେ ବିଶେଷ କରି ହାତୀ ବୁଲାବୁଲି କରୁଥିବାରୁ ବଡ଼ରମା-ଖଳାଶୁଣୀ ଅଭୟାରଣ୍ୟର ଉକ୍ତ ଅଞ୍ଚଳକୁ ହାତୀ ସଂରକ୍ଷିତ ଜଙ୍ଗଲ ଭାବେ ଘୋଷଣା କରାଯାଇଥିଲା। ମାତ୍ର ଇତି ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ହାତୀ ବିଚରଣ ସ୍ଥାନରେ ବେଶ୍‌ ବୃଦ୍ଧି ପାଇଛି। ତେଣୁ ଏହି ହାତୀ ସଂରକ୍ଷିତ ଅଞ୍ଚଳରେ ୧୩୭୨ ବର୍ଗ କିମି ବୃଦ୍ଧି କରାଯାଇ ୧୭୯୮ ବର୍ଗ କିମି କରାଯିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତେବେ ଏହି ହାତୀ ସଂରକ୍ଷିତ ଜଙ୍ଗଲ ସଂମ୍ପ୍ରସାରଣରେ ଦେବଗଡ଼ ଓ ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ମଧ୍ୟ କିଛି ଅଞ୍ଚଳ ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।

ସେପଟେ, ସାଧାରଣତଃ ବାର୍ଷିକ ହାତୀ ସଂଖ୍ୟାରେ ପ୍ରାୟ ୪ ପ୍ରତିଶତ ବୃଦ୍ଧି ହୋଇଥାଏ। ୨୦୧୭ ମସିହାରେ ଜିଲ୍ଲାରେ ୧୮୫ଟି ହାତୀ ରହିଥିଲେ। ସେ ଅନୁସାରେ, ବର୍ତ୍ତମାନ ସମ୍ବଲପୁର ଜିଲ୍ଲାରେ ପ୍ରାୟ ୨ଶହ ହାତୀ ରହିଥିବା ଅନୁମାନ କରାଯାଉଛି। ମାତ୍ର ୨୦୧୭ ମସିହାରୁ ହାତୀ ଗଣନା ହୋଇନଥିବାରୁ ବର୍ତ୍ତମାନ ଜିଲ୍ଲାରେ ହାତୀ ସଂଖ୍ୟା କେତେ ରହିଛି ତାହା କହିବା ମୁସ୍କିଲ ବୋଲି ଆର୍‌ସିସିଏଫ୍‌ ଶ୍ରୀ ମିଶ୍ର କହିଛନ୍ତି। ସମ୍ବଲପୁର ସର୍କଲରେ ସ୍ଥାୟୀ ହାତୀଙ୍କ ସଂଖ୍ୟା କମ୍‌ ରହିଥିବା ସମୟରେ ବାହାର ହାତୀ ବେଶ୍‌ ଅଧିକ ରହୁଛନ୍ତି। ଅନେକ ସମୟରେ ଛତିଶଗଡ଼, ଝାଡ଼ଖଣ୍ଡର ହାତୀ ମଧ୍ୟ ଏଠାକୁ ଆସୁଥିବା ଦେଖିବାକୁ ମିଳିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର