ଯାଜପୁରକୁ ପୁଣି ଫେରିଲା ନରହନ୍ତା ଦନ୍ତା, ମହାବିନାୟକ ସଂରକ୍ଷିତ ଜଙ୍ଗଲ ଫାର୍ମରେ ରଖାଯାଇ କରାଯିବ ଚିକିତ୍ସା

ଯାଜପୁର: ନରହନ୍ତା ଦନ୍ତା ହାତୀ ପୁଣି ଥରେ ଯାଜପୁରକୁ ଫେରିଛି। ଏହି ହାତୀକୁ ଏବେ ଚଣ୍ଡିଖୋଲ ନିକଟ ମହାବିନାୟକ ସଂରକ୍ଷିତ ଜଙ୍ଗଲ ଫାର୍ମ ହାଉସରେ ଅସ୍ଥାୟୀ ଭାବେ ରଖାଯାଇଛି। ଏଠାରେ ରଖାଯାଇ ଚିକିତ୍ସା କରାଯିବ। ପୂର୍ବରୁ ଏହି ହାତୀକୁ ଡାଳିଯୋଡ଼ା ରେଞ୍ଜ କୁଶୁନପୁରକୁ ନିଆଯାଉଥିଲା। କିନ୍ତୁ ବାଟରେ ଲୋକମାନେ ତୀବ୍ର ବିରୋଧ କରିବା ପରେ ହାତୀକୁ ପୁଣି ଥରେ ଯାଜପୁରକୁ ଫେରାଇ ନିଆଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଚଣ୍ଡିଖୋଲ ରେଞ୍ଜ ଅନ୍ତର୍ଗତ ଦାନଗଦୀରେ ଦନ୍ତା ଉପଦ୍ରବ କରିବା ସହ ଚାରିଜଣଙ୍କ ଜୀବନ ନେଇଥିଲା। ହାତୀ ଆକ୍ରମଣରେ କିଛି ଲୋକେ ଆହତ ହୋଇଥିଲେ। ଗତକାଲି ରାତିରେ ବନ ବିଭାଗ ପକ୍ଷରୁ ହାତୀକୁ ଟ୍ରାଙ୍କୁଲାଇଜ କରାଯାଇଥିବା ବେଳେ ଆଜି କଟକ ଅଭିମୁଖେ ନିଆଯାଇ ଥିଲା।

ଆଜି ହାତୀକୁ ଚଣ୍ଡିଖୋଲ ଅଣାଯାଇଛି। ମହାବିନାୟକ ଠାରେ ଏକ ନର୍ସରୀରେ ହାତୀକୁ ରଖାଯାଇ ତାର ଚିକିତ୍ସା କରାଯାଉଛି। ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଚିକିତ୍ସା ପରେ ହାତୀକୁ ନନ୍ଦନକାନନ ନିଆଯିବ ବୋଲି ଜଣାପଡିଛି। ବିଭାଗୀୟ ଅଧିକାରୀଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର