ହାତୀଙ୍କ ପାଇଁ ଅସୁରକ୍ଷିତ ଆଠଗଡ଼ ବନଖଣ୍ଡ, ବଡ଼ମ୍ବା ଚନ୍ଦ୍ରଗିରି ପାହାଡ଼ ତଳେ ଦନ୍ତାହାତୀର ମୃତଦେହ ଜବତ

କଟକ: ମାଟି ‌ତଳେ ପୋତି ଦିଆଯାଇଥିବା ଏକ ଦନ୍ତାହାତୀର ମୃତଦେହକୁ ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ବଡ଼ମ୍ବା ରେଞ୍ଜରୁ ଜବତ କରାଯାଇଛି। କ୍ରାଇମବ୍ରାଞ୍ଚ୍‌ ଏସ୍‌ଟିଏଫ୍‌ ଟିମ୍ ଆଜି ବଡ଼ମ୍ବା ରେଞ୍ଜ ଗୋପପୁର ସେକ୍ସନର ଚନ୍ଦ୍ରଗିରି ଜଙ୍ଗଲରେ ପହଞ୍ଚି ଖୋଳତାଡ଼ କରିବା ସହିତ ହାତୀ କଙ୍କାଳ ଜବତ କରିଛି। ମାଜିଷ୍ଟ୍ରେଟ୍‌ ଓ ବନବିଭାଗର ଉପସ୍ଥିତିରେ ଚନ୍ଦ୍ରଗିରି ପାହାଡ଼ର ତଳ ଅଞ୍ଚଳରୁ ହାତୀର ଗଳିତ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ମାସକ ପୂର୍ବରୁ ହାତୀଟିକୁ ପୋତା ଯାଇଥିବା ଏବଂ ଏହା ଏକ ଦନ୍ତା ହାତୀ ହୋଇଥିବା ସନ୍ଦେହ କରାଯାଉଛି। ଲୁଣ ଦେଇ ଅତି ସୁରକ୍ଷିତ ଭ‌ାବେ ଜେସିବିରେ ଖାତ ଖୋଳାଯାଇ ହାତୀକୁ ପୋତାଯାଇଛି। ଆଜି ଯେଉଁ ସ୍ଥାନରେ ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଛି, ତାର ୧୦ କିଲୋମିଟର ଦୂରତା ମଧ୍ୟରେ ଆଉ ଏକ ହାତୀକୁ ମାରି ମାଟି ତଳେ ପୋତି ଦିଆଯାଇଥିବା ସନ୍ଦେହ କରାଯାଉଛି। ଆଜି ସନ୍ଧ୍ୟା ହୋଇଯିବାରୁ ଆସନ୍ତାକାଲି ସକାଳୁ ସନ୍ଦେହ କରାଯାଉଥିବା ସ୍ଥାନରେ ଏସ୍‌ଟିଏଫ୍‌ ଟିମ୍‌ ଖୋଳତାଡ କରିବ ବୋଲି ଜଣାପଡିଛି। ହାତୀକୁ ଲୁଣ ଦେଇ ପୋତାଯାଇଥିବାବେଳେ ହାତୀର ବିଭିନ୍ନ ହାଡରେ ପୋଡା ଚିହ୍ନ ରହିଛି। ପାଖରେ ପାଳ, ନଡା ମଧ୍ୟ ରହିଛି।

ଫଳରେ ହାତୀକୁ ପୋତିବା ସମୟରେ ପୋଡିବା ପାଇଁ କିଛି କେମିକାଲ ପକାଯାଇଥିବା ସନ୍ଦେହ କରାଯାଉଛି। ଗତ ଫେବ୍ରୁଆରି ମାସରେ ନରସିଂହପୁର ପଶ୍ଚିମାଞ୍ଚଳ ରେଞ୍ଜରେ ମଧ୍ୟ ଏସ୍‌ଟିଏଫ୍‌ ଟିମ୍‌ ସମାନ ଢଙ୍ଗରେ ଚଢଉ କରି ହାତୀର ଗଳିତ ମୃତଦେହ ମାଟି ତଳୁ ଜବତ କରିଥିଲା। ଏହି ଘଟଣାରେ ସେତେବେଳେ ରେଞ୍ଜର ଅଶୋକ ବେହେରାଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିଲା। ଆଠଗଡ଼ ବନଖଣ୍ଡରେ ଏଭଳି ଗୋଟିଏ ପରେ ଗୋଟିଏ ଦନ୍ତାହାତୀଙ୍କ ମୃତଦେହ ମାଟିତଳୁ ବାହାରିବା ଘଟଣା ହାତୀ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ଏସ୍‌ଟିଏଫ୍‌ ଏସ୍‌ପି ବିଳାସିନୀ ନାୟକଙ୍କ ନେତୃତ୍ବରେ ୮ଜଣିଆ ଟିମ୍‌ ଆଜି ବଡମ୍ବାରେ ପହଞ୍ଚି ଏ ସଂପର୍କରେ ଖୋଳତାଡ ଜାରି ରଖିଛନ୍ତି। ବଡମ୍ବା ରେଞ୍ଜର ସୁରେଶ କୁମାର ଷଡଙ୍ଗୀ,ବଡମ୍ବା ବିଭିଓ ମଧୁସୂଦନ ଦାସ, ବଡମ୍ବା ତହସିଲର କନିଷ୍ଠ ରାଜସ୍ବ ସହାୟକଙ୍କ ଉପସ୍ଥିତିରେ ଚନ୍ଦ୍ରଗିରି ପାହାଡ ପାଦଦେଶରେ ଥିବା ବିଲକୁ ଜେସିବି ସାହାଯ୍ୟରେ ଖୋଳାଯାଇଥିବାବେଳେ ହାତୀର ଖଣ୍ଡବିଖଣ୍ଡିତ ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଖନନ ସମୟ‌ରେ ବନ୍ୟପ୍ରାଣୀ ତତ୍ବାବଧାରକ ଶୁଭେନ୍ଦୁ ମଲ୍ଲିକ, ପଶୁପ୍ରେମୀ ତଥା ସୁରକ୍ଷା କର୍ମୀ ପୂରବୀ ପାତ୍ର ମଧ୍ୟ ଉପସ୍ଥିତ ଥିଲେ। ଏହି ହାତୀର ବୟସ ୧୧ ବର୍ଷ ପାଖାପାଖି ହେବ ବୋଲି ବିଭିଓଙ୍କ ସୂତ୍ରରୁ ଜଣାପଡିଛି। ଅନ୍ୟପଟେ ଏ ଘଟଣାରେ ବନବିଭାଗର କୌଣସି ସଂପୃକ୍ତି ନାହିଁ, ଘଟଣାର ତଦନ୍ତ କରାଯିବ ବୋଲି ଆଠଗଡ଼ ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି। କିନ୍ତୁ ନରସିଂହପୁରରେ ମାଟିତଳୁ ହାତୀ କଙ୍କାଳ ଉଦ୍ଧାର ଘଟଣାକୁ ୪ ମାସ ବିତିଯାଇଥିଲେ ବି ତଦନ୍ତ ଆଗକୁ ବଢୁ ନଥିବାରୁ ଏଭଳି ଖୋଳତାଡ଼ର ଭବିଷ୍ୟକୁ ନେଇ ବି ଆଶଙ୍କା ସୃଷ୍ଟି ହେଉଛି।

ସମ୍ବନ୍ଧିତ ଖବର