କଟକ: ଯେଉଁଠି ଖୋଳିଲେ ସେଠି ବାହାରୁଛି ହାତୀ କଙ୍କାଳ। କଙ୍କାଳ, ହାଡ଼ ସବୁ ବାହାରୁଛି। ପରୀକ୍ଷା ପାଇଁ ଓୟୁଏଟି ପାଇଁ ପଠାଯାଉଛି ନମୁନା। ହେଲେ ତାର ଫରେନ୍ସିକ୍ ରିପୋର୍ଟ ଆସୁନି। ଫଳରେ କେବେଠୁ ହାତୀ ମୃତ୍ୟୁ ହେଲାଣି, ସେ ନେଇ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିପାରୁନି। କେବଳ ଉପରଠାଉରିଆ ଭାବେ ହାତୀ ମୃତ୍ୟୁକୁ ନେଇ ଚର୍ଚ୍ଚା ହେଉଛି। କେବଳ ଗିରଫଦାରୀ ଓ ନିଲମ୍ବନରେ ସୀମିତ ରହୁଛି ହାତୀ କଙ୍କାଳ ଉଦ୍ଧାର ରହସ୍ୟ। ଆଠଗଡ଼ ବନଖଣ୍ଡରୁ ବଡମ୍ବାରୁ ୪ଟି ଓ ନରସିଂହପୁରରୁ ଗୋଟିଏ ହାତୀ କଙ୍କାଳ ଉଦ୍ଧାର ହୋଇଥିବାବେଳେ କେବେଠୁ ହାତୀଙ୍କୁ ମାରି ପୋତାଯାଇଛି ତାର ରିପୋର୍ଟ ସାର୍ବଜନୀନ ହୋଇପାରୁନି।
ଅନ୍ୟପଟେ ସୂଚନା ଅଧିକାର ତଥ୍ୟ ଅନୁସାରେ, ୨୦୦୦ରୁ ୨୦୨୧ଡିସେମ୍ବର ସୁଦ୍ଧା ୧୧ଟି ହାତୀ ଶିକାର ହୋଇଛି। ସେଥିରୁ ଖୁଣ୍ଟୁଣୀ ରେଞ୍ଜରୁ ୨, ବଡ଼ମ୍ବା ବନାଞ୍ଚଳରୁ ୩, ନରସିଂହପୁର ପୂର୍ବ ରେଞ୍ଜରୁ ୨ ଓ ନରସିଂହପୁର ପଶ୍ଚିମାଚଂଳର ୪ଟି ହାତୀଙ୍କୁ ଶିକାର କରାଯାଇଥିବା ତଥ୍ୟ କହୁଛି।
କିନ୍ତୁ ଆଠଗଡ ବନଖଣ୍ଡରୁ ଯେଉଁଭଳିଭାବେ କଙ୍କାଳ ସବୁ ମାଟିତଳୁ ଉଦ୍ଧାର କରାଯାଉଛି ଓ ଏସ୍ଟିଏଫ୍ ଯେଉଁଭଳି ଖୋଳତାଡ କରୁଛି, ଏହାକୁ ଦେଖିଲେ ସୂଚନା ଅଧିକାରରେ ମିଳିଥିବା ତଥ୍ୟ ଭୁଲ ବୋଲି ଏବେ ସନ୍ଦେହ ସୃଷ୍ଟି ହେଲାଣି। ଅନ୍ୟପଟେ ହାତୀ କଙ୍କାଳ ଉଦ୍ଧାର ଘଟଣାରେ ନିଲମ୍ବନ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଏବେ ଏମିତି ସ୍ଥିତି ଯେ, ଆଠଗଡ଼ ରେଞ୍ଜର ଶାରୀରିକ ଅସୁସ୍ଥତାରୁ ଛୁଟିରେ ଥିବାରୁ ଉଭୟ ଆଠଗଡ଼ ଓ ବଡ଼ମ୍ବା ରେଞ୍ଜ ଅଧିକାରୀ ଶୂନ୍ୟ। ନରସିଂହପୁର ପୂର୍ବ ଓ ଖୁଣ୍ଟୁଣୀ ରେଞ୍ଜରେ ଡେପୁଟି ରେଞ୍ଜ ଦାୟିତ୍ବରେ ରହିଛନ୍ତି। ଏବେ କେବଳ ୫ଟି ରେଞ୍ଜରୁ ନରସିଂହପୁର ପଶ୍ଚିମାଞ୍ଚଳ ରେଞ୍ଜର ରହିଛନ୍ତି। ଇତିମଧ୍ୟରେ ହାତୀ କଙ୍କାଳ ଉଦ୍ଧାର ଘଟଣାରେ ଜଣେ ରେଞ୍ଜର, ୩ଜଣ ଫରେଷ୍ଟର, ୪ଜଣ ଫରେଷ୍ଟଗାର୍ଡଙ୍କୁ ନିଲମ୍ବିତ କରାଯାଇଛି। ଏଥିସହ ୩ଜଣ ଫରେଷ୍ଟଗାର୍ଡ ଓ ୫ଜଣ ହାତୀ ଜଗୁଆଳିଙ୍କୁ ଗିରଫ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/Elephant-Sceliton.jpg)