ଥୁଆପାଲି: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ସିଂଢୋଲ ଜଙ୍ଗଲରୁ ମହାନଦୀ ପାର ହୋଇ ଭେଡ଼େନ ଅଂଚଳକୁ ପଶି ଆସିଥିବା ହାତୀପଲ ଗୁରୁବାର ଦ୍ବିତୀୟ ଦିନରେ ବିଭିନ୍ନ ଗାଁରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ସହ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛନ୍ତି। ବିଶେଷ କରି ଏହି ହାତୀପଲ ମହୁଲପାଲି, ସିଆଲଖଣ୍ଡହତା, ଋଷୁଡ଼ା ପଞ୍ଚାୟତର ଅନେକ ଗ୍ରାମରେ ବ୍ୟାପକ ମାତ୍ରାରେ କ୍ଷତି କରିଛନ୍ତି। ଅନେକ ଚାଷୀଙ୍କ ଧାନତଳି ହାତୀପଲ ଦଳିଚକଟି ନଷ୍ଟ କରି ଦେଇଛନ୍ତି। ବନବିଭାଗ ଓ ପୁଲିସ୍ ବିଭାଗ ପକ୍ଷରୁ ହାତୀପଲକୁ ଘଉଡ଼ାଇବାକୁ ଦିନରାତି ଚେଷ୍ଟା କରୁଥିଲେ ମଧ୍ୟ ହାତୀପଲ ଭେଡ଼େନ ଅଂଚଳରେ ତାଙ୍କର ଉପଦ୍ରବ ଜାରି ରଖିଛନ୍ତି।
ବୁଧବାର ରାତ୍ରିରେ ହାତୀପଲ ପପଙ୍ଗା, କୁତପାଲି, ବକଟି, କୁବେଡ଼େଗା, ତାଲମେଣ୍ଡା ଆଦି ପଞ୍ଚାୟତର ଅନେକ ଗ୍ରାମକୁ ଯାଇ ପୁଣି ବ୍ୟାପକ ମାତ୍ରାରେ ଧାନତଳି, ପନିପରିବା ଓ ଧାନ ପଲ୍ହା ଦଳିଚଟକି ନଷ୍ଟ କରିଦେଛନ୍ତି। ହାତୀ ଉପଦ୍ରବ ଯୋଗୁଁ ବକଟି ଗ୍ରାମର ଗନ୍ଧବ କର୍ଣ୍ଣଙ୍କ ଖଳାରେ ଥିବା ୧୯୦ ପ୍ୟାକେଟ୍ ଧାନ, ଘନଶ୍ୟାମ ନାଏକଙ୍କ ୧୨୦ ପ୍ୟାକେଟ୍ ଧାନ, ଜଗତ ସିଂହପୁରିଆଙ୍କ ୧୦ ପ୍ୟାକେଟ୍ ଶିଝା ଧାନ, ଉସତ ମେସୁଆଙ୍କ ୩୦ ପ୍ୟାକେଟ୍ ଶିଝା ଧାନ, ଲୋକନାଥ ମହାପାତ୍ରଙ୍କ ୧୦ ପ୍ୟାକେଟ୍ ଶିଝା ଧାନ, ସୂର୍ଯ୍ୟ ନାରାୟଣ ମେସୁଆଙ୍କ ୨୫ ପ୍ୟାକେଟ୍ ଶିଝା ଧାନ, ବିଜୟ ରଣାଙ୍କ ଗୋଟିଏ ଏକରର କୋବି ଚାଷକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଛନ୍ତି।
ସେହିପରି ତାଳମେଣ୍ଡା ଗ୍ରାମର ପ୍ରଦୀପ ସାହୁଙ୍କ ୩୫ ପ୍ୟାକେଟ୍ ଶିଝାଧାନ, ଯୁବରାଜ ଭୋଇଙ୍କ ୩୦ ପ୍ୟାକେଟ୍ ଶିଝାଧାନ, ଖପସିପାଲିର ସୁନ୍ଦର କଠାର ଓ ଅଶୋକ କଠାରଙ୍କ ଖଳାରେ ଥିବା ଧାନ ସମେତ ଆହୁରି ଆଖପାଖ ଗ୍ରାମରେ ବହୁ ଚାଷୀଙ୍କ ଧାନ, ପନିପରିବା ଓ ଧାନ ପଲ୍ହା ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି। କ୍ଷତି ହୋଇଥିବା ଗ୍ରାମମାନଙ୍କରେ ରାଜସ୍ବ ଓ କୃଷି ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି। ବର୍ତ୍ତମାନ ଏବେ ମଧ୍ୟ ହାତୀପଲ ବହଲପାଲି ଓ ନୂଆଗଡ଼ ମଧ୍ୟରେ ଥିବା ଜଙ୍ଗଲରେ ରହିଥିବା ଜଣାପଡିଛି। ହାତୀଙ୍କ ଗର୍ଜନରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଲାଗି ରହିଛି। ସମ୍ପୂର୍ଣ୍ଣ ଏରିଆକୁ ବନବିଭାଗ ଓ ପୁଲିସ ବିଭାଗ ଜଗି ରହିଛନ୍ତି। ଲୋକଙ୍କ ସୁରକ୍ଷା ଦୃଷ୍ଟିରେ ହାତୀପଲ ଥିବା ପାଖ ଗ୍ରାମମାନଙ୍କରେ ମଧ୍ୟ ପୁଲିସ୍ ଜଗି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/0b7f827e-06c5-4168-9bbc-ad8e6d3ef112.jpg)