ବର୍ଷ ତମାମ କଲବଲ କରୁଛନ୍ତି ଆନ୍ଧ୍ର-କଳାହାଣ୍ଡି-କନ୍ଧମାଳ ହାତୀ

ବଢ଼ୁନି ହାତୀବଂଶ, ବଢ଼ୁଛି ଦୌରାତ୍ମ୍ୟ

ରାୟଗଡ଼ା: ରାୟଗଡ଼ାରେ ବଢ଼ୁନି ହାତୀବଂଶ। କିନ୍ତୁ ବଢ଼ି ଚାଲିଛି ପଡୋଶୀ ହାତୀଙ୍କ ଦୌରାତ୍ମ୍ୟ। ବର୍ଷ ତମାମ ଜିଲ୍ଲାରେ କନ୍ଧମାଳ-କଳାହାଣ୍ଡି-ଆନ୍ଧ୍ର ହାତୀପଲଙ୍କ ଉପସ୍ଥିତି ଯୋଗୁ ଚାଷୀ କ୍ଷତି ସହୁଥିବା ବେଳେ ହାତୀଙ୍କୁ ଅନ୍ୟତ୍ର ଘଉଡାଇବା ପାଇଁ ବନ ବିଭାଗକୁ ନାକେଦମ୍ ହେବାକୁ ପଡୁଛି।

ଗତ ୩ ଦିନ ହେଲା ରାୟଗଡ଼ା ରେଞ୍ଜ ତଥା ଆନ୍ଧ୍ର ସୀମାନ୍ତରେ ୫ ଟିକିଆ ହାତୀପଲଙ୍କ ଉପସ୍ଥିତି ଚାଷୀଙ୍କ ଆଖିରୁ ନିଦ ହଜାଇ ଦେଇଛନ୍ତି। ରବିବାରରୁ ହାତୀପଲ ଓଡ଼ିଶା ମୁହାଁ ହୋଇଥିଲେ। ଗତକାଲି ଓଡ଼ିଶା ସୀମାରୁ ୬ କିମି ଦୂର ଦେବକଣା ଜଙ୍ଗଲରେ ହାତୀ ପଲ ଚକ୍କର୍ କାଟୁଥିବା ବେଳେ ଆଜି ୧୨ କିମି ଦୂର କମରଡ଼ା ଜଙ୍ଗଲରେ ରହିଛନ୍ତି। ସେହିପରି ମୁନିଗୁଡ଼ା ରେଞ୍ଜର ଇଚ୍ଛାପୁର ପଞ୍ଚାୟତରେ ଉପଦ୍ରବ ଜାରି ରଖିଥିବା ହାତୀପଲ ଆଜି କଳାହାଣ୍ଡି ମୁହାଁ ହୋଇଛନ୍ତି। ୨୦ରୁ ଉର୍ଧ୍ବ ହାତୀ କଳାହାଣ୍ଡି ବନଖଣ୍ଡ ବିଶ୍ବନାଥପୁର ରେଞ୍ଜର କାରସମା, ଗଜରାଜପୁର ଜଙ୍ଗଲରେ ପହଞ୍ଚିବା ପରେ ବିଶ୍ବନାଥପୁର-ମୁନିଗୁଡା ରେଞ୍ଜ ଅଧିକାରୀ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଛନ୍ତି।

ଧାନ ଏବଂ ଅନ୍ୟ ଫସଲ ଅମଳ ସମୟରେ ଚନ୍ଦ୍ରପୁର, ଗୁଡାରି, ମୁନିଗୁଡା, ବିଷମକଟକ, କଲ୍ୟାଣସିଂହପୁରକୁ କନ୍ଧମାଳ-କଳାହାଣ୍ଡି ହାତୀପଲ ପଶି ଫସଲ ଖାଇବା ପରେ ଚନ୍ଦ୍ରପୁର, ତେଲେଙ୍ଗାପଦର, କୁମୁଡାବାଲି, ପଦ୍ମପୁର, ହୁମାଗୁଞ୍ଜି, ଜଗଦଲପୁର, ଶ୍ରଦ୍ଧାପୁର ଦେଇ ବେଲଘର ଯାଉଥିଲେ। ସେଠାରୁ ପୁଣି ସାରକାପାଡି, କେଶରାପାଡି ଦେଇ ନିୟମଗିରିରେ ପହଞ୍ଚୁଛନ୍ତି। ଏହି ଦୃଷ୍ଟିକୋଣରୁ ରାୟଗଡ଼ା ବନ ବିଭାଗ ହାତୀଙ୍କ ଘଉଡାଇବା ପାଇଁ ତତ୍ପର ହୋଇଛି। ରାୟଗଡ଼ା ବନଖଣ୍ଡରେ ଥିବା ୮ଟି ହାତୀ ଗୁଡାରି ରେଞ୍ଜର ଶ୍ରଦ୍ଧାପୁର ଅଞ୍ଚଳରେ ଅଛନ୍ତି। ଗୁଡାରି-ଚନ୍ଦ୍ରପୁର ଜଙ୍ଗଲକୁ ଛାଡ଼ିଲେ ଏହି ହାତୀ ପଲ ଅନ୍ୟ କୁଆଡେ ଯାଉନଥିବା ବେଳେ ଆନ୍ଧ୍ର-ଓଡ଼ିଶା ସୀମା ରାୟଗଡ଼ା ଜଙ୍ଗଲରେ ଆନ୍ଧ୍ର ହାତୀ ପଲ, ମୁନିଗୁଡାରେ କନ୍ଧମାଳ ଏବଂ ନିୟମଗିରିରେ କଳାହାଣ୍ଡି ହାତୀପଲଙ୍କ ଦୌରାତ୍ମ୍ୟ ସୀମା ଟପୁଛି। କର୍ଲାପାଟ ଜଙ୍ଗଲରୁ ଆସୁଥିବା ହାତୀପଲ ଗୁମ୍ମା, ଲାମ୍ବା, ଡଙ୍ଗାମାଟି, ପଟାଙ୍ଗପଦର, ବଡଡେଙ୍ଗଲେଲି, ଡାଲିଆକୁଜି, ଦୁଆରଗୁଡ଼ି ଅଞ୍ଚଳରେ ଫସଲ ନଷ୍ଟ କରିବା ସହ ବାସଗୃହ, ସ୍କୁଲ ଘର ଭାଙ୍ଗି ଦେଉଛନ୍ତି।

ମୁନିଗୁଡାରେ କନ୍ଧମାଳ ହାତୀପଲ ବର୍ଷର ୩ ମାସ ଘୁରି ବୁଲୁଛନ୍ତି। ବେଲଘର ଜଙ୍ଗଲ ଦେଇ ହାତୀପଲ ବିଭିନ୍ନ ଗାଁରେ ପଶି ଧାନ ଫସଲ ଖାଉଛନ୍ତି। ଯାହାର କ୍ଷତିପୂରଣ ଭରଣା କରୁଛି ରାୟଗଡ଼ା ବନ ବିଭାଗ। ୨୦୧୯ରେ ଆନ୍ଧ୍ରରୁ ଆସିଥିବା ୭ ଜଣିଆ ହାତୀପଲ ମଧ୍ୟରୁ ଘଉଡାଇବା ସମୟରେ ସୀମାନ୍ତ ଗ୍ରାମରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିବା ବେଳେ ୨୦୧୮ ଜୁଲାଇରେ ଗୁଡାରି ରେଞ୍ଜର ତାବଲାଗୁଡା ଜଙ୍ଗଲରେ ଏକ ମାଈ ହାତୀର ମୃତ୍ୟୁ ହୋଇଥିଲା। ରାଜ୍ୟ ସରକାରଙ୍କ ୧୯୭୯ ହାତୀଗଣନା ରିପୋର୍ଟ ଅନୁଯାୟୀ ରାୟଗଡ଼ା ଜଙ୍ଗଲରେ ୧୦୨ ହାତୀ ଥିଲେ। ୧୯୯୯ ଗଣନା ବେଳକୁ ହାତୀ ସଂଖ୍ୟା ୧୦କୁ ଖସି ଆସିଥିଲା। ୨୦ ବର୍ଷ ମଧ୍ୟରେ ୯୨ ହାତୀ ରାୟଗଡ଼ାରୁ ନିଖୋଜ ହୋଇ ଯାଇଥିଲେ। ଏହି ସମୟ ମଧ୍ୟରେ ୯୨ ହାତୀ ପଡୋଶୀ ଜିଲ୍ଲା କିମ୍ବା ରାଜ୍ୟକୁ ଚାଲିଗଲେ ନାଁ ମୃତ୍ୟୁବରଣ କଲେ ତାର କୌଣସି ସୂଚନା ବନ ବିଭାଗ ପାଖରେ ନାହିଁ। ୨୦୦୭ ଗଣନା ବେଳକୁ ସଂଖ୍ୟା ବୃଦ୍ଧି ପାଇ ୨୪ରେ ପହଞ୍ଚିଥିଲା। ୨୦୧୦ରେ ପୁଣି ହ୍ରାସ ପାଇ ହାତୀ ସଂଖ୍ୟା ୧୨, ୨୦୧୨ରେ ୪, ୨୦୧୫ରେ ୯ ଏବଂ ୨୦୨୯ ରେ ୮ରେ ସୀମିତ ରହିଛି।

ସମ୍ବନ୍ଧିତ ଖବର