ସୁନ୍ଦରଗଡ଼: ଘର ଭାଙ୍ଗି ଭିତରେ ପଶି ଯୁବକଙ୍କୁ ମାରିଲା ହାତୀ

ସୁନ୍ଦରଗଡ଼: ଗତକାଲି ବିଳମ୍ବିତ ରାତିରେ ସୁନ୍ଦରଗଡ଼ ଜିଲ୍ଲା ବଣେଇ ଉପଖଣ୍ଡ ତାମଡ଼ା ବନାଞ୍ଚଳର ସୋଲଡେଗା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଘର ଭିତରେ ସ୍ୱାମୀ ସ୍ତ୍ରୀ ଶୋଇଥିିବା ବେଳେ ଏକ ଦନ୍ତା ହାତୀ ଘର ଭାଙ୍ଗି ଭିତରେ ପଶିବା ସହିତ ସ୍ୱାମୀଙ୍କୁ ଶୁଣ୍ଢରେ କଚାଡ଼ି ମାରିଦେଇଛି। ଆଜି ସକାଳେ ଖବର ପାଇ ବନବିଭାଗ ଅଧିକାରୀମାନେ ଗାଁରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ବଣେଇ ଉପଖଣ୍ଡ ତାମଡ଼ା ବନାଞ୍ଚଳର ସୋଲଡେଗା ଗାଁର ଲୁସା ଓରାମ(୩୫ ବର୍ଷ)ନିଜ ସ୍ତ୍ରୀ ଓ ପିଲାମାନଙ୍କୁ ଧରି ଘର ଭିତରେ ଶୋଇଥିଲେ। ରାତି ପଆୟ ସାଢ଼େ ୧୨ଟା ବେଳେ ଏକ ଦନ୍ତା ହାତୀ ଶ୍ରୀ ଓରାମଙ୍କ ଘର କାନ୍ଥ ଭାଙ୍ଗି ଭିତରେ ପଶିଥିଲା। ହାତୀ ଘର ଭାଙ୍ଗି ଭିତରେ ପଶିଥିବା ଜାଣିି ପରିବାର ଲୋକେ ଉଠି ଦୌଡ଼ି ବାହାରକୁ ପଳାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ ଶ୍ରୀ ଓରାମେ। ଆଉ ଶ୍ରୀ ଓରାମଙ୍କୁ ହାତୀ ଶୁଣ୍ଢରେ ଉଠାଇ କଚାଡ଼ି ମାରି ଦେଇଥିଲା। ଏ ନେଇ ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ଆଜି ସକାଳେ ବନବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛନ୍ତି। ନିୟମ ଅନୁଯାୟୀ, ମୃତ ଓରାମଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର