ପର୍ଜଙ୍ଗ: ପତ୍ନୀ ସାମ୍ନାରେ ସ୍ୱାମୀଙ୍କୁ ଶୁଣ୍ଢରେ କଚାଡ଼ି ମାରିଲା ଦନ୍ତାହାତୀ

ପର୍ଜଙ୍ଗ: ଆଜି ସକାଳେ ନିଜ ସ୍ତ୍ରୀ ସହିତ ବାଇଗଣ କିଆରିକୁ ପାଣି ଦେବା ପାଇଁ ଯାଇଥିବା ଜଣେ ବ୍ୟକ୍ତିଙ୍କୁ ହାତୀ ଶୁଣ୍ଢରେ କଚାଡ଼ି ମାରି ଦେଇଛି। ଖବର ପାଇ ବନବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ ଚାଷୀଙ୍କୁ ହତ୍ୟା କରିବା ପରେ ଏହି ଏକୁଟିଆ ଦଳ ଛଡ଼ା ଦନ୍ତା ହାତୀଟି ସେହିଠାରେ ରହିଥିବାରୁ ଲୋକେ ଭୟରେ ବାଇଗଣ କିଆରି ପାଖକୁ ଯାଇ ପାରି ନାହାଁନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଲୋଧୁଣୀ ପଞ୍ଚାୟତ ଅନ୍ତର୍ଗତ ପାଳସାହି ଗ୍ରାମର ବାଉରୀ ସାହୁ (୬୩ ବର୍ଷ) ନିଜ ସ୍ତ୍ରୀ ନନ୍ଦିନୀ ସାହୁଙ୍କ ସହିତ ଗାଁ ମୁଣ୍ଡରେ କରିଥିବା ବାଇଗଣ କିଆରିକୁ ପାଣି ଦେବା ପାଇଁ ଯାଇଥିଲେ। ତେବେ କୁହୁଡ଼ି ଯୋଗୁଁ ବାଇଗଣ କ୍ଷେତ ପାଖରେ ଗତକାଲି ଠାରୁ ଆସିଥିବା ଦନ୍ତାହାତୀଟି ଥିବା ସମ୍ପର୍କରେ ବାଉରି ଜାଣି ପାରି ନ ଥିଲେ। ତେଣୁ ବାଉରୀ ବାଇଗଣ କିଆରିର ଶେଷ ମୁଣ୍ଡରେ ପାଣି ଦେଉଥିବା ବେଳେ ତାଙ୍କ ପତ୍ନୀ ନନ୍ଦିନୀ ଆରମୁଣ୍ଡରେ ଥିଲେ। ତେବେ ହାତୀ ପଛପଟୁ ଆସୁଥିବା ଦେଖି ତାଙ୍କ ପତ୍ନୀ ନନ୍ଦିନୀ ପାଟି କରିଥିଲେ ମଧ୍ୟ ବାଉରୀ ତାହା ଶୁଣି ପାରି ନ ଥିଲେ। ଏହି ସମୟରେ ଦନ୍ତାହାତୀଟ ଆସି ବାଉରୀଙ୍କୁ ଶୁଣ୍ଢରେ ଉଠାଇ ଏକ ଗଛରେ ପିଟି ମାରି ଦେଇଥିଲା। ଘଟଣାସ୍ଥଳରେ ହିଁ ବାଉରୀଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର