ମୁରଗାବାରି ଗ୍ରାମ୍ୟ ଜଙ୍ଗଲ ମଧ୍ୟରେ ଘୂରି ବୁଲୁଛି ଅସୁସ୍ଥ ଦନ୍ତା : ଚିକିତ୍ସା ପରେ ବି ଛୋଟେଇ ଚାଲୁଛି

ଯୁଯୁମୁରା: ସମ୍ବଲପୁର ବନଖଣ୍ଡ ପଡ଼ିଆବାହଲ ବନାଞ୍ଚଳ ବଡ଼ସାହିର ସେକ୍ସନର ମୁରଗାବାରି ଗ୍ରାମ୍ୟ ଜଙ୍ଗଲ ମଧ୍ୟରେ ଏକ ଅସୁସ୍ଥ ଦନ୍ତା ହାତୀ ଘୂରି ବୁଲୁଥିଲା। ତାର ଗୋଡ଼ରେ ଗୁରୁତର ଆଘାତ ଲାଗିଥିଲା। ଦୁଇଟି ଦନ୍ତା ହାତୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ଏପରି ଅବସ୍ଥା ହୋଇଥିଲା। ଗତ ୨ ତାରିଖ ସକାଳେ ହାତୀର ଚିକିତ୍ସା ଆରମ୍ଭ ହୋଇଥିଲା। ଭୁବନେଶ୍ୱର ଓୟୁଏଟିର ଶଲ୍ୟ ବିଭାଗର ପ୍ରଫେସର ଡା. ଇନ୍ଦ୍ରମଣି ନାଥଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ ଦଳ ଦନ୍ତାକୁ ଚେତାଶୂନ୍ୟ(ଟ୍ରାଙ୍କୁଲାଇଜେସନ) କରିଥିଲେ। ପୁଙ୍ଖାନୁପୁଙ୍ଖ ଭାବେ ହାତୀଟିର ଶରୀର ପରୀକ୍ଷା କରି ଚିକିତ୍ସା କରିଥିଲେ।

ହାତୀଟିର ଆଗ ପଟ ଡାହାଣ ଗୋଡ଼ରେ ଘା’ ହୋଇ ପଚି ଯାଇଥିଲା। ବିଶେଷଜ୍ଞ ଦଳ ପଚି ଯାଇଥିବା ଜାଗାକୁ ସଫା କରିଥିଲେ । ସମ୍ବଲପୁର ଭିଏସ ଡା. ସରିତ ପାତ୍ର, ବୁର୍ଲା ଭିଏସ ଡା. ସତ୍ୟଜିତ ପଣ୍ଡା, ଯୁଯୁମୁରା ବିଭିଓ ଡା. ଅମ୍ରିତ ସାହୁ, ଏସିଏଫ ମଦନ ଲାଲ ଶର୍ମା, ପଡ଼ିଆବାହଲ ରେଞ୍ଜର ପବିତ୍ର ମୋହନ ମାଝୀ, ବଡ଼ସାହିର ଫରେଷ୍ଟର ବିଶ୍ୱଜିତ ରାଉତ ପ୍ରମୁଖଙ୍କ ସହ ବିଭାଗୀୟ କର୍ମଚାରୀ ସହଯୋଗ କରିଥିଲେ। ଚିକିତ୍ସା ହେବାରେ ଇତି ମଧ୍ୟରେ ୧୫ ଦିନ ବିତି ଯାଇଛି। ହାତୀଟି ଆଖପାଖ ଅଞ୍ଚଳରେ ଏବେ ବି ଛୋଟେଇ ଛୋଟେଇ ଚଲାବୁଲା କରୁଥବା ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି। ଯେଉଁ ଗୋଡ଼ରେ ଆଘାତ ଲାଗିଥିଲା ଉକ୍ତ ଗୋଡ଼ଟି ଫୁଲି ଯାଇଥିବା ଦେଖାଯାଇଛି। ଏପରିକି ହାତୀଟି ଦୁର୍ବଳ ଦେଖାଯାଉଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ହାତୀର ସୁରକ୍ଷା ଦୃଷ୍ଟିରୁ ଗତିବିଧି ଉପରେ ନଜର ରଖାଯାଉଥିଲେ ମଧ୍ୟ ତାର ଅଧିକ ଚିକିତ୍ସା ଦରକାର ବୋଲି ମତପ୍ରକାଶ ପାଇଛି। ବର୍ତ୍ତମାନ ସ୍ଥିତିରେ ତା’ର ଗୋଡ଼ର ଅବସ୍ଥା କ’ଣ ରହିଛି, ଘା’ ଶୁଖିଲାଣି କି ନାହିଁ ସେ ବାବଦରେ ଅଧିକ ନିରୀକ୍ଷଣ କରାଯାଇ ହାତୀର ଜୀବନ ରକ୍ଷା କରିବାକୁ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର