ପ୍ରସ୍ତାବରେ ରହିଗଲା ଚନ୍ଦ୍ରପୁର ହସ୍ତୀ ଅଭୟାରଣ୍ୟ, ରାୟଗଡ଼ା ବନଖଣ୍ଡ ହେବ ହାତୀ ଶୂନ୍ୟ!

୧୯୮୦ ମସିହାରେ ଥିଲେ ୧୦୨, ଏବେ ଅଛନ୍ତି ୭

ରାୟଗଡ଼ା: ଏକଦା ହାତୀଙ୍କ ଗଡ଼ ଥିଲା ରାୟଗଡ଼ା। ଶହେରୁ ଊର୍ଦ୍ଧ୍ବ ହାତୀ ଜିଲ୍ଲାର ଚନ୍ଦ୍ରପୁର, ମୁନିଗୁଡ଼ା, ବିଷମକଟକ, ଗୁଡାରି ଅଞ୍ଚଳରେ ଚକ୍କର୍ କାଟୁଥିଲେ। ବ୍ୟାପକ ବାଉଁଶ ବଣ ଯୋଗୁ କନ୍ଧମାଳ-କଳାହାଣ୍ଡି ହାତୀପଲ ମଧ୍ୟ ରାୟଗଡ଼ାକୁ ମାଡ଼ି ଆସୁଥିଲେ। ଫସଲ ଖାଇବା ସହ ନଷ୍ଟ କରୁଥିଲେ। ହାତୀପଲଙ୍କ ଦୌରାତ୍ମ୍ୟ ରୋକିବାକୁ ଚନ୍ଦ୍ରପୁରରେ ହସ୍ତୀ ଅଭୟାରଣ୍ୟ ପାଇଁ ଯୋଜନା ହୋଇଥିଲା। ଯାହା ଆଜି ସୁଦ୍ଧା କାର୍ଯ୍ୟକାରୀ ନ ହୋଇ ସରକାରୀ ନାଲିଫିତା ତଳେ ଧୂଳି ଚାଟୁଛି। ୧୯୭୯ ମସିହା‌ ହାତୀ ଗଣନାରେ ରାୟଗଡ଼ାରେ ୧୦୨ ହାତୀ ଥିବା ଜଣା ପଡ଼ିଥିଲା। ଜିଲ୍ଲାରେ ଏତେ ସଂଖ୍ୟକ ହାତୀ ଥିବାରୁ ହାତୀବଂଶ ବୃଦ୍ଧି ପାଇଁ ହସ୍ତୀ ଅଭୟାରଣ୍ୟ ନିର୍ମାଣ କରିବାକୁ ବନ ବିଭାଗ ପ୍ରସ୍ତାବ ଦେଇଥିଲା।

ଅଭୟାରଣ୍ୟ ପାଇଁ ଉପଯୁକ୍ତ ସ୍ଥାନ ଭାବେ ଚନ୍ଦ୍ରପୁର ବ୍ଲକର ଜାରପାକୁ ଚିହ୍ନଟ କରାଯାଇଥିଲା। ଜାଗା ଚିହ୍ନଟ ପରେ ୧୯୯୦ ମସିହାରେ ରାୟଗଡ଼ା ବନଖଣ୍ଡ ପକ୍ଷରୁ ରାଜ୍ୟକୁ ପ୍ରସ୍ତାବ ପଠାଯାଇଥିଲା। ମୁନିଗୁଡ଼ା, ଚନ୍ଦ୍ରପୁର ଜଙ୍ଗଲ ଅଞ୍ଚଳ କନ୍ଧମାଳ ଓ ନିୟମଗିରି ପାର୍ବତ୍ୟମାଳା ଦେଇ କଳାହାଣ୍ଡିକୁ ସଂଯୋଗ ହୋଇଛି। ଏହି ଅଞ୍ଚଳ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ସହ ବାଉଁଶ ବଣ ଓ ଅଧିକାଂଶ ସ୍ଥାନରେ କଦଳୀ ଗଛ ଥିବାରୁ ହାତୀଙ୍କ ଖାଦ୍ୟପେୟରେ କୌଣସି ଅସୁବିଧା ହେବନି। ଏଥିସହିତ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହାତୀପଲଙ୍କ ଦୌରାତ୍ମ୍ୟରୁ ଲୋକେ ବଞ୍ଚିବା ସହ ଧନ ଜୀବନ ନଷ୍ଟ ନ ହେବା ନେଇ ବନ ବିଭାଗ ଆକଳନ କରିଥିଲା। କିନ୍ତୁ ରାୟଗଡ଼ା ବନଖଣ୍ଡ ପକ୍ଷରୁ ଯାଇଥିବା ଅଭୟାରଣ୍ୟ ପ୍ରକଳ୍ପକୁ ବନ ବିଭାଗର ଉଚ୍ଚ ପଦସ୍ତ ଅଧିକାରୀ ଅଣଦେଖା କରିବା କାରଣରୁ ଏବେ ରାୟଗଡ଼ା ବନଖଣ୍ଡ ହାତୀଶୂନ୍ୟ ହେବାକୁ ଯାଉଛି। ୧୦୨ ବଦଳରେ ଏବେ ଜିଲ୍ଲାରେ ମାତ୍ର ୭ରୁ ୮ ହାତୀଥିବା ବନ ବିଭାଗ ସୂତ୍ରରୁ ଜଣା ପଡିଛି।

୧୯୭୯ ହାତୀଗଣନାରେ ଜିଲ୍ଲାରେ ୧୦୨ ହାତୀଥିବା ବେଳେ ୧୯୯୯ ଗଣନା ବେଳକୁ ହାତୀ ସଂଖ୍ୟା ୧୦କୁ ଖସି ଆସିଥିଲା। ୨୦ ବର୍ଷ ମଧ୍ୟରେ ୯୨ ହାତୀ କୁଆଡ଼େ ଗଲେ ନାଁ ମୃତ୍ୟୁବରଣ କଲେ ତାର କୌଣସି ହିସାବ ବନ ବିଭାଗ ପାଖରେ ନାହିଁ। ୨୦୦୭ ହାତୀ ଗଣନା ବେଳକୁ ହାତୀ ସଂଖ୍ୟା ବୃଦ୍ଧି ପାଇ ୨୪ରେ ପହଞ୍ଚିଥିଲା। ୨୦୧୦ରେ ପୁଣି ହ୍ରାସ ପାଇ ହାତୀ ସଂଖ୍ୟା ୧୨, ୨୦୧୨ରେ ୪, ୨୦୧୫ରେ ୯ ଏବଂ ୨୦୨୯ରେ ୮ରେ ସୀମିତ ରହିଛି। ଜଙ୍ଗଲ ନଷ୍ଟ ସାଙ୍ଗକୁ ପୋଡ଼ୁ ଚାଷ ଯୋଗୁ ପୂର୍ବ ପରି ମୁନିଗୁଡ଼ା, ଚନ୍ଦ୍ରପୁର ଅଞ୍ଚଳରେ ଆଉ ହାତୀପଲ ରହୁନାହାଁନ୍ତି। ଏଣେତେଣେ ବୁଲାବୁଲି କରିବା ସହ ଗୁଡାରି-ଚନ୍ଦ୍ରପୁର ଜଙ୍ଗଲରେ ରହୁଥିବା ହାତୀ ପଲ ଫସଲ ଖାଇବାକୁ ମୁନିଗୁଡ଼ା, ପଦ୍ମପୁର, ଗୁଣପୁର ମୁହାଁ ହେଉଛନ୍ତି।

ବନ ବିଭାଗ ଅବହେଳା ପାଇଁ ରାୟଗଡ଼ା ଜିଲ୍ଲା ହାତୀଶୂନ୍ୟ ହେବାକୁ ଯାଉଥିବା ବେଳେ ଯେଉଁ ହାତ ଗଣତି କିଛି ହାତୀ ଅଛନ୍ତି ସେମାନଙ୍କୁ ମଧ୍ୟ ଉପଯୁକ୍ତ ସୁରକ୍ଷା ଯୋଗାଇ ଦେଇ ହେଉନି। ମୁନିଗୁଡ଼ା ରେଞ୍ଜ ଅଧୀନରେ ଥିବା ଚନ୍ଦ୍ରପୁର-କୋଟଗଡ଼, କର୍ଲାପାଟ-ଅମ୍ବାଦଳା-ଉର୍ଲାଯୋଡ଼ି ହାତୀ କରିଡରରେ ହାତୀଙ୍କ ପାଇଁ ବି‌ଶେଷ ସୁବିଧା କରାଯାଇନି। କେବଳ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇ ଗତିବିଦ୍ଧି ଉପରେ ନଜର ରଖାଯାଇଛି। ୨୦୧୮ ଜୁଲାଇ ମାସରେ ଗୁଡାରି ରେଞ୍ଜର ତାବଲାଗୁଡ଼ା ଜଙ୍ଗଲରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିଲା। ୨୦୨୨ ମେ’ ୨୩ ତାରିଖରେ ଗୁଣପୁର ବନ ବିଭାଗ ହସ୍ତିନାପୁର ଜଙ୍ଗଲରୁ ୨ ହାତୀ ଦାନ୍ତ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର