ଶିମିଳିପାଳ ପାଦଦେଶରେ ହାତୀ ଉପଦ୍ରବ, ବନବିଭାଗ ନାକେଦମ

ବିଶୋଇ: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶରେ ଥିବା ବିଶୋଇ ବ୍ଲକ ଅନ୍ତର୍ଗତ ଲୁହାକାନି ପଞ୍ଚାୟତରେ ଆଜି ହାତୀ ଉପଦ୍ରଵ ଦେଖିବାକୁ ମିଳିଛି। ଏହି ହାତୀପଲକୁ ଘଉଡ଼ାଇବା ନିମନ୍ତେ ବନବିଭାଗକୁ ନାକେଦମ ହେବାକୁ ପଡ଼ିଛି। ହାତୀ ଭୟ ଯୋଗୁ ଏବେ ପଞ୍ଚାୟତର ୧୭ ଗୋଟି ଗ୍ରାମର ବାସିନ୍ଦା ଆତଙ୍କିତ ହୋଇଛନ୍ତି।

ସୂଚନାଥାଉକି, ଗତକାଲି ବିଳମ୍ବିତ ରାତ୍ରିରେ ଧାନ ଖାଇବା ନିମନ୍ତେ ୧୧ଟିକିଆ ହାତୀପଲ ଟୁଙ୍ଗୁରୁ ସଂରକ୍ଷିତ ଜଙ୍ଗଲରୁ ବାହାରି ଜୁଡ଼ିଆ ଗ୍ରାମ ଦେଇ ଆଜି ସକାଳେ ଜାମିରଡିହା ଗ୍ରାମକୁ ପହଞ୍ଚିଥିଲେ। ୫୦ ନଂ ରାଜ୍ୟ ରାଜପଥ ପାର ହୋଇ ଏହି ହାତୀପଲ ଶିମିଳିପାଳ ଜଙ୍ଗଲ ମଧ୍ୟକୁ ଯିବାପାଇଁ ଉଦ୍ୟମ କରୁଥିବା ବେଳେ ଜନଗହଳି ଦେଖି ଉକ୍ତ ହାତୀପଲ ସ୍ଥାନୀୟ ଲୁହାବାଳିଆ ଗ୍ରାମ ସନ୍ନିକଟ ଏକ ଜଙ୍ଗଲରେ ଆଶ୍ରୟ ନେଇଛନ୍ତି। ହାତିପଲ ଘଉଡ଼ାଇବା ନିମନ୍ତେ ବିଶୋଇ ବନ୍ୟପ୍ରାଣୀ ବନାଞ୍ଚଳ, ମଣଦା ବନାଞ୍ଚଳ ସହିତ ବିଶୋଇ ପୁଲିସ ଘଟଣାସ୍ଥଳକୁ ପହଁଞ୍ଚି ଥିବା ବେଳେ ହାତୀପଲକୁ ଘଉଡାଇବା ପାଇଁ ଉଭୟ ପକ୍ଷରୁ ପ୍ରୟାସ ଜାରି ରହିଛି। ତେବେ, ସର୍ଵସାଧାରଣ ଅଞ୍ଚଳରେ ହାତୀ ମାନଙ୍କର ଏହିପରି ଉପଦ୍ରଵ ଦେଖି ଲୁହାକାନି ପଞ୍ଚାୟତରେ ଥିବା ୧୭ ଗୋଟି ଗ୍ରାମବାସୀଙ୍କ ମନରେ ଏବେ ଭୟର ଆତଙ୍କ ସୃଷ୍ଟି ହୋଇଛି।

 

ସମ୍ବନ୍ଧିତ ଖବର