ରାଉରକେଲା: ବାଙ୍କି ରେଞ୍ଜ ଅଧୀନସ୍ଥ ଶଙ୍ଖପୋଷ ପଞ୍ଚାୟତର କିଷାନଟାଙ୍ଗରପାଲି ଗ୍ରାମରେ ହାତୀ ଉତ୍ପାତ କରିଛନ୍ତି। ୧୪୩ ନଂ ଜାତୀୟ ରାଜପଥରେ ଦୁଇ ଦନ୍ତା ହାତୀ ବୁଲିଥିଲେ। ବେଶ କିଛି ସମୟ ଜାତୀୟ ରାଜପଥରେ ଯାତାୟତ ଠପ ହୋଇଯାଇଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ି ଅଟକି ରହିଥିଲା। ଗତକାଲି ରାତିରେ ୨ଟି ଦନ୍ତା ଗାଁରେ ପଶି ଜଣକ ଘର ଭାଙ୍ଗିଥିଲେ। ପରିବାରଲୋକେ ଅଳ୍ପକେ ରକ୍ଷା ପାଇଯାଇଥିଲେ।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଗାଁରେ ୨ଟି ହାତୀ ପଶିଥିଲେ। ହାତୀଦ୍ବୟ ଗାଁର ସାଧନି କିଷାନ(୭୦)ଙ୍କ ଘର ଭାଙ୍ଗିବା ସହ ଧାନଚାଉଳ ଖାଇଥିଲେ। ଏହି ସମୟରେ ନିକଟରେ ଶୋଇଥିବା ସାଧନିଙ୍କୁ ପରିବାରଲୋକେ ଉଠାଇନେବାରୁ ସେ ଅଳ୍ପକେ ରକ୍ଷା ପାଇଯାଇଥିଲେ। ଖବରପାଇ ବନବିଭାଗ କର୍ମଚାରୀମାନେ ପହଞ୍ଚିଥିଲେ। ଗ୍ରାମବାସୀ ଓ ବନବିଭାଗ ମିଳିତହୋଇ ହାତୀ ଘଉଡ଼ାଇଥିଲେ। ଆଜି ସକାଳେ ରାଜାମୁଣ୍ଡା ବାଇପାସ୍ ପାଖ ପତଳା ଜଙ୍ଗଲରେ ଥିବା ଏହି ୨ ହାତୀଙ୍କୁ ଘଉଡ଼ାଇବା ପାଇଁ ବନକର୍ମଚାରୀ ଜଗି ରହିଥିଲେ। ସକାଳେ ବନବିଭାଗ ରେଞ୍ଜର ଓ ଫରେଷ୍ଟର ସାଧନିଙ୍କ ଘର ସରଜମିନ ଅନୁଧ୍ୟାନ କରି କ୍ଷତିପୂରଣ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।