ଭଞ୍ଜନଗର : ଉତ୍ତର ଘୁମୁସର ବନଖଣ୍ଡ ଅଧୀନ କେନ୍ଦ୍ରୀୟ ବନାଞ୍ଚଳର କାଳିଆମ୍ବା ସଂରକ୍ଷିତ ଜଙ୍ଗଲର ଆଖପାଖ ଗ୍ରାମ ଗୁଡିକରେ ଗତ ୪ ଦିନ ଧରି ହାତୀପଲଙ୍କ ଉପଦ୍ରବ ଜାରି ରହିଛି। ଉକ୍ତ ଇଲାକାରେ ୧୮ ଟିକିଆ ହାତୀପଲ ଧାନ ଗଦା ନଷ୍ଟ କରିବା ସହ ଗତକାଲି ବାରଘରିଆ ଦେବୀଙ୍କ ନିକଟରେ ଥିବା ବହୁ ଧାନ ବସ୍ତା ଖାଇବା ସହ ବ‌ୋହି ନେଇ ପଳାଇଥିଲେ। ସଂନ୍ଧ୍ୟା ହେବା କ୍ଷଣି ହାତୀପଲ ନିକଟ ଜଙ୍ଗଲରୁ ବାହାରକୁ ବାହାରି ରାତି ତମାମ ଉତ୍ପାତ ଖେଳାଉଛନ୍ତି। ଗୁଡିଆମ୍ବା ଗ୍ରାମରୁ ଜିଲୁଣ୍ଡି ଗ୍ରାମକୁ ଲମ୍ବି ଥିବା ରାସ୍ତାରେ ରହିଥିବା ଏକ ଫାର୍ମା ହାଉସରେ ପଶି ବ୍ୟପକ ଭଙ୍ଗାରୁଜା କରିବା ସହ ସେଠାରେ ରହିଥିବା ବଡ ବଡ ନଡ଼ିଆ ଗଛକୁ ମୂଳରୁ ଉପାଡି ଦେଇଛନ୍ତି। କଇଣ୍ଡି ଗ୍ରାମର ଜିତେନ୍ଦ୍ର ବିଶୋୟୀ ଉକ୍ତ ସ୍ଥାନରେ ଫାର୍ମ ହାଉସ କରିଥିବା ବେଳେ ତାଙ୍କର ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ପ୍ରକାଶ କରିଛନ୍ତି ।

Advertisment

ଗତ କିଛି ମାସ ପୂର୍ବରୁ ଏହି ହାତୀପଲ ତାରିସିଂ ବନାଞ୍ଚଳର ତିନିଛକିଆ ଲେ‌ମ୍ଭାଇ ବାରଦଣ୍ଡା ଗରୁଡୁପଥର ସହ ଗାଲେରୀ ରେଞ୍ଜର ତିଳିସିଂ ବାଲିସାହି ଆଦି ଇଲାକାରେ ଘୂରୀ ବୁଲୁଥିଲେ। ଫସଲ ଅମଳ ହେବା ପୂର୍ବରୁ ସେହି ସ୍ଥାନରେ ଜମିରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହ ତାରସିଂ ବନାଞ୍ଚଳର କ୍ଷେତମୁଣ୍ଡଳୀରେ ଜଣେ ଚାଷୀ ହାତୀ ଆକ୍ରମଣରେ ମଧ୍ୟ ମୃତ୍ୟୁ ଘଟିଥିଲା। ସେଠାରୁ ମୁଜାଗଡ ବନାଞ୍ଚଳରେ ଆସି ଉପଦ୍ରବ ଖେଳାଇବା ପରେ ବର୍ତ୍ତମାନ କେନ୍ଦ୍ରୀୟ ବନାଞ୍ଚଳକୁ ୪ ଦିନ‌ ହେଲା ଆସି ଉତ୍ପାତ ଖେଳାଉଛନ୍ତି। ଅମଳ ଧାନକୁ ବିକ୍ରି କରିବାକୁ ଚାଷୀ ସାଇତି ରଖିଥିବା ବେଳେ ତାକୁ ନଷ୍ଟ କରିବାକୁ ଲାଗିଛନ୍ତି। ଗତ ସୋମବାର ରାତିରେ ଭୋବନି ନାୟକଙ୍କ ବହୁ ଧାନ ବସ୍ତା ନଷ୍ଟ କରିବା ସହ ସେଠାରେ କରିଥିବା ଏକ କୁଡିଆ ଘରକୁ ଭାଙ୍ଗି ଦେଇଥିଲେ। ଏଥିରେ ତାଙ୍କ ପୁଅ ନିତ୍ୟାନନ୍ଦ ହାତୀପଲ ଆସୁଥିବା ଶୁଣି ସେଠାରୁ ଦୌଡି ପଳାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଥିଲେ।

ଗତକାଲି ରାତିରେ ପୁଣି ଜଙ୍ଗଲରୁ ହାତୀପଲ ଆସି ସହର ତଳି ଅଞ୍ଚଳ ଜିଲୁଣ୍ଡି ନିକଟରେ ରହିଥିବା ଜିତେନ୍ଦ୍ରଙ୍କ ଫାର୍ମ ହାଉସ୍‌ରେ ପଶିଥିଲେ। ସେଠାରେ ଥିବା ଛୋଟିଆ ମଞ୍ଚାକୁ ଭାଙ୍ଗିବା ସହ ପୋଖରୀରେ ପଶି ଦଳା ଚକଟା କରିବା ଫଳରେ ତାହା ନଷ୍ଟ ହୋଇଯାଇଥିବା ସେ କହିଛନ୍ତି। ପୋଖରୀର ମାଛ ଗୁଡିକ ମରିଯିବା ସହ ଆଜି ସକାଳୁ ପାଣି ଭାସୁଥିବା ସେ ପ୍ରକାଶ କରିଛନ୍ତି। ଏଥିସହ ସେଠାରେ ଦୀର୍ଘ ଦିନ ଧରି ଠିଆ ହୋଇଥିବା ନଡ଼ିଆ ଗଛ ମୂଳରୁ ଉପାଡି ପଡିଥିବା ଆଜି ସକାଳୁ ଦେଖିବାକୁ ମିଳିଥିଲା। କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରା ସଦଳବଳ‌େ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଅନୁଧ୍ୟାନ କରିବା ସହ ଉକ୍ତ ହାତୀପଲକୁ ଜନବସିତି ଠାରୁ ଦୂର ଡହ-ବାଇବାଲି ଜଙ୍ଗଲ ଭିତରକୁ ‌ଘଉଡାଇବାକୁ ବନ ବିଭାଗ କର୍ମଚାରୀ ଉଦ୍ୟମ କରୁଥିବା ସେ ପ୍ରକାଶ କରିଛନ୍ତି। ହାତୀଙ୍କ ସୁରକ୍ଷା ଦୃଷ୍ଟିରୁ ଆଖପାଖ ଅଞ୍ଚଳରେ ବିଦ୍ୟୁତ କାଟ କରାଯାଇଛି। ଆଜି ସଂନ୍ଧ୍ୟା ସମୟରେ ପୁଣି ଗୁଡିଆମ୍ବା ପାଖରେ ହାତୀପଲ ଜଙ୍ଗଲରୁ ବାହାରକୁ ବାହାରିଥିବା ବେଳେ ବନପାଳ ଶଙ୍କର ପ୍ରସାଦ ଗୌଡ,ଶରତ ଚନ୍ଦ୍ର ମହାନ୍ତି ବନ ବିଭାଗ କର୍ମଚାରୀଙ୍କ ସହ ଉକ୍ତ ଇଲାକାରେ ପହଞ୍ଚି ହାତୀ ‌ଘଉଡାଇବାକୁ ଉଦ୍ୟମ ଜାରି ରଖିଥିବା ଜଣାପଡିଛି।