ହାତୀ ଆତଙ୍କ: ଭାଙ୍ଗିଲେ ଘର, ନଷ୍ଟକଲେ ଫସଲ

ରାଉରକେଲା: ବ୍ଲକ୍‌ ବିଶ୍ରା ବନାଞ୍ଚଳ ଅନ୍ତର୍ଗତ ବାଗଡ଼େଗା ପଞ୍ଚାୟତର ପୂର୍ବବସ୍ତିରେ ବୁଧବାର ରାତିରେ ପାଖ ଜଙ୍ଗଲରୁ ଏକ ହାତୀପଲ ଗାଁ କୁ ପଶି ଆସିଥିଲା। ଗାଁରେ ଜୁଗନୁ ସାହୁ ଏବଂ ଦିଲ୍ଲୀପ ସାହୁଙ୍କ ଘର ଭାଙ୍ଗିବା ସହ ତାଙ୍କ ପରିବା ଚାଷ ନଷ୍ଟ କରିଥିଲେ। ଘର ଲୋକ ଜାଣିବା ପରେ ଗାଁ ଲୋକଙ୍କ ସହାୟତାରେ ହାତୀକୁ ଘଉଡ଼ାଇ ଥିଲେ। କିଛି ଦିନ ପୂର୍ବେ ବାଗ‌ଡ଼େଗା ପଡ଼ିଆ ଟୋଲା ଗ୍ରାମରେ ହାତୀପଲ ପଶି କିଛି ଚାଷୀଙ୍କ ଫସଲ ନଷ୍ଟ କରିଥିଲେ।

ହାତୀପଲ ବାରମ୍ବାର ଗାଁ ଗଣ୍ଡାରେ ପଶି ଲୋକଙ୍କ ଘରଦ୍ବାର ଭାଙ୍ଗି ଧାନ ଚାଉଳ ଖାଇବା ସହ ଫସଲ ଦଳିଚକଟି ନଷ୍ଟ କରୁଥିଲେ ହେଁ ବନ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁନଥିବାରୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ଅନୁରୂପ ଭାବେ କୋଇଡ଼ା ବ୍ଲକ ଅନ୍ତର୍ଗତ ମାଲଦା ପଞ୍ଚାୟତ ଜଳିପଦା ଗ୍ରାମରେ ପୁଣି ଗୋଠ ଛଡ଼ା ଦନ୍ତା ହାତୀ ଉତ୍ପାତ ଚଳାଇଛି।

ଗତକ‌ାଲି ରାତିରେ ହାତୀଟି ଅତର୍କିତ ଭାବେ ଗାଁକୁ ପଶି ଆସି ଗ୍ରାମର ୩ଟି ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇ ଆସବାବପତ୍ର ଦଳିଚକଟି ନଷ୍ଟ କରିଥିଲା। ଫଳରେ ଗ୍ରାମର ୪ ପରିବାର ବାସହରା ହୋଇ ଏବେ ଗାଁ ବିଦ୍ୟାଳୟରେ  ଆଶ୍ରୟ ନେଇଛନ୍ତି। ସ୍ଥାନୀୟ ଗ୍ରାମବାସୀ, ସରପଞ୍ଚ ବାରମ୍ବାର ବନ ବିଭାଗକୁ ଖବର ଦେଇଥିଲେ ସୁଦ୍ଧା ବନ ବିଭାଗ କି ପ୍ରଶାସନ କେହି ହେଲେ ପହଞ୍ଚି ନଥିଲେ। ଖବର ପାଇ ସାନଇନ୍ଦପୁର ଗ୍ରାମର ଏକ କମିଟି ଘଟଣାସ୍ଥଳରେ ପହଞ୍ଚି ବାସହରାଙ୍କୁ କିଛି ରାସନ ସାମଗ୍ରୀ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର