ଝିଅ କାନ୍ଦୁଥିବା ବେଳେ ପାଟିରେ କପଡ଼ା ଦେଇ ବସିଥିଲେ ମା’, ବାହାରେ ଘର ଭାଙ୍ଗୁଥିଲା ବଣୁଆ ହାତୀ

ଉଲୁଣ୍ଡା: ବଣୁଆ ହାତୀ ପୁଣି ଥରେ ଘର ଭାଙ୍ଗିଛି। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ  ଅନ୍ତର୍ଗତ ଝାରବାହାଲି ଗ୍ରାମରେ ହାତୀ ଜଣେ ଦିବ୍ୟାଙ୍ଗଙ୍କ ଘର ଭାଙ୍ଗିଛି। ଆଜି ଭୋର ସକାଳୁ ଗାଁରେ ହାତୀ ୨ ଜଣଙ୍କର ଘର ଭାଙ୍ଗି ଦେଇଛି। ଭୋର ସକାଳ ପ୍ରାୟ ସାଢ଼େ ୪ଟାରେ ପ୍ରଥମେ ସୁରେଖା ସୁନାଙ୍କ ଘରକୁ ଆସିଥିଲା ସେହି ସମୟରେ ଦନ୍ତା ଘରର ଆଜବେଷ୍ଟସ ଭାଙ୍ଗିଥିଲା। ଦନ୍ତା ଘର ଭାଙ୍ଗୁଥିବା ବେଳେ ଏକ ଛୋଟ ଗୃହରେ ଦୁଇ ଜଣଝିଅଙ୍କ ସହ ସୁରେଖା ଥିଲେ। ହାତୀ ଭାଙ୍ଗିବା ବେଳେ ଚିତ୍କାର କରି କାନ୍ଦିବାରୁ ଝିଅର ପାଟିରେ କପଡା ଚାପି ଦେଇ ମା’ ଚୁପ ରହିଥିଲେ l ସୌଭାଗ୍ୟ ବଶତଃ ଘର ପାଖରେ ଥିବା ପୋଷା କୁକୁର ଭୋ ଭୋ କରି ଡାକିବାରୁ ହାତୀଟି ପଛ ଘୁଞ୍ଚା ଦେଇଥିଲା। ତା’ପରେ ଇନ୍ଦ୍ରମଣି ଭେସରାଙ୍କ ଘରକୁ ହାତୀ ଆକ୍ରମଣ କରିଥିଲା। ଅଳ୍ପ ସମୟ ପରେ ଦିବ୍ୟାଙ୍ଗ ଇନ୍ଦ୍ରମଣି ଭେସରାଙ୍କ ଘର ଭାଙ୍ଗି ଛାରଖାର କରି ଦେଇଥିଲା।

ସୂଚନା ଅନୁସାରେ ଝାରବାହାଲି ଗ୍ରାମକୁ ଆଜି ଭୋର ସକାଳୁ ହାତୀଟି ଆସିଥିଲା। ସେତେବେଳେ ଇନ୍ଦ୍ରମଣି ଭେସରାଙ୍କ ଘର ଭାଙ୍ଗିବାରେ ଲାଗିଥିଲା। ଇନ୍ଦ୍ରଙ୍କ ସ୍ତ୍ରୀ ଓ ଦୁଇ ପୁଅଙ୍କୁ ଭୟରେ ଘର ଭିତରେ ଶୋଇଥିବା ଖଟତଳରେ ଲୁଚି ଯାଇ ଜୀବନ ରକ୍ଷା କରିଥିଲେ। ଇନ୍ଦ୍ରମଣିଙ୍କ ଘରେ ଥିବା ଏକ ବସ୍ତା ଚାଉଳ ଖାଇବା ସହିତ ଘର ଆଜବେଷ୍ଟସ ଭାଙ୍ଗି ଏକ ଘଣ୍ଟା ଯାଏଁ ଉତ୍ପାତ କରିଥିଲା। ଗ୍ରାମର ନିରାକାର ଭେସରାଙ୍କ ପକ୍କା ଘର କବାଟ ଭାଙ୍ଗିଥିଲା।  ଗ୍ରାମବାସୀ ଆସି ହାତୀକୁ ଘଉଡ଼ାଇବା ପାଇଁ ଉଦ୍ୟମ କରି ସଫଳ ହୋଇଥିଲେ। ଖବର ପାଇଁ ଉଲୁଣ୍ଡା ରେଂଜର ଶରତ ନାୟକ ଓ ଉଲୁଣ୍ଡା ବନପାଳ ଦୀନେଶ ମାଝୀ ପହଞ୍ଚି ପରିବାରର କ୍ଷୟ କ୍ଷତି ଆକଳନ କରିଥିଲେ।

ଅସହାୟ ଦିବ୍ୟାଙ୍ଗ ପରିବାରକୁ ଆର୍ଥିକ ସହାୟତା ଦେଲେ ବନପାଳ

ଝାରବାହାଲି ଗ୍ରାମରେ ଆଜି ବଡ଼ିଭୋରରୁ ଦନ୍ତା ହାତୀ ଆସି ଇନ୍ଦ୍ର ଭେସରାଙ୍କ ଘର ଭାଙ୍ଗି ଦେଇଥିଲା। ଏହା ପରେ ଇନ୍ଦ୍ରଙ୍କ ପରିବାର ସର୍ବହରା ହୋଇଯାଇଥିଲା। କାରଣ ଘରେ ଥିବା ଚାଉଳ ହାତୀ ଖାଇଦେଇଥିଲା। ଅସହାୟ ଦିବ୍ୟାଙ୍ଗ ପରିବାରକୁ ବନପାଳ ଦୀନେଶ ମାଝୀ ନିଜ ଦରମା ଟଙ୍କାରୁ ଚାଉଳ, ଡାଲି ଓ ଆର୍ଥିକ ସହାୟତା ଦେଇଥିବା ଜଣାଯାଇଛି।

 

ସମ୍ବନ୍ଧିତ ଖବର