ଜନବସତି ନିକଟରେ ହାତୀପଲ: କୁଆଁରମୁଣ୍ଡାରେ ବ୍ୟାପକ ଫସଲ ନଷ୍ଟ କଲେ ୧୭ଟି ହାତୀ

କୁଆଁରମୁଣ୍ଡା/ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବନାଞ୍ଚଳର ଜନବସତି ନିକଟରେ ହାତୀ ଉପଦ୍ରବ ଦେଖାଯାଇଛି। ଝାରବେଡ଼ା ଗାଁକୁ ଲାଗି ରହିଥିବା ଜଙ୍ଗଲରୁ ପ୍ରାୟ ୧୭ଟି ହାତୀ ଗାଁ ଅଭିମୁଖେ ଆସି ଚାଷୀମାନଙ୍କର ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଚାଷୀମାନଙ୍କୁ ନିଜ ଫସଲକୁ ବଞ୍ଚାଇବା ପାଇଁ ରାତିସାରା ଧାନଖଳାରେ ଜଗିବାକୁ ପଡୁଛି।

ଚାଷୀମାନେ କ୍ଷେତରୁ ଧାନ କାଟି ଆଣି ଏବେ ଖଳାରେ ରଖିଛନ୍ତି। ତେଣୁ ହାତୀମାନେ ସଞ୍ଜ ନଇଁବା ପରେ ଧାନ ଖାଇବା ପାଇଁ ପାହାଡ଼ରୁ ଗାଁ ଅଭିମୁଖେ ଆସୁଛନ୍ତି। ହାତୀମାନେ ରାତିରେ ଖଳାରେ ପହଂଚି ଧାନ ଖାଇଯାଉଛନ୍ତି। ହାତୀ ମୁହଁରୁ ଫସଲ ବଞ୍ଚାଇବା ପାଇଁ ଲୋକଙ୍କୁ ଧାନ ଖଳାରେ ରାତ୍ରୀଯାପନ କରିବାକୁ ପଡୁଛି। ସେହିପରି ଚାଷୀମାନେ ଯୁଦ୍ଧକାଳୀନ ଭିତ୍ତିରେ ଖଳାରୁ ଅମଲ କରି ଧାନ ଘରକୁ ଆଣୁଥିବା ଦେଖାଯାଉଛି।

କୁଆଁରମୁଣ୍ଡା ବନାଞ୍ଚଳର ରେଞ୍ଜର ସୁଧାଂଶୁ ଶେଖର ସାହୁ କହିଛନ୍ତି, ହାତୀପଲରେ ୧୭ଟି ହାତୀ ଅଛନ୍ତି। ସେଥିରୁ ୧୦ଟି ଦନ୍ତା, ୪ଟି ମାଈ ହାତୀ ଓ ୩ଟି ଛୁଆ ବୋଲି ଜଣାପଡ଼ିଛି। ବନ ବିଭାଗ ପକ୍ଷରୁ ହାତୀମାନଙ୍କୁ ଘଉଡ଼ାଇବା ପାଇଁ ବ୍ୟବସ୍ଥା କରାଯାଉଛି।

ସମ୍ବନ୍ଧିତ ଖବର