ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଅଞ୍ଚଳରେ ହାତୀ ଉପଦ୍ରବ ପ୍ରାୟ ୧୦ ଦିନ ହେଲା ବୃଦ୍ଧି ପାଉଥିବା ବେଳେ ସନ୍ଧ୍ୟା ହେଲେ ଭୟର ବାତାବରଣ ଦେଖାଦେଇଛି । ସନ୍ଧ୍ୟା ହେଲେ ଜଙ୍ଗଲି ହାତୀପଲ୍ଲ ଗାଁ ଭିତରକୁ ପଶି ଅନେକ କ୍ଷୟକ୍ଷତି ଘଟାଉଛନ୍ତି । ଅନେକ ଲୋକଙ୍କ ଫସଲ ଉଜାଡି ଦେଉଥିବା ବେଳେ ଘରଦ୍ୱାର ମଧ୍ୟ ଭାଙ୍ଗି ଦେଉଛନ୍ତି । ହେଲେ ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବାପାଇଁ ଉଚିତ ପଦକ୍ଷେପ ନିଆ ଯାଉନାହିଁ ବୋଲି ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରୁଛନ୍ତି। ବିଗତ ୧୦ ଦିନ ଭିତରେ ହାତୀପଲ ବ୍ଳକର ବିଭିନ୍ନ ଅଞ୍ଚଳରେ ୮ ଗୋଟି ଘର ଭାଙ୍ଗିଲେଣି। ଆଜି ପୁଣି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଲାଞ୍ଜିଗଡ ବ୍ଲକ ଅର୍ନ୍ତଗତ ଛତ୍ରପୁର ପଞ୍ଚାୟତର ମସ୍କାପଦର ଓ ଖଜୁରିପଦର ଗାଁରେ ।

Advertisment

ସୂଚନା ଅନୁସାରେ ଶନିବାର ବିଳମ୍ବିତ ରାତି ୯ ଘଣ୍ଟା ସମୟରେ ୨୦ରୁ ଊର୍ଦ୍ଧ୍ବ ଜଙ୍ଗଲି ହାତୀପଲ୍ଲ ରାତ୍ର ମସ୍କାପଦର କଲୋନିପଡାକୁ ପଶିଆସି ବାରମ୍ବାର ହୁଙ୍କାର ମାରିଥିଲେ।ଲିଙ୍ଗରାଜ ମାଝୀ ଜୀବନ ଭୟରେ ନିଜ ପରିବାରଙ୍କ ସହିତ ଘରୁ ବାହାରି ନିକଟସ୍ଥପଡ଼ାକୁ ଚାଲିଯାଇଥିଲେ। ଏହାପରେ ଗାଁ ଲୋକଙ୍କ ସହାୟତାରେ ହାତୀପଲ ଘଉଡ଼ାଇ ଥିଲେ। ବାରମ୍ବାର ଗାଁ ଲୋକେ ବନ ବିଭାଗଙ୍କୁ ସହାୟତା ପାଇଁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇ ପାରିନଥିଲା। ଏନେଇ ନୂତନ ଭାବେ ଯୋଗ ଦେଇଥିବା ରେଞ୍ଜର ସୁଦର୍ଶନ ଦେହୁରୀଙ୍କୁ ଯୋଗାଯୋଗ କରି ଘଟଣା ସମ୍ପର୍କରେ କହିବାରୁ ଆମ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ରହିଥିବା ପ୍ରକାଶ କରିଥିଲେ।

publive-image

ଏହାପରେ ହାତୀପଲ ନିକଟସ୍ଥ ଖଜୁରିପଦର ଗାଁ ମୁଣ୍ଡରେ ଆସି ହୁଙ୍କାର ମାରିଥିଲେ। ଭୟରେ ଗାଁ ମୁଣ୍ଡରେ ଥିବା ୨ ଗୋଟି ଘର ଲୋକେ ଜୀବନ ଭୟରେ ବାହାରକୁ ଚାଲି ଆସି ଅନ୍ୟ ପଡ଼ାକୁ ଚାଲି ଯାଇଥିଲେ । ଜଙ୍ଗଲି ହାତୀପଲ ଗାଁର ୨ଟି ଘର ଭାଙ୍ଗି ଦେଇଥିବା ବେଳେ ଘରେ ଥିବା ଖାଦ୍ୟ-ଶସ୍ୟକୁ ଖାଇ ନଷ୍ଟ କରିଦେଇଥିଲେ। ଗାଁର ମେଣ୍ଡି ମାଝୀ, ସୁବର୍ଣ୍ଣ ମାଝୀଙ୍କ ଘର ସଂପୂର୍ଣ୍ଣ ଭାଙ୍ଗି ଦେଇଥିବା ବେଳେ ପରିବାର ରହିବା ପାଇଁ କୌଣସି ଜାଗାନାହିଁ । ବର୍ତ୍ତମାନ ସେମାନେ ପଡୋଶୀ ଘରେ ଆଶ୍ରୟ ନେଇଥିବା ଜଣାପଡିଛି। ଗାଁ ବାହାରେ ଭୟଙ୍କର ହୁଙ୍କାର ମାରି ଗାଁ ଲୋକଙ୍କୁ ଭୟଭୀତ କରିଥିବା ବେଳେ ଗାଁରେ ଥିବା ଚାଷକୁ ନଷ୍ଟ କରି ଦେଇଥିଲେ । ହାତୀ ଆକ୍ରମଣ ଭୟରେ ଗାଁ ଲୋକେ ଲୁଚିକି ରହିଯାଇଥିଲେ । ଆଜି ସକାଳୁ ଏ ସଂପର୍କରେ ପୁଣି ବିଶ୍ୱାନଥପୁର ରେଞ୍ଜର ସୁଦର୍ଶନ ଦେହୁରୀଙ୍କୁ ଖବର ଦେବା ପରେ ରେଞ୍ଜରଙ୍କ ନିର୍ଦ୍ଦେଶ କ୍ରମେ ଲାଞ୍ଜିଗଡ଼ ଫରେଷ୍ଟର ବୃଷଭ ବେଶ୍ରା ଓ ଲଙ୍ଗଳବେଡା ରାଜସ୍ବ ନିରୀକ୍ଷକ ସରୋଜ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ଥିବା ବେଳେ ବନ ବିଭାଗ ପକ୍ଷରୁ ଶ୍ରୀ ବେଶ୍ରା କ୍ଷୟକ୍ଷତିର ଆକଳନ କରିଛନ୍ତି।

ଦୁର୍ଗମ ଅଞ୍ଚଳରେ ହାତୀ ଉପଦ୍ରବକୁ ଦୃଷ୍ଟିରେ ରଖି ବନବିଭାଗ ପକ୍ଷରୁ ସ୍କାର୍ଡ ଗଠନ କରି ହାତୀର ଗତିପଥକୁ ଲକ୍ଷ କରାଯାଉଛି। କିନ୍ତୁ ହାତୀ ଗାଁକୁ ପଶି ଆସିଲା ବେଳେ ସେମାନଙ୍କୁ ସହଯୋଗ କରିବାକୁ ବନପାଳ କି ବନରକ୍ଷୀଙ୍କ ଠିକ ଭାବରେ ସହଯୋଗ ମିଳି ପାରୁନାହିଁ। ଗୁରୁବାର ରାତିରେ କୁଟିଙ୍ଗପଦର ଗାଁର ପିଚି ମାଝୀ ଓ ଭଦ୍ର ମାଝୀଙ୍କ ଘରକୁ ହାତୀ ଭାଙ୍ଗିଥିବା ବେଳେ ପୁଣି ହାତୀ ଆସିବା ଆଶଙ୍କା ଥିବାରୁ ସେହି ସ୍ଥାନରେ ଜଗି ରହିଥିବା ବେଳେ ସେହି ଗାଁଠାରୁ ୩ କିମି ଦୂର ମସ୍କା ପଦର ଗାଁରେ ହାତୀପଲ ପଶି ଆସିଥିଲେ। ଏହି ସ୍କ୍ୱାର୍ଡ ପିଲାଙ୍କ ହାତରେ ହାତୀ ଘଉଡ଼ାଇବା ପାଇଁ ଟର୍ଚ୍ଚ ଟିଏ ମଧ୍ୟ ନାହିଁ। ଗତ ରାତିରେ ହାତୀ ଉପଦ୍ରବ ଯୋଗୁଁ ବର୍ତ୍ତମାନ ତିନୋଟି ପରିବାର ବେସାହାରା ହୋଇଥିବା ବେଳେ ସେମାନଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ଜାଗାଟିଏ ନାହିଁ । ସେମାନେ ଖାଇବେ କଣ, ପିନ୍ଧିବେ କଣ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଗତ ଅକ୍ଟୋବର ୧୩ ତାରିଖରେ ଏହି ୩ ପରିବାର ଘରକୁ ହାତୀପଲ ଭାଙ୍ଗି ଚୁରମାର କରିଥିବା ବେଳେ ବହୁକଷ୍ଟରେ ଧାର ଉଧାର କରି ଘରକୁ ସଜାଡ଼ିଥିଲେ। ମାତ୍ର ୨ ମାସ ପରେ ପୁଣି ସେହି ଘରକୁ ହାତୀପଲ ଭାଙ୍ଗିବା ଯୋଗୁଁ ପରିବାର ଚିନ୍ତାରେ ପଡିଛନ୍ତି।