ପୁଣି ଫେରିଲେ ହାତୀ ପଲ, ଦଳିଦେଲେ ୧୦ ଏକର ଚାଷ ଜମି

ଉଲୁଣ୍ଡା: ପ୍ରାୟ ୨ ମାସ ପରେ ଉଲୁଣ୍ଡା ରେଞ୍ଜକୁ ପୁଣି ଫେରିଲେ ହାତୀ ପଲ। ଖରିଫ ଫସଲର ଅମଳ ସମୟରେ ହାତୀପଲ ଆସି ଚାଷ ଜମିକୁ ପଶି ଶହ ସଶହ ଏକର ଧାନଚାଷ ନଷ୍ଟ କରିବା ସହ ଖାଇ ଦେଇଥିଲେ। ଏବେ ପୁଣି ରବି ଫସଲର ଆରମ୍ଭ ସମୟରେ ହାତୀପଲଙ୍କ ଉପଦ୍ରବ ଆରମ୍ଭ ହୋଇଯାଇଛି। ଗୁରୁବାର ବିଳମ୍ବିତ ରାତ୍ରିରେ ଉଲୁଣ୍ଡା ରେଞ୍ଜର ସିଣ୍ଢୋଲ ଗାଁରେ ହାତୀମାନେ ଉପଦ୍ରବ କରିଥିବା ଦେଖିବାକୁ ମିଳିଛି। ଏହି ଗାଁର ମାଳତୀ ମେହେର, ଭଗବାନ କୁଅଁର, ବିଶି କୁଅଁର, ରମେଶ ମେହେର, ହୃଷୀକେଶ ମେହେର, ଗଣେଶ ମହାଲିଙ୍ଗ, ଜଗବନ୍ଧୁ ମେହେର ସମେତ ଗାଁର ଅନ୍ୟାନ୍ୟ ଚାଷୀଙ୍କ ପ୍ରାୟ ୧୦ ଏକର ଧାନଚାଷକୁ ଦଳି ନଷ୍ଟ କରି ଦେଇଛନ୍ତି। ତେବେ ଖରିଫ ଫସଲ ସମୟରେ ହୋଇଥିବା କ୍ଷୟକ୍ଷତିର କ୍ଷତିପୂରଣ ଏଯାଏଁ ମିଳିନଥିବା ବେଳେ ମାତ୍ର ରବି ଫସଲର ଆରମ୍ଭରୁ ହାତୀପଲ କରୁଥିବା କ୍ଷୟକ୍ଷତିକୁ ଦେଖି ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ଏ ବିଷୟରେ ଉଲୁଣ୍ଡା ବନପାଳ ଦୀନେଶ ମାଝୀଙ୍କୁ ପଚାରିବାରୁ ହାତୀଙ୍କ ଗତିବିଧି ଉପରେ ଆମେ ଦୃଷ୍ଟି ରଖିଛୁ ବୋଲି କହିଥିଲେ।

ସମ୍ବନ୍ଧିତ ଖବର