ବଲାଙ୍ଗୀର: ପ୍ରତିବର୍ଷ ବଲାଙ୍ଗୀର ଜିଲ୍ଲାରେ ହାତୀ ଆତଙ୍କରେ ଆତଙ୍କିତ ହୋଇଥାନ୍ତି ଜଙ୍ଗଲତଳି ଗ୍ରାମବାସୀ। ବିଶେଷ କରି ଲୋଇସିଂହା ରେଞ୍ଜ ଅଂଚଳରେ ହାତୀ ଉପଦ୍ରବ ବେଶି। ହେଲେ ଏଥର ହାତୀ-ମଣିଷର ଲଢ଼େଇ ଗତ ୧୦ ଦିନରୁ ଅଧିକ ହେଲା ଘମାଘୋଟ ଚାଲିଛି। କାରଣ ଗୋଟିଏ ଗାଁ ନିକଟ ଜଙ୍ଗଲ ଛାଡୁ ନାହାନ୍ତି ହାତୀପଲ। ଲୋଇସିଂହା ରେଞ୍ଜ ଅଧୀନ ଭାଲୁପାଲି ଗାଁକୁ ପ୍ରତିଦିନ ସଂଧ୍ୟାରେ ହାତୀ ଆସି ଉତ୍ପାତ କରୁଛନ୍ତି। ଏପଟେ ଗାଁ ଲୋକେ ମଧ୍ୟ ହାତୀକୁ ଘଉଡ଼ାଇବାକୁ ବାଣ ଫୁଟାଇବା ସହ ଟର୍ଚ୍ଚଲାଇଟ ମାରୁଛନ୍ତି। ଏସବୁ ଭିତରେ ଜଣଙ୍କ ଜୀବନ ବି ନେଲାଣି ହାତୀ। ହାତୀ ଭୟରେ ପୂରା ଗାଁ ଏବେ ଥରୁଛି।
ଭାଲୁପାଲି ଗାଁରେ ୬୦୦ରୁ ଅଧିକ ଲୋକ ରହୁଛନ୍ତି। ଏକ ବଡ଼ ଗାଁ ହୋଇଥିବା ବେଳେ ନିକଟରେ ଚୌହାନପାଲି, ବାଦିବାହାଲ ଗାଁ ବି ରହିଛି। ଏହି ତିନି ଗାଁରେ ଲୋକଙ୍କ ନିଦ ହଜିଯାଇଛି। ଗାଁକୁ ଆସି କାହାର ଫସଲ ନଷ୍ଟ କରୁଛନ୍ତି ହାତୀ ତ ଆଉ କାହାର ଆଉ କିଛି ନଷ୍ଟ କରି ଚାଲିଯାଉଛନ୍ତି। ଏବେ ଗାଁ ସ୍କୁଲର ବାଡ଼ ବି ହାତୀ ଭାଙ୍ଗିଦେଲେଣି। ବନବିଭାଗ କର୍ମଚାରୀ ରାତିରେ ଯାଇ ଘଉଡ଼ାଇବାକୁ ଉଦ୍ୟମ କଲେ ବି ବିଫଳ ହେଉଛି। ଗତ ୨୯ ତାରିଖରେ ହାତୀ ଗାଁର ଜଣଙ୍କୁ ଦଳି ଦେଇଥିଲା। ହାତୀ ପଲରେ ୩୧ଟି ହାତୀ ଥିବା ବନବିଭାଗ କହୁଛି। ସେଥିମଧ୍ୟରେ ୩ ହାତୀ ଶାବକ ଥିବାରୁ ସେମାନେ ସେଠାରୁ ଯାଉ ନାହାନ୍ତି। ୧୭ଟି ମାଈ ହାତୀ ଥିବା କୁହାଯାଉଛି। ଗାଁ ନିକଟରେ ରମାଇ ଜଙ୍ଗଲ ରହିଛି। ସେଠାରେ ହାତୀ ରହୁଛନ୍ତି। ଏବେ ପୂରା ଗାଁ ହାତୀ ଭୟରେ ଥରୁଛି। ସଂଧ୍ୟାରୁ ସକାଳ ଯାଏ ଲୋକେ ଘର ଛାତ ଉପରକୁ ଚାଲିଯାଉଛନ୍ତି। ହାତରେ ଟର୍ଚ୍ଚଲାଇଟ ବି ଧରୁଛନ୍ତି। କାରଣ ବିଦ୍ୟୁତ ବିଭାଗ କାଳେ ହାତୀମାନେ ବିଦ୍ୟୁତ ତାରରେ ଲାଗି ମୃତ୍ୟୁବରଣ କରିବେ ସେଥିପାଇଁ ଆଗୁଆ ବିଦ୍ୟୁତ ସଂଯୋଗକୁ ବିଚ୍ଛିନ୍ନ କରିଦେଉଛି। ଏଭଳି ସ୍ଥିତିରେ ଏବେ ଲୋକେ ଭୟରେ ଅଛନ୍ତି।