ରାଉରକେଲା: ସୁନ୍ଦରଗଡ଼ ଜିଲ୍ଳା କୋଇଡ଼ାରେ ଥମୁନି ହାତୀ ଉପଦ୍ରବ। ଗତ କିଛି ଦିନ ହେବ ୭ ଟିକିଆ ହାତୀପଲ ସ୍ଥାନୀୟ ଅଞ୍ଚଳରେ ଉତ୍ପାତ ମଚାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ହାତୀପଲ କନ୍ତରକୋଇଡ଼ା ରୁଙ୍ଗଟା କଲୋନି ଗେଟ୍ ସମ୍ମୁଖ ରହୁଥିବା ଶାନ୍ତି ମୁଣ୍ଡାଙ୍କ ଘର ଭାଙ୍ଗିଥିଲା। ଘରେ ପସି ଚାଉଳ ଖାଇବାରୁ ବସ୍ତିବାସିନ୍ଦା ହାତୀପଲଙ୍କୁ ଗୋଡାଇଥିଲେ। ଏତିକିବେଳେ ଆରତୀ ମୁଣ୍ଡା ଜୀବନ ବଞ୍ଚାଇବାକୁ ଘରୁ ବାହାରି ଦୌଡୁଥିବାବେଳେ ଦନ୍ତାହାତୀ ହାବୁଡ଼ରେ ପଡିଯାଇଥିଲେ। ଦନ୍ତାହାତୀ ଆରତୀକୁ ଶୁଣ୍ଢରେ ଧରି କଚାଡ଼ି ଦେଇଥିଲା।
ଗୁରୁତର ଅବସ୍ଥାରେ ତାଙ୍କୁ କୋଇଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ହାତୀପଲ ନିକଟସ୍ଥ ଧୋବାଲବେଡା ଗ୍ରାମରେ ପଶି ଦଶରୁ କିସାନଙ୍କ ଘର ଭାଙ୍ଗିଥିଲା। ରୋଶନ କିସାନ ଓ କମଳ କିସାନଙ୍କ ବାଡ଼ିରେ ପଶି ମକା ଖାଇବା ସହ ଦଳି ଚକଟି ନଷ୍ଟ କରିଥିଲେ। ମାସ ମାସ ଧରି ହାତୀ ସ୍ଥାନୀୟ ଅଞ୍ଚଳରେ ହାତୀପଲ ଏକର ଏକର ଫସଲ ନଷ୍ଟ କରୁଛନ୍ତି। ନିରୀହ ଲୋକଙ୍କ ଜୀବନ ଯାଉଛି। ବନବିଭାଗ ପକ୍ଷରୁ ସେମିତି କୌଣସି ପଦକ୍ଷେପ ନିଆ ନଯାଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି।