ସମ୍ବଲପୁର,: ଗୁରୁ ସତ୍ୟ ନାରାୟଣ ବହିଦାର ସମ୍ବଲପୁରୀ ସାଧକ କବି କଳାକାରମାନଙ୍କୁ ଏକଜୁଟ କରିବା ସହ ଭାଷାସଂସ୍କୃତିର ପ୍ରଚାର ପ୍ରସାର ପାଇଁ ବ‌‌‌‌‌ଳିଦାନ ଦେଇଥିଲେ। ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ସମ୍ବଲପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସମ୍ବଲପୁରୀ ଦିନ ଆୟୋଜନ କରିଆସୁଛି। ସମ୍ବଲପୁରୀ ସଂସ୍କୃତିର ପୁରୋଧା ଗୁରୁ ଶ୍ରୀ ବହିଦାରଙ୍କ ଜନ୍ମଶତବାର୍ଷିକୀ ଅବସରରେ ୨୦୧୩ ମସିହାରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ଗଠନ କରାଯାଇ ଅଗଷ୍ଟ ୧ ତାରିଖରେ ସମ୍ବଲପୁରୀ ଦିନ୍‌ ଭାବରେ ପାଳନ ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ୧୧ ବର୍ଷରେ ପଦାର୍ପଣ କରିଛି। ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସବୁ ସରକାରୀ କର୍ମଚାରୀଙ୍କୁ ଅଗଷ୍ଟ ୧ରେ ସମ୍ବଲପୁରୀ ବସ୍ତ୍ର ପରିଧାନ ନିମନ୍ତେ ସରକାରୀ ନିର୍ଦ୍ଦେଶ ଜାରି କରିବାକୁ ପଶ୍ଚିମାଞ୍ଚଳର ସବୁ ଜିଲ୍ଲାପାଳମାନଙ୍କୁ ଅନୁରୋଧ କରାଯାଇଛି। ଶୀଘ୍ର ସତ୍ୟନାରାୟଣ ବହିଦାରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେବାକୁ ଯାଉଛି ବୋଲି ମହାନଦୀ କ୍ଲବଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ଯେ, ଆସନ୍ତା ଜୁଲାଇ ୩୦ ତାରିଖରେ ପଶ୍ଚିମାଞ୍ଚଳ ଏକତା ମଂଚର ଆହ୍ବାନ କ୍ରମେ ତମନ୍ନା ଫାଉଣ୍ଡେସନ ପକ୍ଷରୁ ରଂଗୋଲି ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯିବ। ସେହିଦିନ ସକାଳେ ‘ସମ୍ବଳ’ ଅନୁଷ୍ଠାନ ନେତୃତ୍ବରେ ବାଇକ୍‌ ରାଲି ‌ଆୟୋଜନ କରାଯାଇଛି। ସମ୍ବଲପୁରୀ ଦିନ୍‌ ଅବସରରେ ତାଲବ ଗାଁରେ ରକ୍ତଦାନ ଶିବିର ଅନୁଷ୍ଠିତ ହେବ। ସେହିପରି ଏଥର ଓଡିଶାର ୪୦ରୁ ବେଶୀ ସ୍ଥାନରେ ସମ୍ବଲପୁରୀ ଦିନ୍ ଆୟୋଜନ ପାଇଁ ଚେଷ୍ଟା ଚାଲିଛି। ସେହିପରି ଝାରସୁଗୁଡ଼ା, ସୁନ୍ଦରଗଡ଼, ସୋନପୁର, ବୌଦ୍ଧ ଏବଂ ବରଗଡ଼ରେ ଭବ୍ୟ ଢଂଗରେ ସମ୍ବଲପୁରୀ ଦିନ ଆୟୋଜିତ ହେବ। ସମ୍ବଲପୁର ଜେଲ୍‌ ଛକରେ ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ୍‌ ଆୟୋଜନ ହେବ।

ଏଥିରେ ସକାଳ ୧୦ ଟାରୁ ସମ୍ବଲପୁରୀ କବିତା ପାଠ ପରେ ଦିନ ୧ଟାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିରେ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ସାଂସ୍କୃତିକ ଦଳ ଭାଗ ନେବେ। ସମ୍ବଲପୁରୀ ଦିନ ପାଇଁ ଆୟୋଜିତ ଫଟୋ ପ୍ରତିଯୋଗିତାରେ ୨୫ ଶହରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଛନ୍ତି। ଏଥର ସମ୍ବଲପୁରୀ ସାହିତ୍ୟକ ଅମୃତଲାଲ ସାହୁଙ୍କୁ ଗୁରୁଶ୍ରୀ ସତ୍ୟନାରାୟଣ ସମ୍ବଲପୁରୀ ଜାତୀୟ ସମ୍ମାନ ପ୍ରଦାନ କରାଯିବ ବୋଲି ମଂଚ ପକ୍ଷରୁ ସୂଚନା ଦିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁରୀ ଦିନ୍‌ ସଂଯୋଜକ ଡ.ପ୍ରମୋଦ ରଥ, ଆବାହକ ଭବାନୀଶ ଭୋଇ, ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି, ସମ୍ବଲପୁରୀ ଭାଷା ସାହିତ୍ୟ ସଂଯୋଜିକା ପଂକଜିନୀ ମେହେର, ମହିଳା ସଂଯୋଜିକା କାନ୍ତି ମେହେର ପ୍ରମୁଖ ସୂଚନା ଦେଇଥିଲେ। ଲଲିତ ମୋହନ ବେବର୍ତ୍ତା, ତୃପ୍ତିମୟୀ ପଣ୍ଡା, ସୁରେନ୍ଦ୍ର ବଗର୍ତ୍ତି, ତର୍ପନ ପ୍ରଧାନ, ଶରତ ବହିଦାର, ପ୍ରତୀକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।