ଆସିକା: ଜାଲ୍ ବିଇଡି ପ୍ରମାଣପତ୍ର ଦାଖଲ କରି ଚାକିରି ହାତେଇଥିବା ଜଣେ ନକଲି ଶିକ୍ଷକଙ୍କୁ ଗଞ୍ଜାମ ଜିଲ୍ଲା ଆସିକା ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଜଣକ ହେଉଛନ୍ତି, ଶିବରାମ ମହାନ୍ତି। ଆସିକା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଏତଲାନୁସାରେ, କେସ୍ ନମ୍ବର ୩୭୧/୧୩ ଅନୁସାରେ ଏକ ମାମଲା ରୁଜୁ ସହ ଶିବରାମଙ୍କୁ ଗିରଫ କରା ଯାଇଥିବା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ଶିବରାମ ଆସିକା ବ୍ଲକ୍ ଅଧୀନ ଗଙ୍ଗାପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୨୦୧୫ ମସିହାରୁ କନିଷ୍ଠ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ନିଜ ଘର ଆସିକା ଥାନା ଚଢ଼ିଆପଲ୍ଲୀ ଗ୍ରାମରେ। ସେ ଉତ୍କଳ ବିଶ୍ବବିଦ୍ୟାଳୟର ଜାଲ୍ ବିଇଡି ପ୍ରମାଣପତ୍ର ଦାଖଲ କରି ଚାକିରି କରିଥିବା ଅଭିଯୋଗ ହୋଇଥିଲା। ଛାନଭିନ୍ ବେଳେ ଶିବରାମଙ୍କ ପ୍ରମାଣପତ୍ର ନକଲି ବୋଲି ବିଶ୍ବବିଦ୍ୟାଳୟର କର୍ତ୍ତୃପକ୍ଷ ସ୍ପଷ୍ଟ କରିଥିଲେ। ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ଏସ୍‌.ଗିରିଧାରୀ ଏନେଇ ଆସିକା ଥାନାରେ ଏତଲା ଦେବା ପରେ ଆଜି ଶିବରାମଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।

Advertisment

ସୂଚନା ଥାଉକି, ଆସିକା ବ୍ଲକ୍‌ର ବିଭିନ୍ନ ବିଦ୍ୟାଳୟରେ ଏଭଳି ନକଲି ଶିକ୍ଷକ ଚାକିରି କରୁଛନ୍ତି। ଜାଲ୍ ପ୍ରମାଣପତ୍ର ମାଧ୍ୟମରେ ସେମାନେ ଚାକିରି ହାତେଇ ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି। ଏହାପୂର୍ବରୁ ମଧ୍ୟ ଅନେକ ନକଲି ଶିକ୍ଷକ ଗିରଫ ହୋଇଥିବା ବେଳେ କିଛି ଶିକ୍ଷକ ଚାକିରି ହରାଇଛନ୍ତି। ନକଲି ଶିକ୍ଷକଙ୍କ ଖୋଳତାଡ଼ ଚାଲିଥିବା ବେଳ‌େ ସେମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।