ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଡ଼ାଖୋଲ ବ୍ଲକ ସାଇବେର୍ଣ୍ଣିର୍ ଗ୍ରାମର ସୀତା ପ୍ରଧାନ ଛତୁ ଚାଷ କରି ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ନିଜ ଗାଁରେ ଛତୁ ଚାଷ ଆରମ୍ଭ କରି ପ୍ରାୟ ୨୦ ହଜାର ଟଙ୍କା ରୋଜଗାର କରି ପରିବାର ପ୍ରତିପୋଷଣ କରୁଛନ୍ତି।

Advertisment

ଅବିବାହିତା ସୀତା ପ୍ରାୟ ୫ ବର୍ଷ ତଳେ ନିଜ ପିତାମାତାଙ୍କୁ ହରାଇବା ପରେ ପ୍ରଥମେ ଭାଙ୍ଗିପଡ଼ି ଥିଲେ। ହେଲେ ପରବର୍ତ୍ତି ସମୟରେ ସୀତା ଗାଁରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ହେଲେ। ଛତୁ ଉତ୍ପାଦନ ଗୋଷ୍ଠୀରେ ସାମିଲ ହେଲେ। ଏହି ଗୋଷ୍ଠୀରେ ୨୧ ଜଣ ସଦସ୍ୟ ରହିଥିବା ବେଳେ ସମସ୍ତେ ବ୍ଲକ୍‌ ପକ୍ଷରୁ ଛତୁ ଚାଷ ସର୍ମ୍ପକରେ ତାଲିମ ନେଇଥିଲେ। ତାଲିମ ନେବା ପରେ ସୀତା ନିଜ ଉଦ୍ୟମରେ ଛତୁ ଚାଷ ଆରମ୍ଭ କରିଥିଲେ। କୌଣସି ପ୍ରକାର ଋଣ ନ ନେଇ ନିଜର କିଛି ସଞ୍ଚିତ ଅର୍ଥ ଓ ସମ୍ପର୍କୀୟଙ୍କଠାରୁ ଟଙ୍କା ଉଧାର ଆଣି ଛତୁ ଚାଷ ଆରମ୍ଭ କରିଥିଲେ।

ଆରମ୍ଭରେ ମାସକୁ ଦୁଇ ତିନି ହଜାର ଟଙ୍କା ରୋଜଗାର କରୁଥିବା ବେଳେ ବର୍ତ୍ତମାନ କିଛିମାସ ହେବ ପ୍ରାୟ ମାସକୁ ୨୦ ହଜାର ଟଙ୍କା ରୋଜଗାର କରୁଥିବା ସୀତା କୁହନ୍ତି। ସୀତାଙ୍କ ଭାଇ ଭଉଣୀ ମିଶି ପରିବାରରେ ୪ ଜଣ ସଦସ୍ୟ। କିନ୍ତୁ ସୀତା ହେଉଛନ୍ତି ଏକମାତ୍ର ରୋଜଗାରକ୍ଷମ। ଦୁଇ ଭାଇ ଗାଁରେ ଚାଷବାସ କରୁଥିବା ବେଳେ ସୀତାଙ୍କୁ ଛତୁ ଚାଷରେ ମଧ୍ୟ ସହଯୋଗ କରନ୍ତି। ସେ ଆହୁରି ମଧ୍ୟ ଗାଁକୁ ଗାଁ ଯାଇ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ପରାମର୍ଶ ଦିଅନ୍ତି। ବିଶେଷ କରି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ଲୋକଙ୍କ ଅବଗତ କରନ୍ତି। ବିଶେଷ କରି ଅସହାୟ ମହିଳାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସୀତା ସହାୟତା କରିଥାନ୍ତି। ଆଗ୍ରହୀ ମହିଳାଙ୍କୁ ଛତୁ ଚାଷ ପାଇଁ ତାଲିମ ବି ଦିଅନ୍ତି।