ସମ୍ବଲପୁର: କୁଖ୍ୟାତ ଅପରାଧୀ ଅମିତ ବିହାରୀ ଓରଫ ଅମିତ ସାହୁକୁ ସମ୍ବଲପୁର ପୁଲିସ ଶୁକ୍ରବାର ସନ୍ଧ୍ୟାରେ ଏନ୍‌କାଉଣ୍ଟର କରିଛି। ପୁଲିସ କ୍ଷେତରାଜପୁର ଥାନା ଅଞ୍ଚଳରେ ଅମିତକୁ ଏନ୍‌କାଉଣ୍ଟର କରି ଗିରଫ କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ପୁଲିସ ଏକ ପିସ୍ତଲ ଓ ଗୁଳି ଜବତ କରିଛି। ସମ୍ବଲପୁର ଏସ୍‌ପି କେ. ବି. ସିଂହ ଏହି ସୂଚନା ଦେଇଛନ୍ତି। ଅମିତ ନାଁରେ ବିଭିନ୍ନ ଥାନାରେ ୮ରୁ ଅଧିକ ଅପରାଧିକ ମାମଲା ରହିଛି।

Advertisment

ସୂଚନାଯୋଗ୍ୟ ଅମିତ ବିହାରୀ କ୍ଷେତରାଜପୁର ଅଞ୍ଚଳର ଜଣେ ୨୨ ବର୍ଷର ଯୁବକଙ୍କୁ ଅପହରଣ କରି ନେଇ ତାଙ୍କ ବାପାଙ୍କୁ  ୬୦ ହଜାର ଟଙ୍କା ଦାବି କରୁଥିଲା। ଏ ନେଇ ଆଜି ପୂର୍ବାହ୍ଣରେ ଥାନାରେ ମାମଲା ରୁଜୁ ହୋଇଥିଲା। କ୍ଷେତରାଜପୁର ଆଇଆଇସି ମମତା ନାଏକଙ୍କ ନେତୃତ୍ୱରେ ଏକ ସ୍ପେଶାଲ ସ୍କ୍ଵାର୍ଡ ଗଠନ କରି ଅମିତର ଲୋକେଶନ ଟ୍ରାକ କରାଯାଇଥିଲା। ତେବେ ଅମିତ କ୍ଷେତରାଜପୁର ଥାନା ଗୁଡେଶ୍ୱର ବାବା ମନ୍ଦିର ନିକଟରେ ଥିବା ପୁଲିସ ସୂଚନା ପାଇଥିଲା। ଏହା ପରେ ପୁଲିସ ଅତର୍କିତ ଭାବେ ଚଢ଼ାଉ କରିଥିଲା। ପୁଲିସକୁ ଦେଖି ଅମିତ ୨ ରାଉଣ୍ଡ ଗୁଳି ଚଳାଇଥିଲା। ସେପଟେ ପୁଲିସ ମଧ୍ୟ ପାଲଟା ଜବାବ ଦେଇ ଅମିତର ବାମ ଗୋଡ଼କୁ ୨ ରାଉଣ୍ଡ ଗୁଳି କରିଥିଲା। ଏହି ଘଟଣାରେ ଅମିତ ଗୁରୁତର ଆହତ ହୋଇଥିବା ବେଳ ତାକୁ ବୁର୍ଲା ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଅପରହଣକାରୀ ଅମିତର ମାଡ଼ରେ ଅପହୃତ ଯୁବକ ମଧ୍ୟ ଆହତ ହୋଇଥିବା ବେଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ତମାମ ଘଟଣାରେ କ୍ଷେତରାଜପୁର ଆଇଆଇସି ବୁର୍ଲା ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି।

ମାସକ ଭିତରେ ୩ୟ ଏନ୍‌କାଉଣ୍ଟର
ସୂଚନାଯୋଗ୍ୟ ମାସକ ଭିତରେ ସମ୍ବଲପୁରରେ ଏହା ୩ୟ ଏନ୍‌କାଉଣ୍ଟର ହୋଇଛି। ପ୍ରଥମେ ଗଣେଶ ପୂଜା ଦିନ ସେପ୍ଟେମ୍ବର ୨ରେ ସମ୍ବଲପୁର ସିଟି ରେଳ ଷ୍ଟେସନ ନିକଟରେ କୁଖ୍ୟତ ଅପରାଧୀ ମୌସିମ ଅଖତର ଓରଫ ବିଟ୍ଟୁ (୩୨)କୁ ପୁଲିସ ଏନ୍‌କାଉଣ୍ଟର କରିଥିଲା। ସେପ୍ଟେମ୍ବର ୧୦ରେ କୁଖ୍ୟାତ ଅପରାଧୀ ତ୍ରିଦେବ ବାଗ (୨୫)କୁ ପୁଲିସ ଧନୁପାଲି ଥାନା କୁଲୁଥକାନି ଧନକଉଡା ରୋଡରେ ଏନ୍‌କାଉଣ୍ଟର କରିଥିଲା।