ଚିଲିକା ଗଡ଼ ଜେଟିରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ, ୬ଦିନ ଧରି ଚାଲିବ ଅଭିଯାନ

ବ୍ରହ୍ମଗିରି: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ତହସିଲ ଅଂଳଚରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ତରଫରୁ ଚିଲିକା ଗଡ଼ ଜେଟିରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ ପ୍ରଶାସନ ୬୦ ହେକ୍ଟର ଜଳରାଶିରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରିଛି। ସାନଅଁଳ, କୃଷ୍ଣପ୍ରସାଦ ଓ ପିଛିଣି ଅଂଚଳରେ ଥିବା ଏହି ବେଆଇନ ଚିଙ୍ଗୁଡ଼ି ଘେରିକୁ ପ୍ରଶାସନ ପ୍ରଥମ ଦିନରେ ଉଚ୍ଛେଦ କରିଥିବା ସୂଚନା ଦେଇଛି। ଏହି ପ୍ରକ୍ରିୟା ୬ଦିନ ଧରି ଚାଲିବ ବୋଲି ସିଡିଏ ତରଫରୁ ସୂଚନା ମିଳିଛି ।

କୃଷ୍ଣପ୍ରସାଦ ତହିସିଲଦାର ଉଲାସ କୁମାର ସେଠୀଙ୍କ ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନ ୧୧ଟାରୁ ଏହି ବେଆଇନ ଚିଙ୍ଗୁଡ଼ି ଘେରି ପ୍ରକ୍ରିୟା ଆରମ୍ଭ ହୋଇ ଅପରାହ୍ନ ସାଢ଼େ ୪ଟାରେ ଶେଷ ହୋଇଛି। ବେଆଇନ ଚିଙ୍ଗୁଡ଼ି ଘେରିରୁ ଜାଲ ଓ କୀଳାକୁ ଭଙ୍ଗାଯାଇ ଏହାକୁ ପ୍ରଶାସନ ପୋଡ଼ି ଦେଇଛି। ଉଚ୍ଛେଦ ପ୍ରକ୍ରିୟାରେ ରାଜସ୍ବ ବିଭାଗର ଏଡିଏମ୍‌ ସୁବାଷ ନାଥ ଶର୍ମା, ଏସଡ଼ିପିଓ କିଶୋର କୁମାର ମୁଣ୍ଡୁ, କୃଷ୍ଣପ୍ରସାଦ ବିଡିଓ ଅଭିମନ୍ୟୁ ମାଝୀଙ୍କ ସହିତ ସିଡିଏର ଅଧିକାରୀ ୩ ଜଣ ଇଂଜିନିୟର, ୨ ଜଣ ବୈଜ୍ଞାନିକ, ୪ ଜଣ ରାଜସ୍ବ ନିରୀକ୍ଷକ, ଜଣେ ରାଜସ୍ବ ନିରୀକ୍ଷକ ସୁପରଭାଇଜ, ୨ ପ୍ଲାଟୁନ ଫୋର୍ସ, ଏକ ପ୍ଲାଟୁନ ମହିଳା ଫୋର୍ସ, ୬୦ ଜଣ ଶ୍ରମିକ, ୨ଟି ଏକ୍ସଟ୍ରାଭେଟର ଓ ୧୨ଟି ଡଙ୍ଗା ଏହି ଉଛେଦ ପ୍ରକ୍ରିୟାରେ ନିୟୋଜିତ ଥିଲେ। ଆଗାମୀ ଦିନରେ ଏହି ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପ୍ରକିୟା ଜାରି ରହିବ ବୋଲି ତହସିଲଦାର ଶ୍ରୀ ସେଠୀ ‘ସମ୍ବାଦ’କୁ କହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟ ସରକାର ଚିଲିକା ନୀତି ଆଣିବା ପରେ ବେଆଇନ ଘେରି ଉଚ୍ଛେଦ କରିବାକୁ ଦାବି କରି ସପ୍ତାହକ ପୂର୍ବେ କୃଷ୍ଣପ୍ରସାଦ ତହସିଲ ଅଧିନରେ ଥିବା ଶତାଧିକ ଲୋକେ କୃଷ୍ଣପ୍ରସାଦ ଥାନାକୁ ଦିନ ତମାମ ଘେରାଉ କରି ରଖିଥିଲେ।  ପ୍ରଶାସନ ସେମାନଙ୍କୁ ୪ ଦିନର ମହଲତ ଦେଇଥିଲା। ଚିଲିକାରେ ପ୍ରତ୍ୟେକ ବର୍ଷ ହଜାର ହଜାର ଏକର ବେଆଇନ ଚିଙ୍ଗୁଡ଼ି ଘେରି ଭାଙ୍ଗିବା ପ୍ରଶାସନ ଦାବି କରିଆସୁଛି। ପୁଣି ଥରେ ଘେରି ଗଢ଼ି ଉଠୁଛି। ଚିଙ୍ଗୁଡ଼ି ଘେରିକୁ ନେଇ ଚିଲିକାରେ ଅନେକ ଥର ରକ୍ତାକ୍ତ ସଂଘର୍ଷ ସହିତ ଧନଜୀବନ ହାନୀ ଘଟିବାର ଅନେକ ନଜିର ରହିଛି। ମାନ୍ୟବର ସୁପ୍ରିମକୋର୍ଟ ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କୌଣସି ବେଆଇନ ଚିଙ୍ଗୁଡ଼ି ଘେରି ହୋଇପାରିବ ନାହିଁ।

ସମ୍ବନ୍ଧିତ ଖବର