ରଙ୍ଗବଜାର ରାସ୍ତାପାର୍ଶ୍ବରୁ ଜବରଦଖଲ ଉଚ୍ଛେଦ ସ୍ଥଗିତ,ସମୟ  ମାଗିଲେ ବ୍ୟବସାୟୀ

ବାଲିଅନ୍ତା: ରଙ୍ଗବଜାର ରାସ୍ତା ପାର୍ଶ୍ବରୁ ଜବରଦଖଲ ଉଚ୍ଛେଦ ନେଇ ବାଲିଅନ୍ତା ତହସିଲ ପ୍ରଶାସନ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ସାମୟିକ ସମୟ ପାଇଁ ସ୍ଥଗିତ ରଖାଯାଇଛି। ଆଜି ଜବରଦଖଲକାରୀ ବ୍ୟବସାୟୀମାନେ ତହସିଲଦାର ସରୋଜ କୁମାର ପଣ୍ଡାଙ୍କ ସହ ଏନେଇ ବ୍ୟାପକ ଆଲୋଚନା କରିଥିଲେ। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଉଚ୍ଛେଦ ପ୍ରକ୍ରିୟାକୁ ବନ୍ଦ ରଖିବା ପାଇଁ ଅନୁରୋଧ କରିଥିଲେ। ଏହି ୧୦ ଦିନ ମଧ୍ୟରେ ବ୍ୟବସାୟୀମାନେ ନିଜର ଅସ୍ଥାୟୀ ଦୋକାନ, ଉଠା ଦୋକାନ ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ୟତ୍ର ସ୍ଥାନାନ୍ତର କରି ନେବାକୁ ପ୍ରତିଶ୍ରୁତି ଦେଇଥିଲେ।

ତହସିଲଦାର ସରୋଜ କୁମାର ପଣ୍ଡାଙ୍କ ସୂଚନା ଅନୁସାରେ ଗତ ୧୧ ତାରିଖରେ ଜବରଦଖଲକାରୀ ବ୍ୟବସାୟୀଙ୍କୁ ଉଚ୍ଛେଦ ସଂପର୍କରେ ନୋଟିସ ଜାରି କରାଯାଇଥିଲା। ବାଲିଅନ୍ତା ଥାନା ଏବଂ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିଲା। ଉଚ୍ଛେଦ ବେଳେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜେ ସେନେଇ ଆବଶ୍ୟକ ପୁଲିସ ଫୋର୍ସ ମଗାଯାଇଥିଲା। ଆଜି ଏନେଇ ତହସିଲ ପ୍ରଶାସନ ପ୍ରସ୍ତୁତି ଚଳାଇଥିବା ବେଳେ ‌ସମୂହ ବ୍ୟବସାୟୀ ତଦସିଲଦାରଙ୍କୁ କାର୍ଯ୍ୟାଳୟରେ ଭେଟି ଉପରୋକ୍ତ ଦିନ ପର୍ଯ୍ୟନ୍ତ ଉଚ୍ଛେଦ ବନ୍ଦ ରଖାଯିବାକୁ ଅନୁରୋଧ କରିଥିଲେ।

ଖବର ନେବାରେ ଜଣାପଡ଼ିଛିଯେ,ରଙ୍ଗବଜାର ବଜାଲ ସଂଲଗ୍ନ ସରଦେଇପୁର – ନିମାପଡ଼ା ପୂର୍ତ୍ତ ବିଭାଗ ଅଧୀନ ଉକ୍ତ ରାସ୍ତାର ପୁରୁଣା ଜଗନ୍ନାଥ ରାସ୍ତାର କୁଆଖାଇ ନଦୀବନ୍ଧ ଓ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା ଅନେକ ବ୍ୟବସାୟୀଙ୍କ କବଜାରେ ରହିଛି। ଯାହାଫଳରେ ଗାଡ଼ିମଟର ଯାତାୟତ କ୍ଷେତ୍ରରେ ନାହିଁ ନଥିବା ସମ୍ୟା ଉପୁଜୁଛି। ଭାରୀଯାନଗୁଡ଼ିକ ପରସ୍ପରକୁ ଅତିକ୍ରମ କରିବା ବେଳେ ରାସ୍ତା ଅବସ୍ଥା ସଂକୀର୍ଣ୍ଣ ହୋଇପଡ଼ୁଛି। ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣାମାନ ଘଟୁଛି। ବାଇକ ଆରୋହୀ ଏବଂ ପଥଚାରୀ ଅନୁରୂପ ସମସ୍ୟା ଭୋଗୁଛନ୍ତି। ୧୦୮ ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ସେବା ଗାଡ଼ି ସମେତ ସ୍କୁଲ କଲେଜ ଗାଡ଼ି ଦୀର୍ଘ ସମୟ ଧରି ଫସି ରହୁଛି। ଅଞ୍ଚଳବାସୀଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରାଯାଉଛି।

ସମ୍ବନ୍ଧିତ ଖବର