ସିଟି ଷ୍ଟେସନ୍‌ରୁ ମାନେଶ୍ବର ମଧ୍ୟରେ ଦୋହରୀକରଣ ଶେଷ

ସମ୍ବଲପୁର: ସମ୍ବଲପୁର-ତାଳଚେର ମଧ୍ୟରେ ରେଳ ଦୋହରୀକରଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି। ସମ୍ବଲପୁର ଜଂସନ୍‌ରୁ ସମ୍ବଲପୁର ସିଟି ଷ୍ଟେସନ୍ ମଧ୍ୟରେ ୫ କିଲୋମିଟର୍‌କୁ ବାଦଦେଲେ ଏହି ସେକ୍‌ସନରେ ଦୋହରୀକରଣ ସମ୍ପୂର୍ଣ୍ଣ ହୋଇଛି। ବିଦ୍ୟୁତୀକରଣ କାର୍ଯ୍ୟ ପୂର୍ବରୁ ଶେଷ ହୋଇଛି। ମଙ୍ଗଳବାର ଦକ୍ଷିଣପୂର୍ବ ସର୍କଲ ରେଳ ନିରାପତ୍ତା ଆୟୁକ୍ତ ଏଏମ୍‌ ଚୌଧୁରୀ ଏହି ପ୍ରକଳ୍ପର ବାକି ଥିବା ଅନ୍ୟତମ ଅଂଶ ସମ୍ବଲପୁର ସିଟିରୁ ମାନେଶ୍ବର ଷ୍ଟେସନ୍‌ ମଧ୍ୟସ୍ଥ ଦୋହରୀକରଣ କାର୍ଯ୍ୟର ନିରୀକ୍ଷଣ ଓ ନିରାପତ୍ତା ଯାଞ୍ଚ କରିଛନ୍ତି। ନିରୀକ୍ଷଣ ସମୟରେ ଶ୍ରୀ ଚୌଧୁରୀ ଓଭରହେଡ୍ ଉପକରଣ, ନୂଆ ରେଳ ଧାରଣା, ନବନିର୍ମିତ ପୋଲ, ସଂକେତ ଓ ଦୂରସଂଚାର ଉପକରଣ, ଲେଭେଲ୍ କ୍ରସିଂ ଆଦି ନିରୀକ୍ଷଣ କରିଥିଲେ। ତାଙ୍କ ଉପସ୍ଥିତିରେ ଉଭୟ ଷ୍ଟେସନ୍‌ ମଧ୍ୟରେ ସ୍ପିଡ୍ ଟ୍ରାଏଲ୍ ବି କରା ଯାଇଥିଲା।

ସିଏସ୍‌ଆର୍‌ଙ୍କ ଯାଞ୍ଚ ପରେ ଏହି ଷ୍ଟେସନ୍ ଦ୍ବୟ ମଧ୍ୟରେ ନୂଆ ଦୋହରା ଲାଇନ୍‌ ଉପରେ ଶୀଘ୍ର ଟ୍ରେନ୍ ଦୌଡ଼ିବ ଓ ମଣ୍ଡଳରେ ରେଳ ଯାତାୟତ ସୁଗମ ହେବ ବୋଲି ରେଳବାଇ ପକ୍ଷରୁ କହାଯାଇଛି। ମଙ୍ଗଳବାର ତାଙ୍କର ପରିଦର୍ଶନ ସମୟରେ ମଣ୍ଡଳ ମୁଖ୍ୟ ପ୍ରବନ୍ଧକ ବିନୀତ ସିଂହ, ପୂର୍ବତଟ ରେଳପଥର ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ପି ଶ୍ରୀନିବାସଙ୍କ ସହିତ ପୂର୍ବତଟ ରେଳପଥ ମୁଖ୍ୟାଳୟ ଓ ସମ୍ବଲପୁର ମଣ୍ଡଳର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର