ଜଳସମ୍ପଦ କାର୍ଯ୍ୟାଳୟରେ ତାଲା, ନାହାନ୍ତି ନିୟମିତ ଯନ୍ତ୍ରୀ

ନାମକୁମାତ୍ର କେନାଲ ସଫେଇ, ମେଲା ପଡ଼ିଛି ଘାଇ

ମାହାଙ୍ଗା: ପୂର୍ବ ମାହାଙ୍ଗା ଓ ଡେରାବିଶ ଅଞ୍ଚଳର ଚାଷଜମିକୁ ଜଳଯୋଗାଣ ନିମନ୍ତେ ମାହାଙ୍ଗା ବ୍ଲକ୍‌ ନାହାଙ୍ଗ ପଞ୍ଚାୟତ ଅନ୍ତର୍ଗତ ବାଲିପଡ଼ାରେ ରହିଛି ଅଛୁତପୁର ଜଳସମ୍ପଦ ସେକ୍ସନ୍‌ କାର୍ଯ୍ୟାଳୟ। ଏହି ସେକ୍ସନ୍‌ରେ ତିନିବର୍ଷରୁ ଅଧିକ ସମୟ ଧରି ନିୟମିତ ଯନ୍ତ୍ରୀ ନିଯୁକ୍ତ କରାଯାଇନାହିଁ। ଫଳରେ କେନାଲ ସଫେଇରୁ ଆରମ୍ଭ କରି ରକ୍ଷଣାବେକ୍ଷଣ, ନିର୍ମାଣ ଆଦି କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି। ଅନ୍ୟପଟେ, ଏହି ସେକ୍ସନ୍‌ରେ କେନ୍ଦୁପାଟଣା ଜଳସମ୍ପଦ ବିଭାଗ ଯନ୍ତ୍ରୀ ଅତିରିକ୍ତ ଭାବେ ଦାୟିତ୍ବରେ ରହିଛନ୍ତି। ସେ ଅଧିକା˚ଶ ସମୟ କାର୍ଯ୍ୟାଳୟକୁ ଆସୁ ନାହାନ୍ତି। ଖରିଫ ଧାନ ଫସଲ ନିମନ୍ତେ ସପ୍ତାହକ ତଳୁ କେନ୍ଦ୍ରାପଡ଼ା ମୁଖ୍ୟ କେନାଲରେ ପାଣି ଆସିଛି। ହେଲେ, ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତି ଯୋଗୁଁ ଏହାର ଶାଖା କେନାଲରେ ପାଣି ଆସିପାରୁ ନ ଥିବାରୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି। ଏ ନେଇ ଚାଷୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରକାଶଥାଉ କି, ଅଛୁତପୁର ଜଳସମ୍ପଦ ସେକ୍ସନ୍‌ ଅଧୀନରେ କେନ୍ଦ୍ରାପଡ଼ା ମୁଖ୍ୟ କେନାଲର ୮କେ, ୮ଜି, ୮ଏଚ, ୮କେ, ୮ଆଇର ପ୍ରାୟ ୪୦ କିମି ଦୈର୍ଘ୍ୟ ଶାଖା କେନାଲ ରହିଛି। ବର୍ଷା ଋତୁ ପୂର୍ବରୁ କେନାଲଗୁଡ଼ିକରୁ ଘାସ, ବଣବୁଦା ସଫା କରାଯିବାର ବ୍ୟବସ୍ଥା ରହିଛି। ଏହା ଠିକ୍‌ ସମୟରେ କାର୍ଯ୍ୟକାରୀ ନ ହେବାରୁ କେନାଲ୍‌ ଶେଷମୁଣ୍ଡକୁ ପାଣି ପହଞ୍ଚୁ ନ ଥିବା ଚାଷୀମାନେ ପ୍ରକାଶ କରିଛନ୍ତି। କେନାଲ ସଫେଇ ନିମନ୍ତେ ଟେଣ୍ଡର ମାଧ୍ୟମରେ ଠିକାଦାର ନିଯୁକ୍ତ କରାଯାଇଛି। କିନ୍ତୁ, ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଠିକାଦାରମାନେ ମନମୁଖୀ ଭାବେ ନିମ୍ନମାନର ସଫେଇ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି।

ଗତବର୍ଷ ଏହିଭଳି କେନାଲ ସଫେଇ ଓ ମରାମତି କାର୍ଯ୍ୟ ହେବାରୁ ପାଣି ଆସିବା ପରେ ଆପିଲୋ, ଉମର, ଗୋତରା, ନାହାଙ୍ଗ, ଗୌଡ଼ଗୋପ, ହଳଦିଆ, ଝାଡ଼େଶ୍ବରପୁର, ଓସ୍ତପୁରସ୍ଥିତ ଶାଖା କେନାଲରେ ଘଳିଆ ସୃଷ୍ଟି ହେବା ସହ ବନ୍ଧ ଭାଙ୍ଗି ଗାଁ ଭିତରକୁ ପାଣି ପଶି ଯାଇଥିଲା। ଏବେ ଏହି ସେକ୍ସନ୍‌ର ୮କେ, ୮ଜି ଓ ୮ଏଚ କେନାଲ୍‌ରେ ନାମକୁମାତ୍ର ମେସିନ୍‌ ଦ୍ବାରା ସଫେଇ କରାଯାଉଥିଲା ବେଳେ ପୂର୍ବପରି ବଣବୁଦା, ଘାସ ରହିଥିବା ଦେଖିବାକୁ ମିଳିଛି। ପୂର୍ବବର୍ଷ ଘଳିଆ ହୋଇଥିବା ସ୍ଥାନଗୁଡ଼ିରେ ବାଲିବସ୍ତା ପକାଇ ବନ୍ଦ କରାଯାଇଥିଲା। ଏହି ଅଖା ଫାଟି ବାଲି ଧୋଇଯିବାରୁ ବନ୍ଧ ମୁକୁଳା ପଡ଼ିଛି। ମୁକୁଳା ସ୍ଥାନକୁ ସଫେଇ ସମୟରେ ମରାମତି କରାଯାଉ ନ ଥିବା ଚାଷୀମାନେ ସୂଚନା ଦେଇଛନ୍ତି। ଏ ନେଇ ଅଭିଯୋଗ କରିବାକୁ ଯାଉଥିବା ଚାଷୀମାନେ କାର୍ଯ୍ୟାଳୟରେ ଯନ୍ତ୍ରୀକୁ ନ ପାଇ ନିରାଶ ହୋଇ ଫେରୁଛନ୍ତି। ଏ ସମ୍ପର୍କରେ ଅଛୁତପୁର ସେକ୍ସନ୍‌ ଅତିରିକ୍ତ ଦାୟିତ୍ବରେ ଥିବା ଯନ୍ତ୍ରୀ ରାଜେନ୍ଦ୍ର କୁମାର ମଲିକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ କେନାଲ ସଫେଇ ଚାଲିଛି। କେନାଲରେ ପାଣି ଆସିଲେ ମଧ୍ୟ ସଫେଇ ହୋଇପାରିବ ବୋଲି ସେ ପ୍ରକାଶ କରିଛନ୍ତି। ଏଥିପ୍ରତି କେନ୍ଦୁପାଟଣା ଜଳସମ୍ପଦ ବିଭାଗ ଉପଖଣ୍ଡ ଅଧିକାରୀ ଓ ଜଗତପୁରସ୍ଥିତ ଜଳସମ୍ପଦ ନର୍ଥ ଡିଭିଜନ ନିର୍ବାହୀ ଯନ୍ତ୍ରୀ ସ୍ବତନ୍ତ୍ର ଦୃଷ୍ଟି ଦେଇ କେନାଲ ସଫେଇରେ ହେଉଥିବା ଅନିୟମିତତା ଅଭିଯୋଗର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର