ବାରିପଦା ସହରରେ ବିଭିନ୍ନ ଦୋକାନ ହୋଲସେଲର ଚଢ଼ଉ:ଦର ଅଧିକ ହେଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ, ସମସ୍ତେ ମାରିବେ ଦର ତାଲିକା

ଇଞ୍ଜିନ୍ ସୋରିଷ ତେଲ ଲିଟର ପ୍ରତି ୧୭୦ ଟଙ୍କାରେ ବିକ୍ରି କରିବାକୁ ନିର୍ଦ୍ଦେଶ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାରେ ଖୋଲା ବଜାରରେ ବିଭିନ୍ନ ପ୍ରକାର ରନ୍ଧା ତେଲ ଅମୂଲ ମୂଲରେ ବିକ୍ରି ହେଉଛି। ଖାଉଟିଙ୍କୁ ମହରଗ ହେଲାଣି ସୋରିଷ ତେଲ। ଯୋଗାଣ ବିଭାଗର ନିଷ୍କ୍ରିୟତା କାରଣରୁ ମୁନାଫାଖୋର ବ୍ୟବସାୟୀମାନେ ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରି ସାଧାରଣ ଲୋକଙ୍କୁ ସଙ୍କଟରେ ପକାଉଛନ୍ତି। ଆଜି ଏନେଇ ଏକ ଖବର ‘ସମ୍ବାଦ’ରେ ପ୍ରକାଶ ପରେ ତେଜିଛି ଯୋଗାଣ ବିଭାଗ।

ସୋରିଷ ତେଲ ସହ ସମସ୍ତ ଖାଇବା ତେଲର ଅଭାବି ବିକ୍ରିବଟା ଉପରେ ଅଙ୍କୁଶ ଲଗାଇବା ନିମନ୍ତେ ଆଜି ବାରିପଦା ପୌରପରିଷଦରେ ଥିବା ବିଭିନ୍ନ ତେଜରାତି ଦୋକାନ, ହୋଲସେଲର ଓ ଡିଷ୍ଟ୍ରିବ୍ୟୁଟର ଆଦିଙ୍କ ଉପରେ ଅଚାନକ ଚଢ଼ଉ କରାଯାଇଛି । ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଏହି ଚଢ଼ଉ ହୋଇଥିଲା। ବାରିପଦା ମୁଖ୍ୟାଳୟ ଏସିଏସଓ କିଶୋର କୁମାର ମହାରଣା, ବାରିପଦା ସଦର ଏସିଏସଓ ସର୍ବେଶ୍ୱର ନାୟକ, ଏସିଏସଓ ଦିଲ୍ଲୀପ କୁମାର ପାଣିଗ୍ରାହୀ,  ପୌରପରିଷଦ ମାର୍କେଟିଂ ଇନ୍ସପେକ୍ଟର ପ୍ରଦୀପ କୁମାର ବେହେରା ପ୍ରମୁଖଙ୍କୁ ନେଇ ଗଠିତ ଏକ ଟିମ୍ ଏହି ଚଢ଼ଉରେ ସାମିଲ ଥିଲେ। ବିକ୍ରି ଦର ସହିତ ବିଭିନ୍ନ ବିଷୟରେ ବ୍ୟବସାୟୀ ଏବଂ ଗ୍ରାହକମାନଙ୍କ ଠାରୁ ପଚାରି ବୁଝିଥିଲେ ଏହି ଟିମ୍। ତେବେ ନିର୍ଦ୍ଧାରିତ ଦର ଠାରୁ ଅଧିକ ମୂଲ୍ୟରେ ବିକିଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛି ବିଭାଗ।

ଦୋକାନୀମାନେ ଏଣିକି ଗ୍ରାହକଙ୍କ ସୂଚନା ନିମନ୍ତେ ଷ୍ଟକ ରେଜିଷ୍ଟାର ସହିତ ଦର ତାଲିକା ଝୁଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଚଢ଼ଉ କାଳରେ କିଛି ଦୋକାନୀ ଅଧିକ ଦରରେ ତେଲ ବିକ୍ରି କରୁଥିବା ନଜରକୁ ଆସୁଥିଲା। ଏହାପରେ ୪ରୁ ୫ ଟଙ୍କା ଲାଭ ରଖି ବିକ୍ରି କରିବା ନିମନ୍ତେ ତାଗିତ କରିଥିଲା ଟିମ୍। ଏଥି ସହିତ ଏହି ପ୍ରକାର ଚଢ଼ଉ କ୍ରମାଗତ ଭାବେ ଜାରି ରହିବ ବୋଲି ଜଣାପଡ଼ିଛି। ଏଣିକି ଇଞ୍ଜିନ୍ ସୋରିଷ ତେଲ ଲିଟର ପ୍ରତି ୧୭୦ ଟଙ୍କା,  ଫର୍ଚ୍ୟୁନ ୧୬୪, ଫର୍ଚ୍ୟୁନ୍ ରିଫାଇନ୍ ଅଏଲ୍ ୧୬୪, ଆଧାର ରିଫାଇନ୍ ସନ୍ଫ୍ଲାୱାର୍ ତେଲ ୧୫୮, ଗିରଧର ସୋରିଷ ତେଲ ଲିଟର ପ୍ରତି ୧୬୦ ଟଙ୍କା ଦରରେ ବିକ୍ରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲେଖଯୋଗ୍ୟଯେ ଖୁଚୁରା ଦୋକାନରେ ଏକ ଲିଟର(୯୧୦ ଗ୍ରାମ) ଇଞ୍ଜିନ ସୋରିଷ ତେଲ ୧୯୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ଫର୍ଚ୍ୟୁନ୍ ସୋରିଷ ତେଲ ୨୧୨ ଟଙ୍କାରେ ବିକ୍ରି ହେଉଛି । ଆଉ କିଛି ଦିନ ପରେ ସୋରିଷ ତେଲର ମୂଲ୍ୟ ଅଢ଼େଇଶହ ଟଙ୍କାକୁ ଟପିବାର ଖୁଚୁରା ବ୍ୟବସାୟୀମାନେ ଆଶଙ୍କା କରିଛନ୍ତି । ଏନେଇ ଯୋଗାଣ ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର