ଭିଜିଲାନସ୍ ଜାଲରେ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ, ୩ଟି ଦଳର ଚଢ଼ାଉ ଜାରି

ଜୟପୁର : ୨୦ହଜାର ଟଙ୍କା ଲାଂଚ ନେଇ ଆଜି ସଂଧ୍ୟାରେ ଧରାପଡ଼ିଛନ୍ତି ଟାଟା ପାୱର ସାଉଥର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସଓଡିଏଲ), ଏସଡିଓ କାର୍ଯ୍ୟାଳୟ (ଷ୍ଟୋର)ର ସହକାରୀ ଯନ୍ତ୍ରୀ କେ.ଶ୍ରୀନିବାସ ପାତ୍ର। ଲ୍ୟାଡ଼ର ମ୍ୟାନ ଚାକିରି କରାଇ ଦେଇଥିବାରୁ ଏହି ଟଙ୍କା ନେଉଥିବା ବେଳେ ତାଙ୍କ କାର୍ଯ୍ୟାଳୟ ଉପରେ ଚଢ଼ାଉ କରି  ଗିରଫ କରିଛି କୋରାପୁଟ ଭିଜିଲାନସ୍ । ତାଙ୍କ ନିକଟରୁ ୨୦ହଜାର ଟଙ୍କା ଉଦ୍ଧାର କରିବା ସହ ତାଙ୍କ ହାତ ଓ ତାଙ୍କ ଟେବୁଲର ଡ୍ରକୁ ଧୋଇ କ୍ୟାମିକାଲର ରଂଗ ପାଇଛି ଭିଜିଲାନସ୍। ପଚାରାଉଚୁରା ଜାରି ରହିଥିବା ବେଳେ ଭିଜିଲାନସର ତିନୋଟି ଦଳ ଏହି ଚଢ଼ାଉରେ ସାମିଲ ହୋଇଥିଲେ। ଗୋଟିଏ ଦଳ ପାୱାରହାଉସ କଲୋନୀସ୍ଥ ଟିପିଏସଓଡିଏଲ, ଏସଡିଓ କାର୍ଯ୍ୟାଳୟ(ଷ୍ଟୋର), ପାୱାରହାଉସରେ ଥିବା ତାଙ୍କ ଭଡ଼ା ଘର ଓ ଗଂଜାମ ଜିଲ୍ଲାର ଛତ୍ରପୁରସ୍ଥ ବାସଭବନରେ ଚଢ଼ାଉ କରାଯାଇଛି। ତାଙ୍କ କାର୍ଯ୍ୟାଳୟ ଆଲମିରାରୁ ୮୬ହଜାର ୫୧୦ଟଙ୍କା ଏବଂ ଭଡ଼ା ଘରୁ ୪ହଜାର ୮୦୦ଟଙ୍କା ଭିଜିଲାନସକୁ ଯାଂଚ ବେଳେ ମିଳିଛି।

ସୂଚନା ଅନୁଯାୟୀ, ପୁରୁଷତି ଭୁମିଆ ପୂର୍ବରୁ ଟିପିଏସଓଡିଏଲରେ ଆଉଟସୋର୍ସିଂରେ ସିକ୍ୟୁରିଟି ଗାର୍ଡ (ସୁରକ୍ଷାକର୍ମୀ) ଭାବେ କାମ କରୁଥିଲେ। ଏ ସମୟରେ ଶ୍ରୀ ପାତ୍ରଙ୍କ ସହ ପୁରୁଷତିର ଦେଖାସାକ୍ଷାତ ହୋଇଥିଲା। ବିଭାଗରେ ଲ୍ୟାଡରମ୍ୟାନ୍ ଚାକିରୀ କରାଇଦେବାକୁ ଶ୍ରୀ ପାତ୍ର ପୁରଷତି ସହ କଥାବାର୍ତ୍ତା କରିଥିଲେ। ଏଥି ପାଇଁ ତାଙ୍କୁ ୨୦ହଜାର ଟଙ୍କା ଲାଂଚ ମାଗିଥିଲେ ଶ୍ରୀ ପାତ୍ର। ପୁରଷତି ଟଙ୍କା ଦେବା ପୂର୍ବରୁ ଭିଜିଲାନସ୍ ସହ କଥାବାର୍ତ୍ତା କରିଥିଲେ। ଆଜି ସଂଧ୍ୟାରେ ଶ୍ରୀ ପାତ୍ର ତାଙ୍କ କାର୍ଯ୍ୟାଳୟରେ ଥିବା ସମୟରେ ପୁରୁଷତି ଭିଜିଲାନସ୍ ଦେଇଥିବା ରାସୟନିକ ବୋଳା ଟଙ୍କା ଦେଇଥିଲେ। ଶ୍ରୀ ପାତ୍ର ଏହି ଟଙ୍କା ନେଇ ନିଜ କାର୍ଯ୍ୟାଳୟରେ ଥିବା ଟେବୁଲ ଡ୍ର ମଧ୍ୟରେ ରଖିଥିଲେ। ପୂର୍ବରୁ ଛପି ରହିଥିବା ଭିଜିଲାନସ୍ ଦଳ ଶ୍ରୀପାତ୍ରଙ୍କୁ ଧରିବା ସହ ଟଙ୍କା ଜବତ କରିଥିଲେ। ଏହା ସହ ହାତ ଓ ଟେବୁଲର ଡ୍ରକୁ ପାଣିରେ ଧୋଇଥିଲେ। ତାଙ୍କ କାର୍ଯ୍ୟାଳୟରେ ଥିବା ଆଲମିରାରୁ ୮୬ହଜାର ୫୧୦ଟଙ୍କା ଭିଜିଲାନସକୁ ମିଳିଛି। ସେଭଳି ତାଙ୍କ ପାୱାରହାଉସ ବାସଭବନରୁ ୪ହଜାର ୮୦୦ଟଙ୍କା ମିଳିଥିବା ସୂଚନା ମିଳିଛି। ରିପୋର୍ଟ ଲେଖା ହେବା ଯାଏଁ ଯାଂଚ ଚାଳିଛି। ଆସନ୍ତାକାଲିକୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଆଦିର ଯାଂଚ କରାଯିବ। ଆଜି ଅଧିକା ପଚାରାଉଚାରା ଜାରୀ ରହିଥିବା ବେଳେ ଆସନ୍ତାକାଲି ତାଙ୍କୁ କୋର୍ଟକୁ ଚାଳାଣ କରାଯିବ ବୋଲି ଭିଜିଲାନସ୍ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର