ମହିଳା ଯନ୍ତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ସହକର୍ମୀ ଯନ୍ତ୍ରୀ ଗିରଫ

ମୃତ୍ୟୁ ପୂର୍ବର ଭିଡିଓ ଓ ସୁଇସାଇଡ ନୋଟ ଆଧାରରେ କଲା ଗିରଫ

ଭଞ୍ଜନଗର: ବନ୍ଦ ଘରୁ ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ଡିଭିଜନ-୧ର କନିଷ୍ଠ ଯନ୍ତ୍ରୀ ଜେ ଅନୀତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ଆଜି ପୁଲିସ୍ ତାଙ୍କ କାର୍ଯ୍ୟାଳୟର ପୁରୁଷ ସହକର୍ମୀ ଯନ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମୃତ୍ୟୁ ପୂର୍ବରୁ ଅନୀତା କରିଥିବା ଭିଡିଓ ଏବଂ ସୁଇସାଇଡ୍ ନୋଟ ଆଧାରରେ ପୁଲିସ୍ ତଦନ୍ତ କରି କନିଷ୍ଠ ଯନ୍ତ୍ରୀ ସହଦେବ ମାରଧେଇକୁ କାର୍ଯ୍ୟାଳୟରୁ ଗିରଫ କରିଛି। ସହଦେବ ଅନୀତାଙ୍କ ମଧ୍ୟରେ ପ୍ରେମ ସଂର୍ପକ ରହିଥିବା ବେଳେ ବିବାହ କରିବା ପ୍ରତିଶ୍ରୁତି ଦେଇ ତା ସହ ଶାରିରିକ ସଂର୍ପକ ମଧ୍ୟ ରଖିଥିଲେ।

ଗତ ଫେବ୍ରୁଆରି ମାସରେ ସହଦେବଙ୍କ ଅନ୍ୟତ୍ର ବିବାହ ହୋଇଯିବା ପରେ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ଯାହାର ଫଳ ସ୍ବରୂପ ମାନସିକ ଚାପରେ ସେ ଆତ୍ମହତ୍ୟା କରିଥିବା ଭିଡ଼ିଓ ଏବଂ ସୁଇସାଇଡ ନୋଟରୁ ପରିବାର ଲୋକ ପ୍ରମାଣ ପାଇବା ପରେ ଅନୀତାଙ୍କ ଭଉଣୀ ଜେ.ଆରତୀ ଥାନାରେ ଏତଲା ଦେଇଥିଲେ। ଏସଂକ୍ରାନ୍ତରେ ପୁଲିସ୍ କେସ୍ ନମ୍ବର ୨୬୭/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଆଜି ସହଦେବକୁ ଗିରଫ କରାଯିବା ପରେ ଡାକ୍ତରୀ ମାଇନା କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି।

ଅଭିଯୁକ୍ତ ସହଦେବ ବାଲେଶ୍ବର ଜିଲ୍ଲା ରାଜବ୍ରହ୍ମପୁର ଥାନା ତଳାଶୋକକୂଳ ଗ୍ରାମର ମୂଳ ବାସିନ୍ଦା ହୋଇଥିବା ବେଳେ ଦୀର୍ଘ ଦିନ ଧରି ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରି ଆସୁଥିଲେ। ଅନୀତା ମଧ୍ୟ ଏହି କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସଂର୍ପକ ଗଢି ଉଠିଥିଲା। ସୁଇସାଇଡ୍ ନୋଟ ଅନୁଯାୟୀ, ପ୍ରଥମେ ସହଦେବ ଅନୀତାଙ୍କୁ ବିବାହ କରିବା ପାଇଁ ନିବେଦନ କରୁଥିବା ବେରଳେ ଏଥିରେ ଅନୀତା ରାଜି ହୋଇନଥିଲେ। କିନ୍ତୁ ପରବର୍ତ୍ତି ସମୟରେ ପ୍ରେମ ସଂର୍ପକ ସୁଦୃଢ ହେବା ପରେ ବିବାହ ପାଇଁ ରାଜି ହୋଇଥିଲେ। ଏହି ସମୟରେ ସହଦେବଙ୍କ ପରିବାର ପକ୍ଷରୁ ଅନ୍ୟତ୍ର ବିବାହ ପାଇଁ ଠିକ୍ ହୋଇଥିଲା।

 

ସମ୍ବନ୍ଧିତ ଖବର