ରାୟଗଡ଼ାରେ ଓଏମସି ପରିଚାଳନା ନିର୍ଦେଶକ; ଖଣି ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିର ବିନିଯୋଗକୁ ଗୁରୁତ୍ବ

ଅସମ୍ପୂର୍ଣ୍ଣ ପ୍ରକଳ୍ପ ତୁରନ୍ତ ସାର, କାମ ନିମ୍ନମାନର ହେଲେ ବନ୍ଧା ହେବେ ଯନ୍ତ୍ରୀ

ରାୟଗଡ଼ା: ଅସଂପୂର୍ଣ୍ଣ ପ୍ରକଳ୍ପ ତୁରନ୍ତ ଶେଷ କର। ଠିକ୍ ସମୟରେ ଅନୁଦାନ ଖର୍ଚ୍ଚ କରି ବିନିଯୋଗ ପ୍ରାମଣପତ୍ର ଦିଅ। ତରବରିଆ ଭାବେ କାମ କରନି। ପାରିପାର୍ଶ୍ବିକ ଅଞ୍ଚଳରେ ବିକାଶମୂଳକ କାମ ନିମ୍ନମାନର ହେଲେ ବନ୍ଧା ହେବେ ଯନ୍ତ୍ରୀ। ରାୟଗଡ଼ା ଗସ୍ତରେ ଆସି ଖଣି ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠି ବ୍ୟୟର ସମୀକ୍ଷା କରି ଏପରି କହିଛନ୍ତି ଓଡ଼ିଶା ଖଣି ନିଗମ ପରିଚାଳନା ନିର୍ଦେଶକ ବଲୱନ୍ତ ସିଂହ। ସର୍କିଟ୍ ହାଉସରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଶ୍ରୀ ସିଂହ ଖଣି ପାରିପାର୍ଶ୍ବିକ ଅଞ୍ଚଳରେ ଜଳସେଚନ, ପାନୀୟ ଜଳ, ବିଦ୍ୟୁତକରଣ, ସ୍କୁଲ୍ ଗୃହ ନିର୍ମାଣ, ଏସ୍ଏ‌ଚ୍ଜି‌ ମହିଳାଙ୍କ ଆୟ ବୃଦ୍ଧି ଉପରେ ଫୋକସ୍ କରିଛନ୍ତି।

କୋଡ଼ିଙ୍ଗାମାଳି ଖଣିକୁ ଲାଗିଥିବା କାଶୀପୁର ବ୍ଲକର ୭ଟି ସ୍ବଂୟ ସହାୟକ ଗୋଷ୍ଠୀ ମହିଳାଙ୍କ ଆୟକୁ ୫ ଗୁଣା ବୃଦ୍ଧି କରିବା ପାଇଁ ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି। ମହିଳାଙ୍କ ଜୀବନ ଜୀବିକାରେ ଉନ୍ନତି ଆଣିବା ପାଇଁ ପାଇଲଟ୍ ପ୍ରୋଜେକ୍ଟକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଯୋଜନା ହୋଇଛି। ସେହିପରି ଶିକ୍ଷାର ବିକାଶ ପାଇଁ ମଡେଲ୍ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ରର ନିର୍ମାଣକୁ ଗୁରୁତ୍ବ ଦିଆଯାଇଛି। ଅଙ୍ଗନବାଡ଼ି କେନ୍ଦ୍ରକୁ ଆସୁଥିବା ପିଲାଙ୍କ ଶକ୍ତି ବଢ଼ାଇବା ପାଇଁ ପୃଷ୍ଟିକର ଖାଦ୍ୟ ପ୍ରଦାନ କରାଯିବା ସହ ଭିତ୍ତିଭୂମିର ଆଖିଦୃଶିଆ ବିକାଶ କରାଯିବ।

୨୦୧୫-୧୬ ଆର୍ଥିକ ବର୍ଷରେ କୋଡ଼ିଙ୍ଗାମାଳି ଖଣି ପାରିପାର୍ଶ୍ବିକ ଅଞ୍ଚଳର ବିକାଶ ପାଇଁ ଜିଲ୍ଲାକୁ ଓଏମସି ପକ୍ଷରୁ ୧୯ଟି ପ୍ରକଳ୍ପ ବାବଦକୁ ୧୭୯.୮୧ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଥିଲା। ସେଥି ମଧ୍ୟରୁ ଆଜି ସୁଦ୍ଧା ୧୩୪.୮୬ ଲକ୍ଷ ବ୍ୟୟରେ ୧୫ଟି ପ୍ରକଳ୍ପର ନିର୍ମାଣ ସରିଛି। ୪ଟି ପ୍ରକଳ୍ପର ନିର୍ମାଣ ସରି ପାରିନି। ସେହିପରି ୨୦୧୮-୧୯ ଆର୍ଥିକ ବର୍ଷରେ ୬୪ଟି ପ୍ରକଳ୍ପ ବାବଦରେ ୩୦୮.୫୦ ଲକ୍ଷ ବ୍ୟୟ ଅଟ୍ଟକଳ କରାଯାଇଛି। ୧୫୪.୨୫ ଲକ୍ଷ ବ୍ୟୟରେ ୩୭ଟି ପ୍ରକଳ୍ପର ନିର୍ମାଣ ସରିଥିବା ବେଳେ ୧୯ଟିର କାମ ଚାଲିଛି। ୮ଟି ପ୍ରକଳ୍ପର କାମ ଆରମ୍ଭ ହୋଇପାରିନି। ୨୦୧୯-୨୦ ଆର୍ଥିକ ବର୍ଷରେ ୧୦ଟି ପ୍ରକଳ୍ପ ବାବଦକୁ ୪୭.୩୦ ଲକ୍ଷ ଅନୁଦାନ ଆସିଛି। ୨୩.୬୫ ଲକ୍ଷ ବ୍ୟୟରେ ୩ଟି ପ୍ରକଳ୍ପର ନିର୍ମାଣ ଶେଷ ହୋଇଛି। ୪ଟି ନିର୍ମାଣ ଚାଲିଥିବା ବେଳେ ୩ଟିର କାମ ଆରମ୍ଭ ହୋଇନି।

୨୦୨୧-୨୨ ଆର୍ଥିକ ବର୍ଷରେ ଶାଶୂ ବ‌ୋହୁମାଳି ଖଣି ପାରିପାର୍ଶ୍ବିକ ଅଞ୍ଚଳରେ ଗ୍ରାମ ଗୁଡ଼ିକର ବିକାଶ ପାଇଁ ଓଏମସି ୨୨ଟି ପ୍ରକଳ୍ପ ନିଜ ହାତକୁ ନେଇଛି। ସେଥି ମଧ୍ୟରୁ ୩ଟି ପ୍ରକଳ୍ପର ନିର୍ମାଣ ଶେଷ ହୋଇଛି। ବଳକା ୧୯ଟି ପ୍ରକଳ୍ପର ସବିଶେଷ ରିପୋର୍ଟ ବିଭାଗକୁ ଅନୁମ‌ୋଦନ ପାଇଁ ଯାଇଛି। ବୈଠକରେ ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ମହେଶ୍ବର ନାୟକ, ଜଳ ବିଭାଜିକା ପ୍ରକଳ୍ପ ନିର୍ଦେଶକ ସୁଶାନ୍ତ ମଲ୍ଲିକ୍, ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଚିତ୍ତରଞ୍ଜନ ଜେନା, କାଶୀପୁର ଏବିଡିଓ ବଳରାମ ପାତ୍ର, ରାୟଗଡ଼ା ଖଣି ନିଗମ ପରିଚାଳକ ହେମନ୍ତ ସିଂହଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର