ବାରିପଦା : ଆନ୍ତଃରାଜ୍ୟ ବାଘ ଛାଲ ରାକେଟରେ ଇଞ୍ଜିନିୟରିଂ ଛାତ୍ର । ବିକ୍ରି ପାଇଁ ମସୁଧା ବେଳେ ବନ ବିଭାଗ ହାତରେ ବନ୍ଧା ହେଲେ । ଆଜି ବାରିପଦାସ୍ଥିତ ହୋଟେଲ୍‌ ଦିବ୍ୟା ପ୍ୟାଲେସ୍‌ରୁ ବାରିପଦା ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଏକ କଲରାପତରିଆ ବାଘ ଛାଲ ଜବତ କରାଯାଇଛି। ଏହି ରାକେଟରେ ସଂପୃକ୍ତ ଦୁଇ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଗିରଫ ଦୁଇ ଅଭିଯୁକ୍ତ ହେଲେ ବଡ଼ସାହି ଥାନା ଉଠାଣିନୁଆଗାଁ ଅଞ୍ଚଳର ବିକାଶ ଚନ୍ଦ୍ର ବେଣ୍ଟକାର(୨୬) ଏବଂ ଖୁଣ୍ଟା ଥାନା ଡୁକୁରା ଫାଣ୍ଡି ଅନ୍ତର୍ଗତ ପଳାଶବଣି ଅଞ୍ଚଳର ବିକାଶ ବିନୟ ସିଂ। ଅଭିଯୁକ୍ତଙ୍କ ମଧ୍ୟରୁ ବିକାଶ ବେଣ୍ଟକାର ଜଣେ କାଠ ମିସ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି। ମାତ୍ର ବିକାଶ ବିନୟ ସିଂ ଜଣେ ଇଞ୍ଜିନିୟରିଂ ଛାତ୍ର ବୋଲି ଜଣାପଡ଼ିଛି। ଇଞ୍ଜିନିୟରିଂ ପାଠ ସାରି ବିକାଶ ସହଜ ରୋଜଗାର ପାଇଁ ଏହି ରାକେଟରେ କାମ କରୁଥିବା ଜଣାପଡ଼ିଛି।

Advertisment

publive-imagepublive-image

ଏହି ଘଟଣାରେ ଆଉ ଜଣେ ଫେରାର୍‌ ଥିବା ଜଣାପଡ଼ିଛି। ଜବତ କଲରାପତରିଆ ବାଘ ଛାଲର ଲମ୍ବ ୨୮ ଇଞ୍ଚ୍‌ ହୋଇଥିବା ବେଳେ ଚଉଡ଼ା ୯ ଇଞ୍ଚ୍‌ ବୋଲି ବନ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ଚମଡ଼ାଟି ପ୍ରାୟ ୮-୯ ମାସ ପୁରୁଣା ବୋଲି ଅନୁମାନ କରାଯାଉଛି। ତେବେ କେଉଁ ଜଙ୍ଗଲରୁ ଏହି କଲରାପତରିଆ ବାଘକୁ ଶିକାର କରାଯାଉଛି ତାହା ତଦନ୍ତାଧୀନ ଥିବା ବାରିପଦା ଡିଏଫ୍‌ଓ ସନ୍ତୋଷ କୁମାର ଯୋଶୀ ପ୍ରକାଶ କରିଛନ୍ତି। ସେହିପରି ଏହି ଘଟଣାରେ ଆଉ କିଏ ସଂପୃକ୍ତ ସେନେଇ ମଧ୍ୟ ତଦନ୍ତ ଚାଲିଛି। ଏହି ରାକେଟ ଉପରେ ୱାଇଲ୍‌ଡ ଲାଇଫ୍‌ କ୍ରାଇମ୍‌ କଣ୍ଟ୍ରୋଲ୍‌ ବ୍ୟୁ‌ରୋ (ଡବ୍ଲ୍ୟୁସିସିବି) ସତର୍କ ଦୃଷ୍ଟି ରଖିଥିଲା। ସେହିପରି ରାଜ୍ୟ ଏସ୍‌ଟିଏଫ୍‌ର ଅଧିକାରୀମାନେ ମଧ୍ୟ ଏହା ଉପରେ ନଜର ରଖିଥିଲେ । ଆଜି ଏହି ଚଢ଼ଉ ବେଳେ ଉଭୟ ବିଭାଗରୁ ଅଧିକାରୀ ଉପସ୍ଥିତ ଥିବା ଶ୍ରୀ ଯୋଶୀ ସୂଚନା ଦେଇଛନ୍ତି। ଏହି ଚଢ଼ଉରେ ବାରିପଦା ରେଞ୍ଜର ଲକ୍ଷ୍ମୀଧର ବେହେରା ଏବଂ ଅନ୍ୟାନ୍ୟ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ। କିଛି ଦିନର ବ୍ୟବଧାନ ପରେ ବାରିପଦାରୁ ପୁଣି ଥରେ ବାଘ ଛାଲ ଜବତ ହେବା ଘଟଣା ଏହା ପ୍ରମାଣ କରୁଛି ଯେ ଜିଲ୍ଲାରେ ଏବେ ମଧ୍ୟ ଏହି କ୍ଷେତ୍ରରେ କାମ କରୁଥିବା ରାକେଟ୍ ସକ୍ରିୟ ଅଛନ୍ତି। ଆଉ ହୋଟେଲ୍‌ ଦିବ୍ୟା ପ୍ୟାଲେସ୍‌ ଭଳି ସ୍ଥାନରେ ଏହି କାମକୁ ସହଜରେ କରି ପାର୍‌ ପାଇଯାଉଥିବା ଅଭିଯୋଗ ହୋଇଛି। ଏନେଇ ବନ ବିଭାଗ ପକ୍ଷରୁ ସତର୍କ ଦୃଷ୍ଟି ରଖିବାକୁ ଦାବି ହୋଇଛି। ତେବେ ବନ୍ୟପ୍ରାଣୀ ବିଶେଷଞ୍ଜମାନେ ଏହି ଚମଡ଼ାକୁ କଲରାପତରିଆ ବାଘ ନୁହେଁ ବରଂ କଲରାପତରିଆ ବିରାଡ଼ି ବୋଲି କହିଛନ୍ତି। ଏହାକୁ ପରୀକ୍ଷାଗାରକୁ ପଠାଇ ସବିଶେଷ ତଦନ୍ତ କରିବାକୁ ଦାବି ହୋଇଛି।