କେଏମ୍‌ବିବିରେ ଇଂଜିନିୟର୍ସ ଡେ’ ପାଳିତ

ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ଦଳେଇପୁଟ ଠାରେ ଥିବା କନକ ମଞ୍ଜରୀ ବ୍ରଜବନ୍ଧୁ ବୈଷୟିକ ମହାବିଦ୍ୟାଳୟରେ ଇଂଜିନିୟର୍ସ ଡେ’ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ସଭାଗୃହରେ ଗତକାଲି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ସୌମ୍ୟ ଦର୍ଶନ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଭାରତର ବିଚକ୍ଷଣ ଯନ୍ତ୍ରୀ ଭାରତରତ୍ନ ସମ୍ମାନରେ ସମ୍ମାନିତ ଏମ୍‌ ବିଶ୍ବେଶରାୟଙ୍କ  ଭାରତର ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ଯୋଗଦାନକୁ ସ୍ମରଣ କରି ତାଙ୍କର ଜନ୍ମ ଦିବସରେ ଇଂଜିନିୟର୍ସ ଦିବସ ପାଳନ କରାଯାଉଥିବା ଦର୍ଶାଇ ତାଙ୍କର ଜୀବନର କେତେକ ଉଲ୍ଲେଖନୀୟ ଘଟଣାର ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ, ପୋଷ୍ଟର ଓ ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ, ବକ୍ତୃତା ବିଭାଗରେ ସିଏସ୍‌ଇ ଛାତ୍ର ସୁମନ ବଳିଆରସିଂହ, ଦ୍ବିତୀୟ ବର୍ଷ ଇସିଇ ଛାତ୍ରୀ ଆଙ୍କାକ୍ଷା ଦାସ ଓ ପ୍ରେମୁସ ଏକ୍କା, ଚିତ୍ରାଙ୍କନରେ ଆକାଶ ପାତ୍ର, ରୁଦ୍ର ନାରାୟଣ ସାମନ୍ତରାୟ, ପୋଷ୍ଟର ପ୍ରସ୍ତୁତରେ ସୁମନ ବଳିଆରସିଂହ, ଓଡ଼ିଆ ପ୍ରବନ୍ଧରେ ସ୍ବର୍ଣ୍ଣଲକ୍ଷ୍ମୀ ବେହେରା ଓ ‌ଶ୍ରେୟା ସ୍ବରୂପା ଦାସ କୃତିତ୍ବ ଅର୍ଜନ କରି ପୁରସ୍କୃତ ହୋଇଥିଲେ। କାର୍ଯ୍ୟକ୍ରମକୁ ଦେବସ୍ମିତା ଦାଶ, ଡ ଅନସୂୟା ରଥ ପରିଚାଳନା କରିଥିବା ବେଳେ ମହାବିଦ୍ୟାଳୟର କର୍ମଚାରୀ ଓ ଅଧ୍ୟାପକଅଧ୍ୟାପିକା ମାନେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର