ରାଉରକେଲା: ରାଉରକେଲା ସ୍ଥିତ ଏକ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ଅପହରଣ କରିନେଇ ୫/୬ ଜଣ ଯୁବକ ଝାଡ଼ଖଣ୍ଡର ଏକ ଘରେ ବନ୍ଧକ ରଖି ଗଣଦୁଷ୍କର୍ମ କରିଥିବା ପରି ସାଂଘାତିକ ଅଭିଯୋଗ ଆସିଛି। ପୁଲିସ ମାମଲା ରୁଜୁ କରିବାରେ ଟାଳଟୁଳ ନୀତି ଅବଲମ୍ବ୍ଵନ କରିବା ପରେ ଶେଷରେ ଏ ନେଇ ରାଉରକେଲା ରେଲେଓ୍ଵ ପୁଲିସ ଏକ ମାମଲା ରୁଜୁ କରିଛି। ସମ୍ପୃକ୍ତ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ଜେନେରାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।
ଅଭିଯୋଗ ଅନୁଯାୟୀ, ଗତ ୩୧ ତାରିଖରେ ପୀଡ଼ିତା ଛାତ୍ରୀ ଜଣକ ନିଜ ଘର ଝାରସୁଗୁଡ଼ା ଯିବା ପାଇଁ ଷ୍ଟେସନ୍‌ ଆସୁଥିବା ବେଳେ କେତେକ ଯୁବକ ତାଙ୍କୁ ଝାଡ଼ଖଣ୍ଡ ଯାଉଥିବା ଟ୍ରେନ୍‌ରେ ଯିବାକୁ କହିଥିଲେ। ଯୁବତୀଜଣକ ସନ୍ଦେହ କରିବାରୁ ତାଙ୍କୁ ଅଭିଯୁକ୍ତମାନେ ଏହି ଟ୍ରେନ୍‌ ଝାଡ଼ଖଣ୍ଡ ଦେଇ ଝାରସୁଗୁଡ଼ା ଯିବ ବୋଲି ବୁଝାଇ ଦେଇଥିଲେ। ପରେ ଝାଡ଼ଖଣ୍ଡର ଲୋଟାପାହାଡ଼ ଷ୍ଟେସନ ନିକଟରେ ତାଙ୍କୁ ଓହ୍ଲାଇବାକୁ କହିବା ସହିତ ସେଠାରୁ ବସ୍‌ରେ ଯିବା ପାଇଁ କହିଥିଲେ। ଛାତ୍ରୀଜଣକ ଲୋଟାପାହାଡ଼ ଷ୍ଟେସନରେ ଟ୍ରେନ୍‌ରୁ ଓହ୍ଲାଇବା ପରେ ଯୁବକମାନେ ଷ୍ଟେସନ ନିକଟରେ ଥିବା ଏକ ଘର ଭିତରେ ଯୁବତୀଙ୍କୁ ବନ୍ଦୀ କରି ରଖିଥିଲେ। ପରେ ୫ରୁ ୬ ଜଣ ଯୁବକ ତାଙ୍କୁ ୩୧ ଓ ୧ ତାରିଖ ଦିନ ଗଣ ଦୁଷ୍କର୍ମ କରିଥିଲେ। ତେବେ ଯୁବକମାନେ ତାଙ୍କୁ ଛାଡ଼ି ଚାଲିଯିବା ପରେ ଛାତ୍ରୀଜଣକ ବହୁ କଷ୍ଟରେ ଆସି ଚକ୍ରଧରପୁର ଷ୍ଟେସନ୍‌ରେ ଅଭିଯୋଗ କରିଥିଲେ ମଧ୍ୟ ଜିଆରପି ପୁଲିସ ସେଠାରେ ତାଙ୍କ ଅଭିଯୋଗର ଏତଲା ଗ୍ରହଣ କରି ନ ଥିଲା। ଇତିମଧ୍ୟରେ ଯୁବତୀଙ୍କ ନିଖୋଜ୍‌ ନେଇ ତାଙ୍କ ପରିବାର ପକ୍ଷରୁ ସେକ୍ଟର -୩ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କେବଳ ଏକ ମାମଲା ରୁଜୁ କରି ଚୁପ୍‌ ଚାପ ରହିଯାଇଥିଲା।

Advertisment

publive-image ଏପରିକି ପୀଡ଼ିତା ଜଣକ ରାଉରକେଲା ଫୋରିବା ପରେ ମଧ୍ୟ ସେକ୍ଟର-୩ ଥାନା ପୁଲିସ ଏ ନେଇ ମାମଲା ରୁଜୁ କରି ନ ଥିଲା। ଶେଷରେ ରାଉରକେଲା ଜିଆରପି ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଅପରପକ୍ଷେ ଗଣ ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତା ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆରଜିଏଚ୍‌ରେ ଭର୍ତ୍ତି କରାଯାଇଛି।