ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ପାର୍କ ଲତାବୁଦାରେ ଭରିଲା 

ଜୟପୁର: ଲକ୍ଷାଧିକ ଟଙ୍କା ବ୍ୟୟରେ ପାରାବେଢ଼ା ସନ୍ତୋଷୀ ମା ନଗର ଅଂଚଳରେ ପୌରପାଳିକା ପକ୍ଷରୁ ପାର୍କ ନିର୍ମାଣ କରାଯାଇଥିଲା। ଏଥି ମଧ୍ୟରେ ବୟସ୍କ ଲୋକେ ଚାରି ପଟେ ଚାଳିବା ପାଇଁ ପାଥ୍ ୱେ କରାଯାଇଥିଲା। ଏହା ସହ ଏହାରି ମଧ୍ୟରେ ପିଲା ମାନେ ଖେଳିବା ପାଇଁ ଲୁହାର ବିଭିନ୍ନ ଉପକରଣ ପକାଯାଇଥିଲା। ସେଭଳି ମଇଳା, ପଲିଥିନ୍ ଆଦି ପକାଇବା ପାଇଁ ଡଷ୍ଟବିନ୍ ବି ରଖାଯାଇଥିଲା। ତେବେ ଏହା ଯେଉଁ ଉଦେଶ୍ୟରେ ଆରମ୍ଭ ହୋଇଥିଲା ତାହା ଏବେ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନି। ଏହାରି ମଧ୍ୟରେ ଏହି ପାର୍କର ପରିଚାଳନା ଦାୟିତ୍ବ ମହିଳା ସ୍ବୟଂ ସହାୟକ ଦଳକୁ ଦିଆଯାଇଥିଲେ ହେଁ ଏବେ ପର୍ଯ୍ୟନ୍ତ ଏହି ପାର୍କକୁ ଏମାନେ ଖୋଲି ନାହାନ୍ତି।

ଅନ୍ୟପକ୍ଷରେ ପାର୍କ ମଧ୍ୟରେ ଲତାବୁଦା, ଘାସ ଆଦି ଭରି ଯିବା ସହ ଡଷ୍ଟବିନରେ ପାଣି ଜମା ହୋଇ ମଶା, ମାଛି , ସାପ ଓ ସରୀସୃପ ଆଦିର ଘର ପାଲଟିଛି। କାହିଁକି ଓ କେଉଁ ଉଦେଶ୍ୟରେ ଏହି ପାର୍କକୁ ଖୋଲାଯାଉନି, ବାରମ୍ବାର ପୌରପାଳିକାରେ ଅଭିଯୋଗ କରିବା ସତ୍ବେ କେହି ଗୁରୁତ୍ବ ଦେଉନାହାନ୍ତି ବୋଲି କହିଛନ୍ତି ବରିଷ୍ଠ ନାଗରିକ ରାମ ସାହୁ। ଗତ ମାର୍ଚ୍ଚରେ ଏହି ପାର୍କର କାମ ସରିଥିଲା। କୋଭିଡ୍ ପାଇଁ ହସ୍ତାନ୍ତର କରାଯାଇନଥିଲା। ଏହାରି ମଧ୍ୟରେ ମହିଳା ସ୍ବୟଂ ସହାୟକ ଦଳକୁ ବି ହସ୍ତାନ୍ତର ହୋଇ ସାରିଛି ବୋଲି ପୌରପାଳିକା ପକ୍ଷରୁ କୁହାଯାଇଛି। ତେବେ ଏସଏଚଜି ଦଳ କାହିଁକି ଏହାକୁ ଖୋଲୁ ନାହାନ୍ତି ଏହାର ତଦନ୍ତ କରାଯିବ ବୋଲି ପୌରପାଳିକା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର