ଜୟପୁର: ଜାତୀୟ ରାଜପଥ କଡ ଜୀବନ ବୀମା କାର୍ଯ୍ୟାଳୟ ପାର୍ଶ୍ବରେ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ୨୦ଟି ସିଟି ବସ୍ ମଧ୍ୟରୁ ଗତ କାଲି ଆଉ ଗୋଟିକରେ ନିଆଁ ଲାଗିଥିଲା। ଖବର ପାଇ ସହକାରୀ ଅଗ୍ନିଶମ ଅଧିକାରୀ ସୁରେଶ ବାରିକ ସଦଳବଳେ ଯାଇ ନିଆଁ ଲିଭାଇଥିଲେ। ଗତ ନଭେମ୍ବର ମାସରେ ୨ଟି ବସରେ ଏଭଳି ନିଆଁ ଲାଗିଥିଲା। ଏନେଇ ଜୟପୁର ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ଜୟପୁର ଟାଉନଥାନାରେ ଏତଲା ଦେଇଛନ୍ତି। ସେ ତାଙ୍କ ଏତଲାରେ ଏହା ପ୍ରକୃତି ଦ୍ବାରା ନୁହେଁ ମନୁଷ୍ୟକୃତ ବୋଲି ଉଲ୍ଲେଖ କରିଛନ୍ତି। କେହି ଜଣେ ଜାଣି ଶୁଣି ଏଭଳି ବାରମ୍ବାର କରୁଛି ବୋଲି କହିଛନ୍ତି ନିର୍ବାହୀ ଅଧିକାରୀ।

Advertisment

୨୦୧୬ରେ ରାଜ୍ୟ ସରକାର ୨୦ଟି ବସକୁ ନେଇ ଆରମ୍ଭ କରିଥିଲେ ସିଟି ବସ୍ ସେବା। ଜୟପୁରରୁ କୋରାପୁଟ, ବୋରିଗୁମ୍ମା, କୋଟପାଡ, କୁନ୍ଦୁରା, ପଟାଙ୍ଗି, ସୁନାବେଡା, ସେମିଳିଗୁଡା ଆଦି ସ୍ଥାନକୁ ଗାଡିଗୁଡିକ ଚଳାଚଳ ଆରମ୍ଭ କରିଥିଲା। ଏଥିପାଇଁ ଜୟପୁର-କୋରାପୁଟ-ସୁନାବେଡ଼ା ଅର୍ବାନ ଟ୍ରାନ୍ସପୋର୍ଟ ଟ୍ରଷ୍ଟ ଗଠନ କରାଯାଇଥିଲା। ଏହାର ଅଧ୍ୟକ୍ଷ ଥିଲେ ଜିଲ୍ଲାପାଳ। ଟ୍ରଷ୍ଟ ସଭ୍ୟଭାବେ ଏସପି, ଜୟପୁର, ସୁନାବେଡା, କୋରାପୁଟ ଓ କୋଟପାଡ ପୌରପାଳିକାର ନିର୍ବାହୀ ଅଧିକାରୀ, କ୍ରିଟ ସଂପାଦକ, ଆରଟିଓ, ହାଲ, ନାଲକୋ ଓ ବିଭାଗର ଜଣେ ମନୋନିତ ପ୍ରତିନିଧି ରହିଥିଲେ। ଟ୍ରଷ୍ଟ ପାଇଁ ଜୟପୁର ପୌରପାଳିକା ୪ ଲକ୍ଷ, କୋରାପୁଟ ପୌରପାଳିକା ୨ଲକ୍ଷ, ସୁନାବେଡା ପୌରପାଳିକା, କ୍ରିଟ୍, ନାଲକୋ ଓ ହାଲ୍ ଏକ ଲକ୍ଷ ଲେଖାଏଁ ଏଭଳି ୧୦ଲକ୍ଷ ଜମା କରାଯାଇଥିଲା। ଟେଣ୍ଡର ପ୍ରକ୍ରିୟା ସହ ଟ୍ରଷ୍ଟ ସହ ଠିକା ସଂସ୍ଥା ଚୁକ୍ତି କରି କାମ ନେଇଥିଲେ। ଅନେକ ସର୍ତ୍ତ ବି ରଖା ଯାଇଥିଲା।ଗାଡ଼ି ଚଳାଚଳ ଆରମ୍ଭର ୩ମାସ ଭିତରେ ସେବା ଠପ୍ ହୋଇ ଯାଇଥିଲା।

publive-image

ବସଗୁଡିକ ପଡିଆରେ ଠିଆ ହୋଇଥିବା ବେ୍ଳେ ଏବେ ଖତଗଦା ସଦୃଶ ହୋଇଯାଇଛି। ଜାନୁଆରୀ ମାସରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କୋଟିକୋଟି ଟଙ୍କାର ଏହି ଅତ୍ୟାଧୁନିକ ବସ୍ଗୁଡ଼ିକୁ କବାଡିଆକୁ ବିକ୍ରିକରି ଟଙ୍କାକୁ ସରକାରୀ ତହବିଲରେ ଜମା କରିବାକୁ ବିଭାଗୀୟ ସଚିବ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। କ୍ଷତି ଭରଣା କରିବାକୁ ପରିଚାଳନା କରୁଥିବା ଘରୋଇ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଉକ୍ତ ଘରୋଇ ସଂସ୍ଥା ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଏହାରି ମଧ୍ୟରେ ଗତ ନଭେମ୍ବର ମାସରେ ୨ଟି ବସରେ ନିଆଁ ଲାଗିଥିଲା। ଗତକାଲି ଆଉ ଗୋଟିଏରେ ଲାଗିବା ସହ ବସଟି ସଂପୁର୍ଣ୍ଣ ଭସ୍ମିଭୂତ ହୋଇଛି। କୋର୍ଟରେ ବିଚାର ଚାଲିଥିବାରୁ ପୌରପାଳିକା କିଛି ପଦକ୍ଷେପ ନେଇ ପାରୁନି ବୋଲି କହିଛନ୍ତି ପୌରକାର୍ଯ୍ୟନିର୍ବାହୀ ଅଧିକାରୀ। ବଳକା ୧୭ଟି ଶୋଚନୀୟ ଅବସ୍ଥାରେ ରହିଛି। ସରକାର କିମ୍ବା ପ୍ରଶାସନ ତ୍ବରିତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଏହି ବସ ଗୁଡିକର ଅବସ୍ଥା ଆଗାମୀ ଦିନରେ କିଭଳି ରହିବ ତାହା ସମୟ କହିବ।