ଇପିଏଫ୍ ପେନ୍‌ସନ ଭୋଗୀଙ୍କ ପ୍ରତିବାଦ ଓ ଦାବିପତ୍ର ପ୍ରଦାନ

ଖୋର୍ଦ୍ଧା: ଇପିଏଫ୍ ପେନ୍‌ସନଭୋଗୀଙ୍କ ସର୍ବଭାରତୀୟ ସଙ୍ଗଠନର ନିଷ୍ପତ୍ତିକ୍ରମେ ଆଜି ଖୋର୍ଦ୍ଧା ଜିଲ୍ଲା ଇପିଏଫ୍ ପେନ୍‌ସନଭୋଗୀଙ୍କ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦେଶକ୍ରମେ ସର୍ବନିମ୍ନ ମାସିକ ପେନ୍‌ସନ ୯ ହଜାର ଟଙ୍କା ଓ ମହଙ୍ଗା ଭତ୍ତା ପ୍ରଦାନ କରିବାକୁ ଏକ ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଆଜି ପୂର୍ବାହ୍ନ ପ୍ରାୟ ୧୨ଟା ବେଳେ ଶତାଧିକ ଇପିଏଫ୍ ପେନ୍‌ସନଭୋଗୀ ବରିଷ୍ଠ ନାଗରିକ ଏକ ରାଲିରେ ସ୍ଥାନୀୟ ବାଟମଙ୍ଗଳା ମନ୍ଦିର ନିକଟରୁ ଏକ ରାଲିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ପ୍ରତିବାଦ ସଭା କରିଥିଲେ। ଏଥିରେ ସଙ୍ଗଠନର ସଭାପତି ବିଜୟ କୁମାର ଜେନା ଓ ସମ୍ପାଦକ ମାୟାଧର ମଲ୍ଲିକ କହିଥିଲେ ଯେ ୧୯୯୫ରେ କେନ୍ଦ୍ର ସରକାର ଇପିଏଫ୍ ଯୋଜନା ଆରମ୍ଭ କରିଥିଲେ।

ଏହା ମଧ୍ୟରେ ଦେଶରେ ଇପିଏଫ୍ ପେନ୍‌ସନଭୋଗୀଙ୍କ ସଂଖ୍ୟା ୬୭ ଲକ୍ଷ ଓ ଓଡ଼ିଶାରେ ଏହା ୧ ଲକ୍ଷ ୬୨ ହଜାରକୁ ବୃଦ୍ଧି ପାଇଲାଣି। ଯୋଜନା ଆରମ୍ଭ ହେବାର ୨୬ ବର୍ଷ ବିତିଯାଇଥିଲେ ମଧ୍ୟ ଏହାର ସଂଶୋଧନ କିମ୍ବା ସଂସ୍କାର ହୋଇନାହିଁ। ପେନ୍‌ସନଭୋଗୀଙ୍କୁ ସର୍ବନିମ୍ନ ମାସିକ ୯ ହଜାର ଟଙ୍କା ପେନ୍‌ସନ, ସ୍ୱାସ୍ଥ୍ୟବୀମା ଆଦି ସାମାଜିକ ସୁରକ୍ଷା ଯୋଜନା ପ୍ରଦାନ କରାଯାଉ। ପ୍ରତିବାଦ ସଭା ପରେ ୪ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ଭାଗ୍ୟଧର ବ୍ରହ୍ମା, ପ୍ରଫୁଲ୍ଲ କୁମାର ଦାଶ, ବିକ୍ରମ ଛୋଟରାୟ, ସିଚ୍ଚିଦାନନ୍ଦ ସାମନ୍ତରାୟ, ମିହିର କୁମାର ରାୟ, ନବ କିଶୋର ରଣା, ଗୋପବନ୍ଧୁ ଦାଶ, ବିନାୟକ ପଟ୍ଟନାୟକ, ଅର୍ଚ୍ଚନା ପଟ୍ଟନାୟକ, ଆରତୀ ବେହେରା, ପ୍ରଭାତି ମଲ୍ଲ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର