ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ଫାଶୀ ଦଣ୍ଡାଦେଶ

ଜଗତସିଂହପୁର: ଜଣେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଗତସିଂହପୁର ଏଡିଜେ କୋର୍ଟ ଦୁଷ୍କର୍ମକାରୀକୁ ଆଜି ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଉକ୍ତ ଦୁଷ୍କର୍ମକାରୀର ନାମ କାଳିଆ ମାନ୍ନା ଓରଫ ନବ।

୨୦୧୮ ମସିହା ମାର୍ଚ୍ଚ ୨୧ ତାରିଖର ଘଟଣା। ଏରସମା ଥାନା ଅଧୀନ ଗଡହରିସପୁରର ୯ବର୍ଷର ନାବାଳିକା ତାର ସାଙ୍ଗମାନଙ୍କ ସହିତ ଦାଣ୍ଡରେ ଖେଳୁଥିଲା। ଏହି ସମୟରେ କାଳିଆ ନାବାଳିକାକୁ ଦୋକାନ ବୁଲାଇ ନେବ ବୋଲି କହି ସେଠାରୁ ଡାକି ଆଣିଥିଲା। ସେଠାରୁ ଆଣି ତାକୁ କାଜୁ ଜଙ୍ଗଲକୁ ନେଇ ଆସିଥିଲା। ୯ବର୍ଷର ନାବାଳିକା କାଳିଆର ଷଡଯନ୍ତ୍ର ବିଷୟରେ କିଛି ବି ଅନୁମାନ ଲାଗଇ ପାରି ନ ଥିଲା। କାଜୁ ଜଙ୍ଗଲ ଭଳି ନିଛାଟିଆ ସ୍ଥାନରେ ନାବାଳିକା କାଳିଆ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲା।

କେବଳ ଏତିକି ନୁହେଁ, ଏହି ନୃଶଂସ କାଣ୍ଡ ଘଟାଇବା ପରେ କାଳିଆ ନାବାଳିକାକୁ ହତ୍ୟା କରି ସେଠାରୁ ଫେରାର ହୋଇଯାଇଥିଲା। ଝିଅ ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକ ଓ ଗ୍ରାମବାସୀ ଅନେକ ଖୋଜାଖୋଜି କରିଥିଲେ ହେଁ ଝିଅର ସନ୍ଧାନ ପାଇ ନ ଥିଲେ। ଏହାପରେ ସେମାନେ ପୁଲିସରେ ଖବର ଦେଇଥିଲେ। ପୁଲିସ ଖବର ପାଇ ତଦନ୍ତ ଆରମ୍ଭ କରିଥିଲା।  ଏହାପରେ ଝିଅର ମୃତଦେହକୁ କାଜୁ ଜଙ୍ଗଲରୁ ଉଦ୍ଧାର କରି ଏକ ମାମଲା ରୁଜୁ କରି କାଳିଆକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର