ଖୋର୍ଦ୍ଧା : ଜିଲ୍ଲାର ଅଧିକାରୀମାନେ ଜନପ୍ରତିନିଧିଙ୍କ ଠିକ୍ ଭାବେ ସହଯୋଗ କରୁନାହାନ୍ତି । ଅନେକ ସମୟରେ ସେମାନଙ୍କ ଫୋନ୍ ଉଠାଉନାହାନ୍ତି ବୋଲି ରାଜ୍ୟ ବିଧାନସଭାର ସଦାଚାର କମିଟି ଆଜି ଖୋର୍ଦ୍ଧା ଜିଲ୍ଲା ଗସ୍ତ ସମୟରେ ଅଧିକାଂଶ ବିଧାୟକ ଅଭିଯୋଗ କରିଛନ୍ତି ।
ସଦାଚାର କମିଟିର ଅଧ୍ୟକ୍ଷ ଅମର ପ୍ରସାଦ ଶତପଥି ଓ ଅନ୍ୟ ୧୦ ଜଣ ସଦସ୍ୟ ଆଜି ପୂର୍ବାହ୍ଣରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ । ଚଳିତ ବର୍ଷର ସଦାଚାର କମିଟିର ଏହା ପ୍ରଥମ ଜିଲ୍ଲାଗସ୍ତ । କମିଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିବା ପରେ କାର୍ଯ୍ୟାଳୟ ପରିସରରେ ଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ସମ୍ମିଳନୀ କକ୍ଷରେ ଜିଲ୍ଲାର ବିଭିନ୍ନ ଅଧିକାରୀ ଓ ବିଧାୟକଙ୍କ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରଥିଲେ ।
ବୈଠକରୁ ମିଳିଥିବା ସୂତ୍ରାନୁସାରେ, କେତେକ ବିଧାୟକ ଉନ୍ନୟମୂଳକ କାର୍ଯ୍ୟରେ ସରକାରୀ ଅଧିକାରୀଙ୍କ ସହଯୋଗ ମିଳୁଥିବା କହିଥିବା ବେଳେ ଅଧିକାଂଶ ବିଧାୟକ ସରକାରୀ ଅଧିକାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ।
ଏନେଇ ଚିଲିକା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ ଜଗଦ୍ଦେବ କହିଥିଲେ ଯେ ବୈଠକରେ ଉଭୟ ଲୋକ ପ୍ରତିନିଧି ଓ ଅଧିକାରୀମାନେ ନିଜ ନିଜ ସମ୍ମାନରକ୍ଷା ଓ ସମନ୍ୱୟ ରକ୍ଷା କରି କିଭଳି ଭାବେ ଜନହିତକର ଯୋଜନାଗୁଡ଼ିକୁ ଲୋକାଭିମୁଖି କରିପାରିବେ ସେନେଇ ଆଲୋଚନା ହୋଇଥିଲା । ଆଲୋଚନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଆଗାମୀ ଦିନରେ ଆଲୋଚନାର ନିର୍ଯ୍ୟାସ ସ୍ଥଳବିଶେଷରେ ଫଳପ୍ରଦ ହେବ ବୋଲି ସେ ଆଶା ରଖିଛନ୍ତି ।
ତେବେ ବୈଠକ ଶେଷ ହେବା ପରେ କମିଟିର ଅଧ୍ୟକ୍ଷ ଶ୍ରୀ ଶତପଥି ଗଣମାଧ୍ୟମକୁ କହିଥିଲେ ଯେ ଗାଣତାନ୍ତ୍ରିକ ବ୍ୟବସ୍ଥାରେ ଲୋକ ପ୍ରତିନିଧିଙ୍କ ସହ ପ୍ରଶାସନ ସମନ୍ୱୟ ରକ୍ଷା କରି କାର୍ଯ୍ୟକରିବାକୁ ବୈଠକରେ ସେ ଗୁରୁତ୍ୱ ଦେଇଥିଲେ । ବୁକ୍ ସର୍କୁଲାର୍-୪୭ର ନିୟମାବଳୀ ସମ୍ପର୍କରେ ସୂଚନା ଦେଇ ଏହାକୁ ପାଳନ କରିବାକୁ ସେ ଅଧିକାରୀଙ୍କୁ ତାଗିଦ୍ କରିଥିଲେ । ପରସ୍ପର ମଧ୍ୟରେ ବୁଝାମଣା ରକ୍ଷା କରିବାକୁ ସେ ପରାମର୍ଶ ଦେଇଥିଲେ । ଏହା ସହ କରୋନା ସମୟରେ ସମସ୍ତ ଅଧିକାରୀ, ସରକାରୀ କର୍ମଚାରୀ ଓ ଜନ ପ୍ରତିନିଧି ମିଳିମିଶି କାମ କରି ଏହାକୁ ନିୟନ୍ତ୍ରଣାଧୀନ ରଖିବାରେ ସକ୍ଷମ ହୋଇଛନ୍ତି ବୋଲି ସେ କହିଥିଲେ ।
ସେହିଭଳି ଜିଲ୍ଲାରେ ଧାନମଣ୍ଡିରେ ଚାଷୀଙ୍କ ସମସ୍ୟା, ହିତାଧିକାରୀଙ୍କୁ ଚାଉଳ ଆଦି ନମିଳିବା ଆଦି ସମ୍ପର୍କରେ ଅଭିଯୋଗ ଆସିଲେ ସେନେଇ ତୁରନ୍ତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ ।
ବୈଠକରେ ଜିଲ୍ଲାପାଳ ସନତ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ । ସାଂସଦ ଓ ବିଧାୟକଙ୍କ ଠାରୁ ମିଳିଥିବା ବିଭିନ୍ନ ପତ୍ର ଓ ଏହା ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ଦେଇଥିଲେ । ବୁକ୍ ସର୍କୁଲାର୍ ନିୟମ ଅନୁପାଳନ ସମ୍ପର୍କରେ ବିଭାଗୀୟ ଅଧିକାରୀମାନେ ସଚେତନ ରହି କାର୍ଯ୍ୟ କରିବେ ବୋଲି କହିଥିଲେ । ଏହା ସହ କୋଭିଡ୍ ସଂକ୍ରମଣ ସ୍ଥିତି ଓ ଟିକାକରଣ ଅଭିଯାନ ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ ।
ଏହି କମିଟିରେ ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରଫୁଲ୍ଲ କୁମାର ସାମଲ, ବିଧାୟକ ପ୍ରଦୀପ କୁମାର ଅମାତ, ବିଧାୟକ ଅରବିନ୍ଦ ଢାଲି, ବିଧାୟକ ଭୂପିନ୍ଦର ସିଂହ, ବିଧାୟକ ଅନନ୍ତ ଦାସ, ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବିଧାୟକ ଅଶ୍ୱିନୀ କୁମାର ପାତ୍ର, ବିଧାୟକ ଶଙ୍କର ଓରାମ, ବିଧାୟକ ସୁବାସ ପାଣିଗ୍ରାହୀ ଉପସ୍ଥିତ ଥିଲେ ।
ବୈଠକରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳେଇଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ନିଜ ବିଭାଗ ଓ ଚିଠିପତ୍ର ସମ୍ପର୍କରେ ଆଲୋଚନା କରିଥିଲେ ।