ଖୋର୍ଦ୍ଧା: ୨୦ ବର୍ଷ ଧରି ଖୋର୍ଦ୍ଧା ସହରର ନାଳ, ସରକାରୀ ଜମି, ରାସ୍ତା ଉପରେ ଜବରଦଖଲ କରି ହୋଇଥିବା ଦୋକାନ ନିର୍ମାଣକୁ ହଟାଇବା ସହ ସେମାନଙ୍କ ଥଇଥାନ କରିବାକୁ ନେଇ ଅନେକ ଯୋଜନା ଓ ବୈଠକ ହୋଇଛି। ବର୍ତ୍ତମାନ ସୁଦ୍ଧା ପ୍ରଶାସନ କୌଣସି ଯୋଜନାରେ ସଫଳ ହୋଇନାହିଁ। ଆଜି ପ୍ରଶାସନ ପକ୍ଷରୁ ପୁଣିଥରେ ଯୋଜନା କରାଯାଇଛି, ଏଥିପାଇଁ ବଣିକ ସଂଘ, ଦୋକାନୀ ସଂଘ, ଗଣମାଧ୍ୟମ ଓ ସହରର ସାମାଜିକ ସଂଗଠନର ମତାମତ ଲୋଡ଼ିଛି। ଏଥିରେ ପ୍ରତିଶ୍ରୁତି ଦିଆଯାଇଛି ଯେ ଆସନ୍ତା ୭ ଦିନ ମଧ୍ୟରେ ଟିଏଲ୍ସି ପଡ଼ିଆ ନିକଟ ସରକାରୀ ଜମିରୁ ଜବରଦଖଲ ହଟିବ ଏବଂ ୨ ମାସ ମଧ୍ୟରେ ସେଠାରେ ପରିବା, ଆମିଷ ବଜାର ଓ ପରିବା ମଣ୍ଡି ନିର୍ମାଣ ହେବ। ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ଖୋର୍ଦ୍ଧା ପଞ୍ଚାୟତସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ପୌରାଧ୍ୟକ୍ଷ କନକଲକ୍ଷ୍ମୀ ମହାନ୍ତି, ତହସିଲଦାର ତଥା ପୌରନିର୍ବାହୀ ଅଧିକାରୀ ଇପସିତ ସାହୁ, ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀଙ୍କ ସମେତ ବିଭିନ୍ନ ବଜାର ସଂଘର କର୍ମକର୍ତା ଉପସ୍ଥିତ ଥିଲେ। ନିର୍ବାହୀ ଅଧିକାରୀ ବୈଠକର ଆଭିମୁଖ୍ୟ ଓ ସ୍ୱାଗତ ଭାଷଣ ଦେଇଥିଲେ। ବୈଠକରେ ସ୍ଥାନୀୟ ବିଧାୟକ ଶ୍ରୀମିତ୍ର କହିଥିଲେ ଯେ ରାସ୍ତାର ଦୁଇଗଡ଼ରେ ଜବରଦଖଲ ଓ କ୍ୟାବିନ ଯୋଗୁଁ ଅନେକ ସମୟରେ ଟ୍ରାଫିକ ସମସ୍ୟା ହେଉଛି। ମୁଖ୍ୟରାସ୍ତାରେ ଜବରଦଖଲ କମ ହେଉଥିବା ବେଳେ ଗଳିକନ୍ଦିରେ ଜବରଦଖଲ ବଢ଼ି ଚାଲିଛି। ଦୁଇବର୍ଷ ପୂର୍ବେ ଜାଗା ମିଶନର ସର୍ଭେ ବେଳେ ସହରର ୨୨ଟି ବସ୍ତିଥିଲା ଏବେ ଏହା ୨୫କୁ ବୃଦ୍ଧି ପାଇଛି। ସହରର କ୍ୟାବିନ ହଟାଇବା ଓ ଥଇଥାନର ତଥ୍ୟ ଦେଇ ବିଧୟକ କହିଥିଲେ ଯେ ୨୦୦୨ରେ ତତ୍କାଳୀନ ଜିଲ୍ଲାପାଳ ମଧୁସୂଦନ ପାଢ଼ୀ ସହରର ସେ ସମୟରେ ଥିବା ୫୪୦ଟି କ୍ୟାବିନ ହଟାଇ ହାବେଳୀ ପଡ଼ିଆରେ ଥଇଥାନ କରିବାକୁ ଯୋଜନା କରିଥିଲେ। ପରବର୍ତ୍ତୀ ସମୟରେ, ବିଡିଏ ଦ୍ୱାରା ୬୦୦ ଦୋକାନ ପାଇଁ ୩୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇ ଦୁଇଦୁଇଥର ଟେଣ୍ଡର ଆହ୍ୱାନ କରାଯାଇ ବାତିଲ କରାଯାଇଛି। ସେହଭଳି ଭାଲିଆବାଡ଼ିରେ ଭେଣ୍ଡିଂ ଜୋନ ପାଇଁ ଉଚ୍ଚନ୍ୟାୟାଳୟ ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି ନିର୍ଦେଶ ଦେଇଛନ୍ତି। ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରର ଅତିରିକ୍ତ ଜମି, ଟାଉନହଲ ସମ୍ମୁଖରେ ଥିବା ସହିଦ ପାର୍କକୁ ହଟାଇ ଦୋକାନୀଙ୍କୁ ଥଇଥାନ କରିବାକୁ ଶ୍ରୀମିତ୍ର ପରାମର୍ଶ ଦେଇଥିଲେ। ଅପରପକ୍ଷରେ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ କହିଥିଲେ ଯେ ୨୦୧୯ ପୂର୍ବରୁ ସେ ନିଜେ ପ୍ରଚେଷ୍ଟା କରି ସହରର ଜବରଦଖଲ ହଟାଇଥିଲେ।

Advertisment

ଏବେ ୨ ବର୍ଷ ମଧ୍ୟରେ ଜବରଦଖଲ ବଢ଼ିଯାଇଛି। କ୍ୟାବିନ ସଂଖ୍ୟା ୫ଶହରୁ ୧୧ଶହ ହୋଇଯାଇଛି। ନୂଆା ବସଷ୍ଟାଣ୍ଡ ଛକ ଠାରୁ ଚଣ୍ଡିଚୁଆ ଛକ ମଧ୍ୟରେ ୧୨ ଏକରରୁ ଉଦ୍ଧ୍ୱର୍ ସରକାରୀ ଜମି ରହିଛି। ଏହାମଧ୍ୟରୁ ଅର୍ଦ୍ଧାଧିକ ଜବରଦଖଲ ହୋଇସାରିଛି। ମଧୁସୂଦନ ନଗର, ପଲ୍ଲା, ଖୋର୍ଦ୍ଧା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଛକ, ଆହ୍ଲାବାଦ ବ୍ୟାଙ୍କ ସମ୍ମୁଖ ରାସ୍ତାରେ ଜବରଦଖଲ ହଟାଇବା ସହ ଟ୍ରାଫିକର ସୁବ୍ୟବସ୍ଥା କରାଯାଉ। ଉପଜିଲ୍ଲାପାଳ ଶ୍ରୀସେଠୀ କହିଥିଲେ ଯେ ପ୍ରଶାସନ ପକ୍ଷରୁ ପରିବା ଦୋକାନ, ଆମିଷ ଦୋକାନ ଆଦି ପାଇଁ ଟିଏଲସି ପଡ଼ିଆ ନିକଟ ଜମିରେ ଦୋକାନ ନିର୍ମାଣ କରାଯିବ। ଏଥିପାଇଁ ସେଠାରୁ ଜବରଦଖଲ ହଟାଯିବ। ସେଠାରେ ୫୭ଟି ପରିବାର ଦୋକାନ ଓ ମାଛ ଆଦି ଆମିଷ ଦୋକାନ ପାଇଁ ସ୍ଥାନୀୟ ଦୋକାନ ନିର୍ମାଣ କରାଯିବ। ଏହା ସହ ରାସ୍ତାକଡ଼ରେ ବସି ପରିବା ବିକ୍ରି କରୁଥିବା ଛୋଟ ବ୍ୟବସାୟୀଙ୍କ ପାଇଁ ଏକ ପକ୍କା ମଣ୍ଡି ସ୍ଥାପନ କରାଯିବ। ସେଠାରେ ପାନୀୟଜଳ, ଶୌଚାଳୟ ଓ ପାର୍କିଂର ବ୍ୟବସ୍ଥା କରାଯିବ। ଏଥିପାଇଁ ବ୍ୟବସାୟୀ, ଜନପ୍ରତିନିଧି ଓ ଜନତାଙ୍କ ସହାୟତା ଲୋଡ଼ିଥିଲେ। ଏହାକୁ ବିଧାୟକ ଓ ବ୍ୟବସାୟୀ ସଂଘ ସମର୍ଥନ ଦେଇଥିଲେ। ଏହାଦ୍ୱାରା ସହରର ଅର୍ଦ୍ଧାଧିକ ପାର୍କିଂ ଓ ଜବରଦଖଲ ସମସ୍ୟାର ସମାଧାନ ହେବ ବୋଲି ମତ ଦେଇଥିଲେ। ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଏସ୍‌ପି ଦେବପ୍ରସାଦ ମଜୁମଦାର, ବରିଷ୍ଠ ଓକିଲ ଶିଶିର ପରିଡ଼ା, ବିମଳ ଷଡ଼ଙ୍ଗୀ, ବ୍ୟବସାୟୀ ସଂଘର ନାରାୟଣ ଦୋରା, ଜୟନ୍ତ ରାୟ, ଜିତୁ ଭଞ୍ଜ ପ୍ରମୁଖ ଭାଗ ନେଇଥିଲେ।